ରାତିରେ ନିଦ ଭଲ ନହେବା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ମୋବାଇଲ୍ ପ୍ରଭାବରୁ ହେଉ କିମ୍ବା କୌଣସି ଚିନ୍ତା କାରଣରୁ ହେଉ ବିଳମ୍ବିତ ରାତ୍ରିରେ ଶୋଇବା ପ୍ରାୟ ଅଧିକାଂଶ ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି। ମାତ୍ର ସବୁବେଳେ ବିଳମ୍ବିତ ରାତିରେ ଶୋଇବା ଯେ ସ୍ୱାସ୍ଥ୍ୟପକ୍ଷେ ହାନିକାରକ ଏକଥା ଆପଣ ନିଶ୍ଚୟ ଜାଣିଥିବେ। ତେବେ, ଆସନ୍ତୁ ଜାଣିବା କ’ଣ କଲେ ରାତିରେ ଭଲ ନିଦ ହେବ।
: ମନକୁ ଶାନ୍ତ ରଖନ୍ତୁ। ଆଖି ବନ୍ଦ କରିବା ପରେ କୌଣସି ଖରାପ ଚିନ୍ତା କଲେ ନିଦ ଦୂରେଇ ଯାଇଥାଏ। ଭଲ ଭଲ କଥାସବୁକୁ ମନେ ପକାନ୍ତୁ। ଦେଖିବେ ଭଲ କଥା ଚିନ୍ତା କରୁ କରୁ ନିଦ କେତେବେଳେ ଆସି ଆଖିକୁ କବ୍ଜା କରି ଯାଇଥିବ ତାହା ଆଦୌ ଜାଣିହେବ ନାହିଁ।
: ରାତି ପୋଷାକ ପରିଧାନ କରନ୍ତୁ। ଭଲ ନିଦ ପାଇଁ ପୋଷାକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ହାଲୁକା ଏବଂ ସ୍ୱଚ୍ଛ ପୋଷାକ ପରିଧାନ କଲେ ଉତ୍ତମ ନିଦ ହୋଇଥାଏ। ସଫା ବିଛଣା ମଧ୍ୟ ଭଲ ନିଦ ପାଇଁ ଜରୁରୀ।
: ରାତି ୯ ପରେ ଆଉ ଚା’ କିମ୍ବା କଫି ପିଅନ୍ତୁ ନାହିଁ। ରାତିରେ ଚା’, କଫି ପିଉଥିବା ବ୍ୟକ୍ତିଙ୍କ ନିଦ ବିଳମ୍ବରେ ହେବା ସହ ଖୁବ୍ ପତଳା ହୋଇଥାଏ। ଶରୀରକୁ ଯେତିକି ପରିମାଣର ନିଦ ଆବଶ୍ୟକତା ରହିଛି ସେତିକି ପରିମାଣର ନିଦ ହୋଇ ନ ଥାଏ।
: ଧୁମ୍ଧଡ଼କା ଗୀତ ଶୁଣନ୍ତୁ ନାହିଁ। ପାରୁଛନ୍ତି ଯଦି ସ୍ଲୋ ମିଉଜିକ୍ ଶୁଣନ୍ତୁ। ସ୍ଲୋ ମିଉଜିକ୍ ଶୁଣୁଥିବା ବ୍ୟକ୍ତିଙ୍କୁ ଭଲ ନିଦ ହୋଇଥାଏ। ଖାଲି ଭଲ ନୁହେଁ, ଶାନ୍ତିପୂର୍ଣ୍ଣ ନିଦ ହୋଇଥାଏ।
:ପୁସ୍ତକ ପଢ଼ି ପଢ଼ି ଶୋଇବା ଅତ୍ୟନ୍ତ ଭଲ। ପୁସ୍ତକ ପଢ଼ିବା ସମୟରେ କୌଣସି ମନ୍ଦ ଚିନ୍ତା ମସ୍ତିଷ୍କକୁ ଘାରିପାରେ ନାହିଁ। ନିଦ ଭଲ ହୋଇଥାଏ।