‘ପଦ୍ମପୁରାଣ’ର ‘ଉତ୍ତରଖଣ୍ଡ’ରେ ଅଛି କାର୍ତ୍ତିକ ବ୍ରତର ମାହାତ୍ମ୍ୟ କଥା। ସେଥିରେ ବର୍ଣ୍ଣିତ ହୋଇଛି ଗୁଣବତୀ ନାମ୍ନୀ ଜଣେ ପୁଣ୍ୟବତୀଙ୍କ ଆଖ୍ୟାନ। ସେହି ଗୁଣବତୀ ହିଁ ପରଜନ୍ମରେ ସତ୍ୟଭାମା ରୂପେ ଜାତ ହୋଇ ଶ୍ରୀକୃଷ୍ଣଙ୍କୁ ପତି ରୂପେ ପାଇଥିଲେ। ସତ୍ୟଭାମାଙ୍କ ପ୍ରଶ୍ନରେ ସ୍ବୟଂ ଶ୍ରୀକୃଷ୍ଣ ତାଙ୍କୁ ଏହି କାହାଣୀ କହିଛନ୍ତି। ସତ୍ୟଯୁଗର ଶେଷରେ ମାୟାପୁରୀ (ହରଦ୍ବାର)ରେ ଥିଲେ ଜଣେ ଅତ୍ରିକୁଳଜାତ ବ୍ରାହ୍ମଣ। ତାଙ୍କର ନାମ ଥିଲା ଦେବଶର୍ମା। ସେ ଥିଲେ ବେଦବେଦାନ୍ତବିତ୍ ଏବଂ ଅତିଥିପରାୟଣ। ସେ ପ୍ରତିଦିନ ପ୍ରାତଃସ୍ନାନ କରି ସୂର୍ଯ୍ୟପୂଜା କରୁଥିଲେ। ତାଙ୍କର ଏକମାତ୍ର କନ୍ୟା ଥିଲେ ଗୁଣବତୀ। ଚନ୍ଦ୍ର ନାମକ ନିଜର ଜଣେ ଶିଷ୍ୟଙ୍କୁ ସେ ତାଙ୍କୁ ବିବାହ ଦେଇଥିଲେ।
ଦିନେ ଗୁରୁ ଓ ଶିଷ୍ୟ ସମିଧ ପାଇଁ ବନକୁ ଯାଇଥିବା ବେଳେ ଏକ ରାକ୍ଷସ ଦ୍ବାରା ନିହତ ହେଲେ। ପିତା ଓ ପତିଙ୍କୁ ହରାଇ ଗୁଣବତୀ ଶୋକରେ ବିଳାପ କରିବାକୁ ଲାଗିଲେ। ପରେ ନିଜକୁ ସମ୍ବରଣ କରି ସେ ଦୁହିଁଙ୍କର ଦାହସଂସ୍କାର ଓ ଶୁଦ୍ଧିକ୍ରିୟା କରିବା ସହିତ ଭଗବାନ ବିଷ୍ଣୁଙ୍କ ଭଜନରେ ଦିନ ବିତାଇବାରେ ଲାଗିଲେ।
ତା’ ପରଠାରୁ ଗୁଣବତୀ ସାରା ଜୀବନ ଦୁଇଟି ବ୍ରତ କରୁଥିଲେ। ଗୋଟିଏ ଏକାଦଶୀ ଉପବାସ ଏବଂ ଅନ୍ୟଟି କାର୍ତ୍ତିକ ବ୍ରତ। ଭଗବାନ ବିଷ୍ଣୁ ସତ୍ୟଭାମାଙ୍କୁ କହିଲେ- ଏ ଦୁଇ ବ୍ରତ ତାଙ୍କର ଅତ୍ୟନ୍ତ ପ୍ରିୟ। ଏ ଦୁଇଟି ମଧ୍ୟ ଅତ୍ୟନ୍ତ ପୁଣ୍ୟପ୍ରଦ ବ୍ରତ। ଯେଉଁ ବ୍ୟକ୍ତି କାର୍ତ୍ତିକ ମାସରେ ସୂର୍ଯ୍ୟ ତୁଳାରାଶିରେ ଅବସ୍ଥାନ କରୁଥିବା ବେଳେ ପ୍ରାତଃସ୍ନାନ କରନ୍ତି, ସେ ମହାପାପରୁ ବି ମୁକ୍ତ ହୋଇଯାଆନ୍ତି। ଯେଉଁ ବ୍ୟକ୍ତି କାର୍ତ୍ତିକମାସରେ ସ୍ନାନ, ଜାଗରଣ, ଦୀପଦାନ ଓ ତୁଳସୀବନ ପାଳନ କରନ୍ତି, ସେ ସାକ୍ଷାତ୍ ବିଷ୍ଣୁଙ୍କର ସ୍ବରୂପ ହୋଇଯାଆନ୍ତି। କାର୍ତ୍ତିକମାସରେ ଯେ ବିଷ୍ଣୁ ମନ୍ଦିର ମାର୍ଜନ କରନ୍ତି, ସେ ଜୀବନ୍ମୁକ୍ତ ହୁଅନ୍ତି। ଏହିପରି ଭାବରେ ଗୁଣବତୀ ନିଷ୍ଠା ଓ ଭକ୍ତିର ସହିତ ଏକାଦଶୀ ଓ କାର୍ତ୍ତିକ ବ୍ରତ ପାଳନ କରିବା ଫଳରେ ତାଙ୍କୁ ବୈକୁଣ୍ଠ ପ୍ରାପ୍ତି ହୋଇଥିଲା। ଦ୍ବାପର ଯୁଗରେ, ଯେତେବେଳେ ବ୍ରହ୍ମା ଆଦି ଦେବଗଣଙ୍କ ପ୍ରାର୍ଥନାରେ ଭଗବାନ ବିଷ୍ଣୁ କୃଷ୍ଣ ରୂପେ ମର୍ତ୍ତ୍ୟରେ ଜନ୍ମ ନେଲେ, ସେତେବେଳେ ଦେବଶର୍ମା ସତ୍ରାଜିତ୍ ରୂପେ ଏବଂ ଗୁଣବତୀ ତାଙ୍କର କନ୍ୟା ସତ୍ୟଭାମା ରୂପେ ଜନ୍ମଗ୍ରହଣ କରିଥିଲେ। ପୂର୍ବ ଜନ୍ମରେ ଏକାଦଶୀ ଓ କାର୍ତ୍ତିକବ୍ରତ ପାଳନ କରି ଅଶେଷ ପୁଣ୍ୟ ଅର୍ଜନ କରିଥିବାରୁ ସତ୍ୟଭାମା ତାଙ୍କର ଏହି ଜନ୍ମରେ ଶ୍ରୀକୃଷ୍ଣଙ୍କୁ ପତି ରୂପେ ପାଇଥିଲେ।