ହାତ ଗୋଡ଼ରେ କଣ୍ଟା ବା ଖୁଞ୍ଚ ପଶିଥିଲେ କୋଲାଏ ରସୁଣ ଲଗାଇ ରଖନ୍ତୁ; ଛାଏଁ ବାହାରି ଆସିବ

ହାତଗୋଡ଼ରେ କୌଣସି କାରଣରୁ କଣ୍ଟା ବା ଖୁଞ୍ଚ ପଶି ଲାଗି ରହିବା ଯେତେ ପୀଡ଼ାଦାୟକ; ତାକୁ ଛୁଞ୍ଚି ବା ଚିମୁଟାରେ ଉଖୁରାଇ ବାହାର କରିବା ତା’ଚାହିଁ କଷ୍ଟ। କାମଦାମ କରିବା ବେଳେ ଦେହର କୌଣସି ଜାଗାରେ ପଶିଥିବା କାଠ ବା କାଚ ଖୁଞ୍ଚ ଯଦି ବାହାରୁ ନ ଥାଏ, ରୋଷେଇ ଘରର ଗୋଟାଏ ସାମାନ୍ୟ ମସଲା ଉପାଦାନ ଦ୍ୱାରା ତାହାକୁ କାଢ଼ି ପାରିବେ।

ରୋଷେଇ ଘରର ସେ ଜିନିଷଟି ହେଉଛି କୋଲାଏ ରସୁଣ। ଦେହରୁ ଖୁଞ୍ଚ କାଢ଼ିବା ନିମନ୍ତେ ତାହା ପ୍ରାକୃତିକ ଉପଚାର ଭାବେ କାମ ଦିଏ। କିନ୍ତୁ, ଏଥିପାଇଁ କୋଲାଏ ରସୁଣକୁ ଛେଚି ଖୁଞ୍ଚ ପଶିଥିବା ସ୍ଥାନରେ ଘଷି ଦେଲେ ଚଳିବ ନାହିଁ। ଟିକିଏ ଅଧିକ କାମ କରିବାକୁ ପଡ଼ିବ। ଅର୍ଥାତ୍‌ ରସୁଣ କୋଲାଏ କାଟି ଖୁଞ୍ଚ ବା କଣ୍ଟା ପଶି ରହିଥିବା ସ୍ଥାନରେ ରାତି ସାରା ଲଗାଇ ରଖିବାକୁ ପଡ଼ିବ।

ତେଣୁ, କଟା ରସୁଣ କୋଲା ପୀଡ଼ାସ୍ଥାନରେ ଲାଗି ରହିବା ପାଇଁ ଡକ୍ଟ୍‌ ଟେପ୍‌ (ଅଠାଦିଆ ଓ୍ଵାଟର୍‌ପ୍ରୁଫ୍‌ ପଟି) କରିବାକୁ ପଡ଼ିବ। କଟା ରସୁଣ କୋଲାକୁ ଖୁଞ୍ଚ ପଶିଥିବା ସ୍ଥାନରେ ଲଗାଇ ରଖି ଡକ୍ଟ୍‌ ଟେପ୍‌ ଯୋଗେ ସିଲ୍‌ କରି ଦେବା ଉଚିତ। ରସୁଣ ପ୍ରାକୃତିକ ଆଣ୍ଟିବାୟୋଟିକ୍‌ ହୋଇ ଥିବାରୁ ଏହା ଫୁଲା ଓ ଯନ୍ତ୍ରଣା କମାଇ ପଶି ରହିଥିବା ଖୁଞ୍ଚ ବା କଣ୍ଟାମୁନକୁ ଚର୍ମର ଉପର ଆଡ଼କୁ ଠେଲି ଆଣିଥାଏ। ପରେ ଉକ୍ତ ସ୍ଥାନରେ ସାମାନ୍ୟ ଚାପ ଦେଲେ ତାହା ପଦାକୁ ବାହାରି ଆସେ।

ସମ୍ବନ୍ଧିତ ଖବର