ଗୁରୁ ପଞ୍ଚମୀ କଥା

ପୁରାଣବର୍ଣ୍ଣିତ ନବଗ୍ରହଙ୍କ ମଧ୍ୟରୁ ପଞ୍ଚମ ଗ୍ରହ ହେଉଛନ୍ତି ବୃହସ୍ପତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସାଧାରଣତଃ ଏହି ଗ୍ରହମାନେ ମନୁଷ୍ୟର ଭାଗ୍ୟ ନିୟନ୍ତ୍ରଣ କରିଥାନ୍ତି। ସେହି ଅନୁସାରେ ପଞ୍ଚମ ଗ୍ରହ ବୃହସ୍ପତି ଯଦି ଜନ୍ମକୁଣ୍ଡଳୀର ପଞ୍ଚମ ସ୍ଥାନରେ ରହିଥାନ୍ତି, ତେବେ ମନୁଷ୍ୟ ଏକାଧାରରେ ଧନୀ, ମାନୀ ଓ ଜ୍ଞାନୀ ହେଇଥାଏ।

ଏଇଠି ପ୍ରଶ୍ନ ଉଠେ, ଏ ବୃହସ୍ପତି କିଏ? ଗ୍ରହରାଜ୍ୟରେ ବୃହସ୍ପତି ଏକ ଅନନ୍ୟ ସ୍ଥାନ ଗ୍ରହଣ କରିଥିଲେ ମଧ୍ୟ, ଏହାଙ୍କର ସର୍ବୋତ୍ତମ ପରିଚୟ ହେଉଛି, ସେ ଦେବଗୁରୁ। ସେ ଦେବତାମାନଙ୍କର ଉପଦେଷ୍ଟା ଓ ପଥପ୍ରଦର୍ଶକ। ଅଗ୍ନିଙ୍କ ଆଶୀର୍ବାଦରୁ ସେ ଅଙ୍ଗିରା ମୁନି ଓ ସୁତପାଙ୍କର ପୁତ୍ର ଭାବରେ ଜନ୍ମ ଗ୍ରହଣ କରିଥିଲେ। ସେ ଏକାଧାରରେ ଧର୍ମଶାସ୍ତ୍ର, ନୀତିଶାସ୍ତ୍ର ଓ ବାସ୍ତୁଶାସ୍ତ୍ରର ପ୍ରଣେତା ଅଟନ୍ତି। ଦେବଗୁରୁ ଭାବରେ ସେ ସର୍ବଦା ଦେବତାମାନଙ୍କୁ ଯଥୋଚିତ ଦିଗ୍‌ଦର୍ଶନ ଦେଇ ସେମାନଙ୍କୁ ରାକ୍ଷସ ଓ ଦୈତ୍ୟମାନଙ୍କର ଅତ୍ୟାଚାରରୁ ରକ୍ଷା କରିଥାନ୍ତି। ଏପରିକି ବିପଦର ଆଶଙ୍କା ଥିଲେ ମଧ୍ୟ, ସଂଜୀବନୀ ମନ୍ତ୍ର ଶିକ୍ଷା କରିବା ନିମନ୍ତେ ସେ ନିଜ ପୁତ୍ର କଚକୁ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ନିକଟକୁ ପଠାଇଥିଲେ।

କେବଳ ଦେବତା ନୁହନ୍ତି, ମଣିଷମାନଙ୍କର ମଧ୍ୟ ସେ ପରମ ହିତୈଷୀ ଅଟନ୍ତି। ସେ ଅଭୀଷ୍ଟଦର୍ଶୀ ଓ ଜୟଦାତା। ପ୍ରାଣୀମାନଙ୍କ ହୃଦୟରେ ଚେତନା ଜାଗ୍ରତ କରିବାକୁ ସେ ସମର୍ଥ। ଦେବଲୋକ କାମନାକାରୀମାନଙ୍କୁ ସେ ଯଥେଷ୍ଟ ଫଳ ପ୍ରଦାନ କରିଥାନ୍ତି। ‘ରୂପମଣ୍ଡନ’ ଆଦି ଗ୍ରନ୍ଥରେ ବୃହସ୍ପତିଙ୍କର ଯେଉଁ ବର୍ଣ୍ଣନା ଅଛି, ସେଥିରେ ସେ ସପ୍ତମୁଖ, ସପ୍ତରଶ୍ମି, ମିଷ୍ଟଜିହ୍ୱ, ନୀଳପୃଷ୍ଠ, ତୀକ୍ଷ୍‌ଣଶୃଙ୍ଗ ଓ ଶତପତ୍ର ବିଶିଷ୍ଟ ଅଟନ୍ତି। ସେ ହିରଣ୍ୟ ଓ ଲୋହିତ ବର୍ଣ୍ଣ। ଲୋହିତ ବର୍ଣ୍ଣର ଅଶ୍ୱ ତାଙ୍କ ରଥ ଟାଣିଥାଏ। ଅଗ୍ନିଙ୍କ ସଦୃଶ ସେ ତ୍ରିଲୋକବାସୀ। ମନ୍ତ୍ରର ଅଧିପତି ଭାବରେ ସେ ପ୍ରଖ୍ୟାତ। ଆବଶ୍ୟକ ପଡ଼ିଲେ ସେ ଅସ୍ତ୍ର ମଧ୍ୟ ଧାରଣ କରିଥାନ୍ତି। ତାଙ୍କର କୃପା ବ୍ୟତୀତ କାହାକୁ ଯଜ୍ଞଫଳ ଲାଭ ହୁଏ ନାହିଁ। ସପ୍ତାହର ପଞ୍ଚମ ବାରଟି ତାଙ୍କ ନାମରେ ଉତ୍ସର୍ଗୀକୃତ। ତେଣୁ ବିଦ୍ୟାରମ୍ଭ ନିମିତ୍ତ ଗୁରୁବାରକୁ ଶ୍ରେଷ୍ଠ ବାର ଭାବରେ ଗ୍ରହଣ କରାଯାଇଥାଏ। ଧନଧାନ୍ୟର ଦେବୀ ଲକ୍ଷ୍ମୀଙ୍କର ମଧ୍ୟ ଏହି ବାରଟି ଅତି ପ୍ରିୟ।

ବ୍ୟାସଙ୍କୁ ଯେପରି ବିଷ୍ଣୁଙ୍କର ଅନନ୍ୟ ରୂପ (“ବ୍ୟାସାୟ ବିଷ୍ଣୁରୂପାୟ”) ଭାବରେ କଳ୍ପନା କରାଯାଇଥାଏ, ସେହିପରି ବୃହସ୍ପତିଙ୍କୁ ଯଜ୍ଞରକ୍ଷାକର୍ତ୍ତା, ସର୍ବମୟ ପିତା ଓ ସର୍ବଦେବତା ସ୍ୱରୂପ ଭାବରେ ବନ୍ଦନା କରାଯାଇଛି। ସମ୍ଭବତଃ ସେଥିପାଇଁ ତାଙ୍କର ସର୍ବକଲ୍ୟାଣକାରୀ ରଥକୁ ‘ନୀତିଘୋଷ’ ଓ ସେ ଧାରଣ କରିଥିବା ଧନୁର ଜ୍ୟାକୁ ‘ଋତ’ (ସତ୍ୟ) କୁହାଯାଇଛି।

ତେଣୁ ଆଷାଢ଼ ପୂର୍ଣ୍ଣିମା ତିଥି ଯେପରି ମନୁଷ୍ୟମାନଙ୍କର ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ଗୁରୁ ବ୍ୟାସଦେବଙ୍କ ଜନ୍ମଦିନ ରୂପେ ଗୁରୁପୂର୍ଣ୍ଣିମା ଭାବରେ ପରିଚିତ, ଫାଲଗୁନ ଶୁକ୍ଳପଞ୍ଚମୀ ତିଥି ସେହିପରି ଦେବଗୁରୁ ବୃହସ୍ପତିଙ୍କ ନିମିତ୍ତ ଉତ୍ସର୍ଗିତ।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର