‘ଗୋସାଣୀ’ଙ୍କ କଥା ଓ ଗାଥା

ଶାରଦୀୟ ଦୁର୍ଗାପୂଜାରେ ଶ୍ରୀକ୍ଷେତ୍ରରେ ପୂଜିତ ହେଉଥିବା ମୃଣ୍ମୟୀ ପ୍ରତିମା ‘ଗୋସାଣୀ’ ନାମରେ ପ୍ରସିଦ୍ଧ। ମୁଖ୍ୟତଃ ଆଶ୍ୱିନ ଶୁକ୍ଳ ଅଷ୍ଟମୀଠାରୁ ଦଶମୀ ପର୍ଯ୍ୟନ୍ତ ଏହି ପୂଜା ହୋଇଥାଏ ଏବଂ ଦଶମୀ ପରଦିନ ସେମାନଙ୍କର ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହୁଏ। ଏହା ‘ଗୋସାଣୀ ଯାତ’ ଭାବରେ ଲୋକପ୍ରିୟ।

‘ଗୋସାଣୀ’ ଶବ୍ଦର ଅନେକ ଅର୍ଥ ଅଛି। ଏହାର ଗୋଟିଏ ଅର୍ଥ- ମାଲିକାଣୀ ବା ଖାଉନ୍ଦାଣୀ। ଏହାର ମୂଳ ସଂସ୍କୃତ ‘ଗୋସ୍ୱାମିନୀ’। ‘ସାରଳା ମହାଭାରତ’ର ‘ଆଦିପର୍ବ’ରେ ଏହାର ଦୃଷ୍ଟାନ୍ତ ରହିଛି। ‘ଗଙ୍ଗା’ଙ୍କୁ ‘ଗୋସାମଣୀ’ କୁହାଯାଇଛି।

‘ଗୋସାଣୀ’ ଶବ୍ଦର ଅନ୍ୟ ଦେଶଜ ଅର୍ଥ ମଧ୍ୟ ପିଶାଚୀ, ଡାହାଣୀ ଓ ଚିରଗୁଣୀ ବା ‘ଦୁଷ୍ଟାଦେବୀ’। ‘ମାଦଳା ପାଞ୍ଜି’ରେ ଚଣ୍ଡୀମାନଙ୍କୁ ଏପରି ‘ଦୁଷ୍ଟାଦେବୀ’ ରୂପେ ଚିତ୍ରିତ କରାଯାଇଛି। କୁହାଯାଇଛି- ଚୋଡ଼ଗଙ୍ଗ ଦେବ କର୍ଣ୍ଣାଟ ଦେଶରୁ ଆସି କଟକ ଅଧିକାର କରିବା ସହିତ ଯାଜପୁରଠାରେ ପ୍ରଥମ ନଅର ପ୍ରତିଷ୍ଠା କରିଥିଲେ। ତାଙ୍କର ୨୪ ବର୍ଷ ଓ ୨୯ ଅଙ୍କର ରାଜଭୋଗ କାଳରେ, ସେ ଓଡ଼ିଶାର ଗୋସାଣୀମାନଙ୍କୁ କିଳି ଦେଇଥିଲେ ବା ମନ୍ତ୍ରଦ୍ୱାରା ବନ୍ଦୀ କରିଥିଲେ।

କିନ୍ତୁ ଶ୍ରୀକ୍ଷେତ୍ରରେ ପୂଜିତା ଶାରଦୀୟ ମୃଣ୍ମୟୀ ପ୍ରତିମାମାନଙ୍କୁ ‘ଗୋସାଣୀ’ କୁହାଯିବା ସୂଚାଏ ଯେ ଏହା ଦୁର୍ଗାଙ୍କର ଅନ୍ୟ ନାମ। ଅନେକ ପ୍ରାଚୀନ ପୁରାଣ ଓ ଶାସ୍ତ୍ର-ଗ୍ରନ୍ଥରେ ଏହାର ଉଲ୍ଲେଖ ଅଛି। ବିଶେଷକରି, ଯେଉଁ ସାରଳା ଦାସଙ୍କ ରଚିତ ‘ମହାଭାରତ’ରେ ଏହାକୁ ‘ମାଲିକାଣୀ’ ବା ‘ଖାଉନ୍ଦାଣୀ’ ଅର୍ଥରେ ପ୍ରଯୁକ୍ତ କରାଯାଇଛି, ସେହି ସାରଳା ଦାସଙ୍କ ରଚିତ ‘ଶ୍ରୀଚଣ୍ଡୀପୁରାଣ’ରେ ଏହା ଦେବୀ ଦୁର୍ଗାଙ୍କ ଅର୍ଥରେ ପ୍ରଯୁକ୍ତ ହୋଇଛି।

ମହିଷାସୁର ସହିତ ଦେବୀ ଦୁର୍ଗାଙ୍କର ଯୁଦ୍ଧ ପ୍ରସଙ୍ଗରେ ‘ଶ୍ରୀଚଣ୍ଡୀପୁରାଣ’ରେ ବର୍ଣ୍ଣିତ ଅଛି-
“ପୁଣି ବାରୁଣା ଶସ୍ତ୍ର ଯେ ପେଷିଲେ ଗୋସାମଣୀ
ମୟେଂସାସୁର ଗଦାବୁରୁଜ ପକାଇଲେ ହାଣି।”

କିନ୍ତୁ ଯୁଦ୍ଧରେ ମହିଷାସୁରକୁ ନିହତ କରିବା ପାଇଁ ପୂର୍ବ ବର ଅନୁସାରେ ଦେବୀଙ୍କୁ ବିବସନା ହେବାକୁ ପଡ଼ିଥିଲା। ଏହାର ଭାଗଗର୍ଭକ ବର୍ଣ୍ଣନା କରି ସାରଳା ଦାସ ‘ଶ୍ରୀଚଣ୍ଡୀପୁରାଣ’ରେ କହିଛନ୍ତି-
“ଅନେକ ନିରାକୃତ ବଚନ ଶୁଣିଣ ଦୁର୍ଗତିତାରେଣୀ ଚାମଣ୍ଡା ରୂପ ଯେ ଧଇଲେ ଗୋସାମଣୀ।
ବିବସନ ହୋଇଲେ ଦେବୀ କେଶ ଯେ ମୁକୁଳ କାଛଟାୟେ ପିନ୍ଧିଲେ ଦେବୀ ଦିଶଇ ଜାନୁଯୁଗଳ।
ସ୍ତନମାନ ଦିଶିଲା ଅସୁରକୁ ହୋଇ ଦୃଶ ତ୍ରୈଲୋକ୍ୟକୁ ଭୟେ ଲାଗିଲା ମହାତ୍ରାଶ।”

ଦେବୀ ଦୁର୍ଗାଙ୍କର ଏହି ବିଶେଷତ୍ୱ ସୂଚିତ କରେ ଯେ ସେ ଯେପରି ସଜ୍ଜନଙ୍କ ପାଇଁ ଦୁର୍ଗତିନାଶିନୀ, ସେହିପରି ମଧ୍ୟ ସେ ଦୁର୍ଜନଙ୍କ ପାଇଁ ଦୁଷ୍କୃତଧ୍ୱଂସିନୀ।

ସମ୍ବନ୍ଧିତ ଖବର