ସକାଳୁ ସକାଳୁ ଜଣେ ଅଙ୍ଗୁର ବଗିଚା ମାଲିକ ପହଞ୍ଚିଗଲେ ବଜାରରେ। ଦେଖିଲେ, କିଛି ଲୋକ ବିନା କାମରେ ଠିଆ ହୋଇଛନ୍ତି। ସେ ସେମାନଙ୍କୁ କହିଲେ- ଯାଅ, ମୋ ବଗିଚାରେ କାମ କର। ମୁଁ ତୁମକୁ ଦିନର ମଜୁରି ହିସାବରେ ଗୋଟିଏ ଗୋଟିଏ ‘ଦିନାର’ ଦେବି। ଲୋକେ ଖୁସିରେ ତାଙ୍କ ଅଙ୍ଗୁର ବଗିଚାରେ କାମ କରିବାକୁ ବାହାରିଗଲେ। ସକାଳ ୯ଟା ବେଳକୁ ବଗିଚା ମାଲିକ ପୁଣି ବଜାର ଆସିଲେ। ଆଉ କିଛି ଲୋକଙ୍କୁ ସମାନ ଦୈନିକ ମଜୁରିରେ ବଗିଚାକାମ କରିବାକୁ ପଠାଇଲେ। ଖରାବେଳେ ସେ ପୁନର୍ବାର ବଜାର ଆସି ସମାନ କଥା କଲେ। ଅପରାହ୍‌ଣ ୩ଟା ବେଳେ ସେ ବଜାରରୁ ଆଉ କିଛି ଲୋକଙ୍କୁ ନେଇ ନିଜ ବଗିଚାକାମରେ ଲଗାଇଲେ। ଶେଷରେ ସେ ସୂର୍ଯ୍ୟାସ୍ତ ସମୟରେ ବି ବଜାର ଯାଇ ଦେଖିଲେ, କିଛି ଲୋକଙ୍କୁ ସେଦିନ କାମ ମିଳିନି। ସେମାନଙ୍କୁ ବି ସେ ନିଜ ବଗିଚାରେ ଅଳ୍ପ ସମୟ ପାଇଁ କାମ କରିବାର ସୁଯୋଗ ଦେଲେ।

Advertisment

ଅନ୍ଧାର ହେଲା। ବଗିଚା କାମ ସରିଲା। ମଜୁରି ଦେବା ସମୟ ଆସିଲା। ସମସ୍ତଙ୍କୁ ସମାନ ମଜୁରି, ଗୋଟିଏ ଗୋଟିଏ ‘ଦିନାର’ ମିଳିଲା। ସକାଳୁ କାମ କରିଥିବା ଲୋକ ଯେତିକି ମଜୁରି ପାଇଲା, ସଞ୍ଜବେଳେ ଅଳ୍ପ କାମ କରିଥିବା ଲୋକ ବି ସେତିକି ମଜୁରି ପାଇଲା। କିଛି ମୂଲିଆ ଅସନ୍ତୁଷ୍ଟ ହେଲେ। ସେମାନଙ୍କୁ ବଗିଚା ମାଲିକ କହିଲେ- ତୁମେ ଯେଉଁ ମଜୁରି ପାଇଁ ରାଜି ହୋଇଥିଲ, ତାହା ପାଇଛ। ମୋ ପାଇଁ ପ୍ରଥମେ ଆସିଥିବା ଓ ଶେଷରେ ଆସିଥିବା ବ୍ୟକ୍ତି ସମାନ। ତେଣୁ ମୁଁ ସମସ୍ତଙ୍କୁ ସମାନ ଭାବରେ ମଜୁରି ଦେଉଛି।

ଏ ଗଳ୍ପଟି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମୁଖନିଃସୃତ। ଏହା ‘ବାଇବେଲ୍‌’ର ‘ନିଉ ଟେଷ୍ଟାମେଣ୍ଟ’ର ବିଂଶ ଅଧ୍ୟାୟରେ ଥିବା ‘ଗସ୍ପେଲ୍ ଅଫ୍ ମାଥ୍ୟୁ’ର ଅଂଶ। ଏଥିରେ ଅଙ୍ଗୁର ବଗିଚା ମାଲିକ ହେଉଛନ୍ତି ଈଶ୍ୱର, ଯାହାଙ୍କ ପାଇଁ ସମସ୍ତେ ସମାନ। ଜଣେ ପ୍ରଥମରୁ ଭଗବାନଙ୍କ ଶରଣକୁ ଯାଉ ବା ଡେରିରେ, ସେ ତାଙ୍କଠାରୁ ସମାନ କୃପା ପାଇବ। କାରଣ ଈଶ୍ୱର ସମଦର୍ଶୀ। ଜଣେ ଈଶ୍ୱରଙ୍କ ଚିନ୍ତନ ଜୀବନର କୌଣସି ସମୟରେ ମଧ୍ୟ ଆରମ୍ଭ କରିପାରେ, କିନ୍ତୁ ସେ ତାଙ୍କ କୃପାପ୍ରାପ୍ତିରେ କୌଣସି ଭାବରେ କମ୍ ହେବ ନାହିଁ।

ଏହି ଗଳ୍ପ ମାଧ୍ୟମରେ ପ୍ରଭୁ ଯୀଶୁ ଆମକୁ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାକୁ ପ୍ରବର୍ତ୍ତାଇଛନ୍ତି। ଡିସେମ୍ବର ୨୫ ତାଙ୍କର ଆବିର୍ଭାବ ଦିବସ। ସେହି ଦିବ୍ୟ ଚେତନାକୁ ଏହି ଅବସରରେ ପ୍ରଣାମ।