‘ଭାଗବତ’ର ‘ଗୋପଲୀଳା’ରେ ଥିବା ‘କାଳୀୟଦଳନ’ ପ୍ରସଙ୍ଗରେ ଅଛି ଗରୁଡ଼ ଓ କାଳୀୟଙ୍କର ସୁନ୍ଦର କାହାଣୀ। ଏ ଉଭୟେ ଥିଲେ ଭାଇ-ଭାଇ। କାରଣ କଶ୍ୟପ ଥିଲେ ଦୁହିଁଙ୍କର ପିତା। କିନ୍ତୁ ମାଆ ଅଲଗା ଅଲଗା ହୋଇଥିବାରୁ, କାଳୀୟ ସର୍ପକୁଳରେ ଏବ˚ ଗରୁଡ଼ ପକ୍ଷୀ କୁଳରେ ଜନ୍ମ ହୋଇଥିଲେ। ଗରୁଡ଼ ବିନତାଙ୍କର ଓ କାଳୀୟ କଦ୍ରୁଙ୍କର ପୁତ୍ର ଥିଲେ।

Advertisment

କାଳୀୟ ଆଦି ସର୍ପମାନେ ରହୁଥିଲେ ରମଣକ ଦ୍ବୀପରେ। ଗରୁଡ଼ ମଧ୍ୟ ସେଠାରେ ଥିଲେ ଏବ˚ ସର୍ପମାନେ ଗରୁଡ଼ଙ୍କୁ ‘ବଳିଭୋଜା’ ଦେଇ ସନ୍ତୁଷ୍ଟ କରି ରଖିଥିଲେ। ବିଭିନ୍ନ ବାରରେ ପାଳି କରି ସେମାନେ ଗରୁଡ଼ଙ୍କୁ ଏହି ବଳିଭୋଜା ଦେଉଥିଲେ।

ଏହିପରି ଭାବରେ, ଦିନେ କାଳୀୟ ଘରର ପାଳି ପଡ଼ିଲା। କିନ୍ତୁ କାଳୀୟ ଭାବିଲା- ‘‘ସହସ୍ର ଫଣା ଅଛି ମୋର। / ଗରୁଡ଼ କେଡେ଼ ବଳୀୟାର ାା / ଏକା ପିଅର ପୁଅ ଆମ୍ଭେ। /ସେ କିମ୍ବା ଏଡେ଼ ବଡ଼ ଦମ୍ଭେ ାା’’ ଏଣୁ ଗରୁଡ଼ଙ୍କୁ ଡରି ବଳିଭୋଜା ଦେବା ଲଜ୍ଜାଜନକ ବୋଲି ସେ ମନେକଲା। ‘‘ବାସୁକୀ ମୋର ଭାଇ ଏବ˚ ତା’ ଫଣାରେ ସେ ପୃଥିବୀକୁ ଧରି ରଖିଛି। ଏଣୁ ମୁଁ କାହିଁକି ଗରୁଡ଼କୁ ଡରିବି’’ ବୋଲି ଭାବି, ସବୁ ବଳିଭୋଜା ସେ ନିଜେ ଖାଇଦେଲା। ଅନ୍ୟ ସର୍ପମାନେ ତାକୁ ମନା କଲେ ମଧ୍ୟ ମାନିଲା ନାହିଁ।

ଗରୁଡ଼ ଆସି ବଳୀଭୋଜା ନପାଇ କ୍ରୁଦ୍ଧ ହେଲେ ଏବ˚ କାଳୀୟ ଓ ଗରୁଡ଼ଙ୍କ ମଧ୍ୟରେ ଯୁଦ୍ଧ ହେଲା। କିନ୍ତୁ ଗରୁଡ଼ ନିଜର ଶକ୍ତ ଡେଣାରେ ପିଟି ଦେବାରୁ କାଳୀୟ ମୂର୍ଚ୍ଛା ହୋଇଗଲା ଏବ˚ ଚେତା ଫେରିବା ପରେ, ଡରରେ ଯାଇ କାଳିନ୍ଦୀ ହ୍ରଦରେ ଲୁଚିଲା।

କାଳୀୟ କାଳିନ୍ଦୀ ହ୍ରଦକୁ ଯାଇ ସେଠାରେ ଲୁଚିବା ପଛରେ ବି ଗୋଟିଏ କାହାଣୀ ଅଛି। ତାହା ହେଉଛି- କାଳିନ୍ଦୀ ହ୍ରଦ ବହୁତ ସ୍ବଚ୍ଛ ଓ ପବିତ୍ର ଥିଲା। ସୌଭରି ନାମକ ଜଣେ ବ୍ରହ୍ମର୍ଷି ତାହାର ତଟ ଦେଶରେ ବସି ମୀନମାନଙ୍କର ଜଳକ୍ରୀଡ଼ା ଦେଖନ୍ତି। ରୋହିତ ନାମକ ମତ୍ସ୍ୟରାଜ ସେଠାରେ ତାର ମୀନବାଳକଙ୍କ ସହ କ୍ରୀଡ଼ା କରେ। ଋଷି ତାହାଦେଖି ଅତ୍ୟନ୍ତ ଆନନ୍ଦିତ ହୁଅନ୍ତି।

ଦିନେ ଗରୁଡ଼ ସେଠାକୁ ଗଲା ଏବ˚ ଋଷି ବାରଣ କରିବା ସତ୍ତ୍ବେ, ଜଳରେ ପଶି ମତ୍ସ୍ୟରାଜ ରୋହିତକୁ ଖାଇଦେଲା। ସେଥିରେ ଋଷି କ୍ରୁଦ୍ଧ ହେଲେ। କିନ୍ତୁ ସେ ବିଷ୍ଣୁଙ୍କର ବାହନ ହୋଇଥିବାରୁ, ତାକୁ ପ୍ରାଣରେ ନମାରି, ଅଭିଶାପ ଦେଲେ- ଆଉ କାଳିନ୍ଦୀରେ ପଶିଲେ ତାର ମୃତ୍ୟୁ ହେବ। ତେଣୁ ଗରୁଡ଼ର ଭୟ ନଥିବାରୁ କାଳୀୟ ଯାଇ ସେଠାରେ ଲୁଚିଥିଲା। କିନ୍ତୁ ତା’ର ବିଷ ଜ୍ବାଳାରେ କାଳିନ୍ଦୀର ଜଳ ଦୂଷିତ ହୋଇଯିବାରୁ, ଶ୍ରୀକୃଷ୍ଣ ତାକୁ ଦଳନ କଲେ ଏବ˚ ତାକୁ ପୁଣି ରମଣକ ଦ୍ବୀପକୁ ପଠାଇ ଦେଲେ। ତାର ଫଣାରେ ଶ୍ରୀକୃଷ୍ଣଙ୍କର ପଦଚିହ୍ନ ଥିବାରୁ, ତାର ଗରୁଡ଼ଭୟ ଆଉ ରହିଲା ନାହିଁ।
ଏହା ଆମକୁ ସୂଚାଏ- ବ୍ୟବସ୍ଥାରେ ବ୍ୟତିକ୍ରମ କଲେ ବା ଅବାଞ୍ଛିତ ଅନୁପ୍ରବେଶ କଲେ- ତାହା ବିପଦର କାରଣ ହୋଇଥାଏ।