ଆମର ସର୍ବାଙ୍ଗୀନ ସ୍ବାସ୍ଥ୍ୟର ଉନ୍ନତି ପାଇଁ ଶରୀର ଭିତରେ କାମ କରୁଥିବା ପାକପ୍ରଣାଳୀର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହା ଖାଦ୍ୟରୁ ବର୍ଜ୍ୟ ପଦାର୍ଥକୁ ନିଷ୍କାସନ କରିବା ସହ ଗୁଣକାରୀ ପୋଷକଗୁଡ଼ିକୁ ଗ୍ରହଣ କରିଥାଏ। ତେବେ ଅନେକ ସମୟରେ ପେଟ ଫାମ୍ଫିବା, ପେଟ ଭିଡ଼ିମୋଡ଼ି ହେବା, ଗ୍ୟାସ ହେବା, ପତଳା ଝାଡ଼ା ହେବା ବା କୋଷ୍ଠକାଠିନ୍ୟ ପରି ଅତ୍ୟନ୍ତ ଅପ୍ରୀତିକର ତଥା ଅସହ୍ୟ ପାକ ଜନିତ ସମସ୍ୟା ଆମେ ଭୋଗିଥାଉ। ଏଭଳି ଚିନ୍ତାଜନକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ସକାଳେ କିଛି ସତେଜ, ପୁଷ୍ଟିକର ତଥା ଅନ୍ତନଳୀ ଅନୁକୂଳ ପାନୀୟ ସେବନ କରିବା ଶ୍ରେୟସ୍କର। ଦିବସର ଆରମ୍ଭ ପୂର୍ବରୁ ସେଭଳି କିଛି ଗ୍ରହଣୀୟ ପାନୀୟ ବାବଦରେ ଜାଣିବା, ଯାହା ଆମର ପାଚନତନ୍ତ୍ରକୁ ଉନ୍ନତ କରିବ।
ସେଥି ମଧ୍ୟରେ ଆସିବ ସର୍ବତ୍ର ଉପଲବ୍ଧ ଲେମ୍ବୁ ରସ ସରବତ। ଗିଲାସେ ନଖଉଷୁମ ପାଣିରେ ଦୁଇ ଚାମଚ ଲେମ୍ବୁରସ ମିଶାଇ ପିଇଦେଲେ ତାହା ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସନ କରାଇବା ସହ ସେଥିରେ ଥିବା ଭିଟାମିନ୍ ସି’ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ। ଏହା ପାକସ୍ଥଳୀରେ ଆବଶ୍ୟକ ପାକ ରସ କ୍ଷରଣକୁ ସୁଗମ କରି ଜୀର୍ଣ୍ଣକ୍ରିୟାକୁ ମଧ୍ୟ ସହଜ କରିଥାଏ। ସେହିପରି ଅଦା ଚା’ ହେଉଛି ଅନ୍ୟତମ ଗୁଣକାରୀ ପାନୀୟ। କପେ ଗରମ ପାଣିରେ କେଇ ଖଣ୍ଡ କଟା ଅଦା ୧୫ ମିନିଟ୍ ଯାଏ ଫୁଟାଇ ସେଥିରେ ମହୁ ଓ ଲେମ୍ବୁରସ ମିଶାଇ ଏହି ପାନୀୟ ପ୍ରସ୍ତୁତ କରିହେବ। ଏହା ଆମର ଲାଳଗ୍ରନ୍ଥିକୁ ସକ୍ରିୟ କରିବା ସହ ପିତ୍ତରସ କ୍ଷରଣରେ ବୃଦ୍ଧି ଘଟାଇଥାଏ। ସେହିପରି ହରିଡ଼ା, ବାହାଡ଼ା ଓ ଅଁଳା ସଂପନ୍ନ ତ୍ରିଫଳା ରସ ହେଉଛି ଏକ ପ୍ରାକୃତିକ ହଜମକାରୀ। ସକାଳେ ଅଧକପ୍ ପାଣିରେ କିଛି ତ୍ରିଫଳା ଗୁଣ୍ଡ ମିଶାଇ ପିଇଲେ ସେଥିରେ ଥିବା ଉଚ୍ଚମାନର ତନ୍ତୁ ଓ ସର୍ବିଟଲ୍ ଜୀର୍ଣ୍ଣକ୍ରିୟାକୁ ସୁଗମ କରି ଅନ୍ତନଳୀରେ ଖାଦ୍ୟ ପରିବହନକୁ ସହଜ କରିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/05/new-project-26-1-2025-08-05-17-03-10.jpg)