ଦେବୀ ବିରଜାଙ୍କ ରଥ ‘ସିଂହଧ୍ୱଜ’

ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଓ ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରଥଯାତ୍ରା ହେବା ପରି, ଆଦିଶକ୍ତି ବିରଜାଦେବୀଙ୍କର ରଥଯାତ୍ରା ପ୍ରତିବର୍ଷ ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରୁ ମହାନବମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ। ଏହି ରଥର ନାମ ‘ସିଂହଧ୍ୱଜ’।

ରଥର ନିର୍ମାଣ ଶୁଭ ସୁନିଆଁ ପର୍ବରୁ ଆରମ୍ଭ ହୁଏ। ଆଶ୍ୱିନ ଅମାବାସ୍ୟାରେ ରଥର ଅଧିବାସ ଓ ଶୁକ୍ଳ ପ୍ରତିପଦରେ ରଥ ପ୍ରତିଷ୍ଠା ହେବା ପରେ, ଅପରାହ୍‌ଣରେ ମା’ ବିରଜାଙ୍କ ବିଜେ ପ୍ରତିମା ‘ଆଶାଦଣ୍ଡ’, ରଥରେ ବିରାଜମାନ କରନ୍ତି ଏବଂ ରଥ ମନ୍ଦିର ପରିକ୍ରମା କରେ। ଏହିପରି ମହାନବମୀ ପର୍ଯ୍ୟନ୍ତ ନଅ ଦିନରେ ନଅଥର ମନ୍ଦିର ପରିକ୍ରମା କରି ମଧ୍ୟରାତ୍ରିରେ ବିଜେ ପ୍ରତିମା ରଥରୁ ଓହ୍ଲାଇ ଲାଖବିନ୍ଧା ବିଧି ସମାପନ ପରେ ମନ୍ଦିରରେ ଅବସ୍ଥାନ କରନ୍ତି।

ଦେବୀ ବିରଜାଙ୍କର ଏହି ସିଂହଧ୍ୱଜ ରଥର ଉଚ୍ଚତା ୫୫ ଫୁଟ, ଦୈଘ୍ୟ ୨୧ ଫୁଟ ୩ ଇଞ୍ଚ ଓ ପ୍ରସ୍ଥ ୧୭ ଫୁଟ ୩ ଇଞ୍ଚ। ଏହାର ଚକ ସଂଖ୍ୟା ୧୨ ଓ ଥାକ ସଂଖ୍ୟା ୧୩। ଏଥିରେ ୬ଟି ଅଖ, ୨୪ଟି ଧାରଣା ଓ ୬୪ଟି ଖୁଣ୍ଟ ରହିଥାଏ। ସର୍ବମୋଟ ୮୯୮ ଖଣ୍ଡ କାଠରେ ରଥ ନିର୍ମାଣ ହୋଇଥାଏ। ରଥର ସାରଥି ବେଦପତି ବ୍ରହ୍ମା, ରଥ ରକ୍ଷିକା ମହାମାୟା ଓ ରଥଶକ୍ତି ବ୍ରହ୍ମଚାରିଣୀ। ଋଷିପଟାରେ ଚବିଶ ଜଣ ଋଷି ଏବଂ ରଥର ପାର୍ଶ୍ବ ଦେବଦେବୀ ମଧ୍ୟ ଥାଆନ୍ତି। ରଥରେ ଦୁଇଟି ଅଶ୍ୱ ଏବଂ ସ୍ୱର୍ଣ୍ଣଚୂଡ଼ ଓ ଶଙ୍ଖଚୂଡ଼ ନାମକ ଦୁଇଟି ରଥରଜ୍ଜୁ ଲାଗିଥାନ୍ତି।

ଶକ୍ତି ପୀଠରେ ରଥଯାତ୍ରା ଏକ ଅନନ୍ୟ ପରମ୍ପରା ଏବଂ ଏହା କେବଳ ବିରଜାକ୍ଷେତ୍ରରେ ଦେଖାଯାଏ। ରଥରେ ମା’ଙ୍କର ବିଜେ ପ୍ରତିମାଙ୍କୁ ଦର୍ଶନ କଲେ ଆମ ଅଜାଣତରେ ହେଉଥିବା ‘ପଞ୍ଚପାତକ’ରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି।

-ପଣ୍ଡିତ ଭୂପତି ମିଶ୍ର

ସମ୍ବନ୍ଧିତ ଖବର

Comments are closed.