ହିନ୍ଦୁ ଧାର୍ମିକ ରୀତିରେ ପ୍ରତି ମାସର ଦ୍ୱାଦଶୀ ତିଥିକୁ ପରମ ପବିତ୍ର ଭାବରେ ଗ୍ରହଣ କରାଯାଏ। ଏଣୁ ପ୍ରତି ମାସର ଦ୍ୱାଦଶୀ ‘କୃଷ୍ଣ’ ଓ ‘ଶୁକ୍ଳ’ ଭେଦରେ ଦ୍ୱିବିଧ। ବିଭିନ୍ନ ମାସର ଏହି ଦ୍ୱାଦଶୀଗୁଡ଼ିକର ଭିନ୍ନଭିନ୍ନ ନାମ ଓ ମହତ୍ତ୍ୱ ରହିଛି। ସେହି ଭାବରେ ଫାଲଗୁନ ଶୁକ୍ଳ ଦ୍ୱାଦଶୀ ‘ଗୋବିନ୍ଦ ଦ୍ୱାଦଶୀ’ ରୂପେ ନାମିତ। ଭଗବାନ ବିଷ୍ଣୁଙ୍କର ଫାଲଗୁନ ମାସର ନାମ ମଧ୍ୟ ଗୋବିନ୍ଦ।

Advertisment

ଫାଲଗୁନ ଶୁକ୍ଳ ଦ୍ୱାଦଶୀ ପୁଷ୍ୟା ନକ୍ଷତ୍ରଯୁକ୍ତ ହେଲେ ସେହି ତିଥିରେ ତୀର୍ଥସ୍ଥାନମାନଙ୍କରେ ସ୍ନାନଯୋଗ ପଡ଼େ। ତିଥି, ବାର ଓ ନକ୍ଷତ୍ର ଅନୁସାରେ ଏହା ‘ସାମାନ୍ୟ’ ବା ‘ବିରଳ’ ହୋଇଥାଏ। ଏହି ସ୍ନାନକୁ ଓଡ଼ିଆରେ ‘ଗୋବିନ୍ଦ ଦ୍ୱାଦଶୀ ବୁଡ଼’ କୁହାଯାଏ।

ଏ ସଂପର୍କରେ ଶାସ୍ତ୍ର ପ୍ରମାଣ ଅଛି ଯେ- ଫାଲଗୁନ ମାସର ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଯଦି ପୁଷ୍ୟାନକ୍ଷତ୍ରର ଶୋଭନ ଯୋଗ ଥାଏ, ସେଦିନଟି ରବିବାର ହୋଇଥାଏ ଏବଂ ସୂର୍ଯ୍ୟ କୁମ୍ଭରାଶିରେ ଓ ବୃହସ୍ପତି ଧନୁ ରାଶିରେ ଅବସ୍ଥାନ କରୁଥନ୍ତି, ତେବେ ସେହିଦିନ ବିରଳ ଗୋବିନ୍ଦ ଦ୍ୱାଦଶୀ ବୁଡ଼ ହୋଇଥାଏ। ଏହିଦିନ ଉପବାସ ରହି ବ୍ରତ ପାଳନ କଲେ ମନୁଷ୍ୟ ଭଗବାନ ବିଷ୍ଣୁଙ୍କର ସାନ୍ନିଧ୍ୟ ଲାଭ କରେ।

ଏହି ବିରଳ ଗୋବିନ୍ଦ ଦ୍ୱାଦଶୀ ବୁଡ଼ ଯୋଗରେ ବ୍ରତଚାରୀମାନେ ଶ୍ରୀକ୍ଷେତ୍ର ପୁରୀକୁ ଆସି, ମହୋଦଧିରେ ସ୍ନାନ କରି, ଶ୍ରୀପୁରୁଷୋତ୍ତମଙ୍କୁ ଦର୍ଶନ କରି ପରମ ପୁଣ୍ୟ ଅର୍ଜନ କରନ୍ତି। ମହୋଦଧିରେ ସ୍ନାନ ସମୟରେ ସେମାନେ କହିଥାଆନ୍ତି, “ହେ ଗୋବିନ୍ଦ, ହେ ପରମାନନ୍ଦ, ହେ ମୁକୁନ୍ଦ!

ଗୋବିନ୍ଦ ଦ୍ୱାଦଶୀ ଯୋଗରେ ଏହି ଲବଣ ସମୁଦ୍ରର ପବିତ୍ର ଜଳରେ ମୁଁ ସ୍ନାନ କରୁଛି। ମୋର ସମସ୍ତ ପାପ ହରଣ କରନ୍ତୁ।”

ଏହା ପରେ, ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥରେ ସେମାନେ ସ୍ନାନକରିବା ଏବଂ ଗୋବିନ୍ଦଙ୍କୁ ଉତ୍ତମ ଆସନରେ ବସାଇ, ପାଦ୍ୟ, ଅର୍ଘ୍ୟ ଦେଇ ପୂଜା କରିବା ବିଧେୟ। “ଓଁ କ୍ଳୀଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନବଲ୍ଲଭାୟ ନମଃ” ମନ୍ତ୍ର ପାଠ କରି ଗୋବିନ୍ଦଙ୍କୁ ପୂଜା କରାଯାଏ।

କେତେକ ଏହି ଦ୍ୱାଦଶୀକୁ ‘ନରସିଂହ ଦ୍ୱାଦଶୀ’ ମଧ୍ୟ କହନ୍ତି। ଶ୍ରୀବିଷ୍ଣୁ ନୃସିଂହ ଅବତାରରେ ଯେପରି ହିରଣ୍ୟକଶିପୁକୁ ବଧ କରି ଭକ୍ତ ପ୍ରହ୍ଲାଦଙ୍କୁ ରକ୍ଷା କରିଥିଲେ, ସେହିପରି ଏହି ତିଥିରେ ପବିତ୍ର ସ୍ନାନ କରି ଗୋବିନ୍ଦଙ୍କୁ ପୂଜା କଲେ ସେ ସ୍ନାନାର୍ଥୀକୁ ସମସ୍ତ ରୋଗବ୍ୟାଧିରୁ ମୁକ୍ତ କରି ନିର୍ମଳ ଜୀବନ ପ୍ରଦାନ କରନ୍ତି ବୋଲି ବିଶ୍ୱାସ ରହିଛି।