ଅଭିନବ ସାମଗ୍ରୀ ଗଢ଼ିବାରେ ଜାପାନୀମାନେ ବେଶ୍ ପାରଙ୍ଗମ। ଜାପାନର ଏକ କମ୍ପାନି ‘ଜିରାଫ୍ନାପ୍’ ନାମକ ସରଞ୍ଜାମ ବଜାରକୁ ଛାଡ଼ିଛି, ଯେଉଁଥିରେ ଜଣେ ଆରାମରେ ଛିଡ଼ା ହୋଇ ଶୋଇପାରିବ।
ଉଲ୍ଲେଖଯୋଗ୍ୟ, ବିଶ୍ବର ଉଚ୍ଚତମ ଜୀବ ଜିରାଫ୍ର ଠିଆ ହୋଇ ଶୋଇବା ଅଭ୍ୟାସ ରହିଛି। ତାହାରି ନାମ ଅନୁସାରେ ଏହାର ନାମକରଣ ହୋଇଛି। ଏହା ଅଫିସରେ କର୍ମଚାରୀଙ୍କୁ ସାମୟିକ ବିଶ୍ରାମ ଦେଇ ସେମାନଙ୍କ ଏକାଗ୍ରତା ଓ ଦକ୍ଷତାରେ ବଢ଼ାଇବ ବୋଲି କୁହାଯାଉଛି। ଜାପାନୀମାନେ ଏତେ କଷ୍ଟସହିଷ୍ଣୁ ତଥା କାର୍ଯ୍ୟପ୍ରବଣ ଯେ କାମ ପାଇଁ ନିଜର ଶାରୀରିକ ସୁସ୍ଥତାକୁ ବାଜି ଲଗାଇଦେଇଥା’ନ୍ତି। ସେଥିପାଇଁ ଜାପାନୀ ଶବ୍ଦକୋଷରେ ‘କାରୋଶି’ ନାମରେ ଏକ ଶବ୍ଦ ରହିଛି, ଯାହାର ଅର୍ଥ ହେଉଛି ‘ଅତ୍ୟଧିକ କାର୍ଯ୍ୟଜନିତ ମୃତ୍ୟୁ’।
ତେଣୁ ଏଭଳି ସ୍ଥିତିରୁ ନିଜକୁ ମୁକ୍ତ ରଖିବା ପାଇଁ କିଛି ଜାପାନୀ କାମ କରୁଥିଲା ବେଳେ ମଝିରେ ମଝିରେ ସାମୟିକ ବିଶ୍ରାମ ନେବା ଅଭ୍ୟାସ କରୁଛନ୍ତି। ଏହାକୁ ‘ଜିରାଫ୍ନାପ୍’ ପରି ସ୍ବତନ୍ତ୍ର ସରଞ୍ଜାମ ଆଉ ପାଦେ ଆଗେଇ ନେଇଛି। ଏହି ସରଞ୍ଜାମ ଭିତରେ ଶରୀରର ମସ୍ତକ, ନିତମ୍ବ ଓ ପାଦ ଆଦି ଅଂଶକୁ ଧରି ରଖିବା ପାଇଁ ବ୍ୟବସ୍ଥା ରହିଛି। ସମୟ ଜ୍ଞାନ ପାଇଁ ଏକ ଆଲାର୍ମ ଲାଗିଛି। ଏଥିରେ ବିଭିନ୍ନ ଉଚ୍ଚତାର ଲୋକ ଛିଡ଼ା ହୋଇପାରିବେ। ଏହା ଭିତରେ ବାହାର ଶବ୍ଦ ଶୁଣାଯାଏ ନାହିଁ ଏବଂ ତତ୍କାଳ ନିଦ ଆସିବା ପାଇଁ ବିଭିନ୍ନ ପ୍ରକାରର ଧ୍ବନିର ବ୍ୟବହାର କରାଯାଇଥାଏ। ଏଥିରେ ଠିଆ ହୋଇ ଶୋଇବା ଯୋଗୁଁ ଆଦୌ ଗଭୀର ନିଦ୍ରା ହୋଇନଥାଏ। ଶରୀରର ଶକ୍ତି ସ୍ତର ସାଙ୍ଗକୁ ଏକାଗ୍ରତା ମଧ୍ୟ ବଢ଼ିଥାଏ। ପ୍ରରମ୍ଭିକ ଭାବେ ଜାପାନର କେତେକ ଲୋକପ୍ରିୟ ରେସ୍ତୋରାଁରେ ଏହାକୁ ଖଞ୍ଜାଯାଇଛି।