ନୂଆଦିଲ୍ଲୀ : କ୍ରିକେଟ୍ର ସମସ୍ତ ତିନି ଫର୍ମାଟ୍ରେ ବିଶ୍ବର ଶ୍ରେଷ୍ଠ ବୋଲରମାନଙ୍କର ନିଦ ହଜାଇ ଦେଉଥିବା ଭାରତୀୟ ବ୍ୟାଟର୍ ବିରାଟ କୋହଲି ସୁସ୍ଥ ଜୀବନରେ ସୁଖ ନିଦ୍ରାର ଆବଶ୍ୟକତାକୁ ଗୁରୁତ୍ବାରୋପ କରିଛନ୍ତି। ସୋମବାର ଡ୍ୟୁରୋଫ୍ଲେକ୍ସର ବ୍ରାଣ୍ଡ ଆମ୍ବାସାଡର ଭାବେ ଚୁକ୍ତି କରିବା ପରେ ସେ ସୁସ୍ଥ ଜୀବନ ପାଇଁ ପର୍ଯ୍ୟାପ୍ତ ନିଦ୍ରାର ଆବଶ୍ୟକତା ଉପରେ ଅନେକ ଟିପ୍ପଣୀ ରଖିଥିଲେ। ତାଙ୍କ ମତରେ, ଯେତେବେଳେ ଆମେ ଫିଟ୍ନେସ୍ ଓ ସ୍ବାସ୍ଥ୍ୟ ଉପରେ ଆଲୋଚନା କରୁଛେ, ସେତେବେଳେ ଆମକୁ ପର୍ଯ୍ୟାପ୍ତ ନିଦର ଆବଶ୍ୟକତା ଥାଏ। କାରଣ ଏହାଦ୍ବାରା ବିଭିନ୍ନ ଆହ୍ବାନଗୁଡ଼ିକୁ ସାମ୍ନା କରିବା ପାଇଁ ଶରୀର ଠିକ୍ ଭାବେ ପ୍ରସ୍ତୁତ ହୋଇପାରିଥାଏ।
ନିଦ ସହିତ ଘଟିଥିବା କିଛି କୌତୁହଳ ମୁହୂର୍ତ୍ତକୁ ବାଣ୍ଟିବାକୁ ଯାଇ କୋହଲି କହିଛନ୍ତି ଯେ, ଯେତେବେଳେ ତିନିଦିନିଆ ମ୍ୟାଚ୍ ଖେଳିବାକୁ ସେ କୋଲକାତା ଯାଇଥିଲେ ଏବଂ ଅପରାଜିତ ଶତକ ମାରିବା ପରେ ପରବର୍ତ୍ତୀ ସକାଳ ୬ଟା ସୁଦ୍ଧା ଶୋଉନଥିଲେ। ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଖେଳିବା ପରେ ବିରତି ମଝିରେ ସେ ଶୋଇବାକୁ ଯାଉଥିଲେ। ସମୟ ହୋଇଗଲେ କେହି ନା କେହି ତାଙ୍କୁ ଉଠାଇ ଦେଉଥିଲେ। କିନ୍ତୁ ଏଭଳି ଘଟଣାକୁ ବର୍ତ୍ତମାନ କରିବା ସମ୍ଭବ ନୁହେଁ। କାରଣ ଜଣେ ଭଲରେ ଶୋଇପାରିଲେ ହିଁ ଜୀବନଶୈଳୀ ସୁରୁଖୁରୁରେ ଚାଲିବ। ବିଶେଷକରି ମୋ ଭଳି ଜଣେ ତିନିଟି ଫର୍ମାଟ୍ରେ ଖେଳୁଥିବା ଖେଳାଳିଙ୍କ ପାଇଁ ପର୍ଯ୍ୟାପ୍ତ ନିଦରେ ଶୋଇବା ଜରୁରୀ।
ଯେତେବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯିବାର ଥାଏ, ସେତେବେଳେ ଦିନବେଳା ୩୦ ମିନିଟ୍ ପାଇଁ ଶୋଇପଡ଼ିଲେ ଶରୀରରେ ପୁଣି ଥର ଉର୍ଜା ଭରିଯାଇଥାଏ। ଭଲରେ ଶୋଇବା ପାଇଁ ଜଣେ ବହିର ସହାୟତା ନେଇପାରିବ। ନଚେତ୍ ଜୀବନସାଥୀଙ୍କ ସହିତ ବାର୍ତ୍ତାଳାପ କରିବା ଦ୍ବାରା ମଧ୍ୟ ରାତିରେ ଭଲରେ ନିଦ ହୋଇଥାଏ। ଶୋଇବାକୁ ଯିବା ପୂର୍ବରୁ ବିଭିନ୍ନ ଇଲେକ୍ଟ୍ରୋନିକ୍ ଡିଭାଇସ୍ ସହିତ ସମୟ କମ୍ ବିତାଇବା ଦରକାର ବୋଲି କୋହଲି ପରାମର୍ଶ ଦେଇଛନ୍ତି।