ଚୁଟି କଟାରେ ଖେଳାଳିଙ୍କୁ ଅନୁକରଣ, କୋହଲିଙ୍କ ଦାଢ଼ି ପାଣ୍ଡ୍ୟାଙ୍କ କଲର

ଚାରିଆଡ଼େ ଏବେ ଖାଲି କ୍ରିକେଟ୍ ଆଉ କ୍ରିକେଟ୍। କେବେ ଖେଳାଳିଙ୍କୁ ନେଇ ଚର୍ଚ୍ଚା ତ କେବେ ଦଳକୁ ନେଇ ଖଟି ଜମୁଛି। ବିଶ୍ବକପ୍ କ୍ରିକେଟ୍ର ଏହି ମହାପର୍ବ କୋଟିକୋଟି କ୍ରିକେଟ୍‌ପ୍ରେମୀଙ୍କୁ ଖାଲି ଟିଭି ପରଦା ଆଗରେ ବାନ୍ଧି ରଖୁନି ବଛାବଛା କ୍ରିକେଟରଙ୍କୁ ନିଜର ପ୍ରିୟ ଖେଳାଳି ଭାବେ ନିଆରା ଢଙ୍ଗରେ ସମର୍ଥନ କରୁଛନ୍ତି କିଛି ଯୁବପିଢ଼ି। ବିଶେଷକରି ଚର୍ଚ୍ଚାରେ ଥିବା କ୍ରିକେଟରଙ୍କ ଷ୍ଟାଇଲ୍‌ ମାୟାରେ ପଡ଼ିଛନ୍ତି କିଛି ଯୁବ କ୍ରିକେଟ୍‌ପ୍ରେମୀ। ଏତେ ଉତ୍ସାହିତ ଯେ, କିଛି କ୍ରିକେଟରଙ୍କ ହେୟାର ଷ୍ଟାଇଲ୍‌କୁ ନିଜ ମାଧ୍ୟମରେ ପରିପ୍ରକାଶ କରି ସମର୍ଥନର ନୂଆ ଫଣ୍ଡା ଆପଣାଉଛନ୍ତି। ସେମାନଙ୍କ ମଧ୍ୟରେ ଏପ୍ରକାର ଅଭିପ୍ସାକୁ ସାକାର ରୂପ ଦେବା ପାଇଁ ହେୟାର ଡିଜାଇନରମାନେ ବି ସେବା ଯୋଗାଇ ଦେଉଛନ୍ତି। ଏନେଇ ରାଜଧାନୀର ବିଭିନ୍ନ ଷ୍ଟାଇଲିଷ୍ଟ୍ ହେୟାର ଡିଜାଇନର ସ୍ବତନ୍ତ୍ର ଭାବେ ନିୟୋଜିତ ହୋଇଛନ୍ତି। ଏଥିପାଇଁ ଚଢ଼ା ଦର ଦେବାକୁ ପଡ଼ୁଥିଲେ ବି ଦେବାକୁ ପଛାଉନାହାନ୍ତି।
ପ୍ରସ୍ତୁତି: ବିବୁଧ ମହାନ୍ତି

କୋହଲି ଚୁଟି, ଦାଢ଼ି ପ୍ରଥମ ପସନ୍ଦ
ଚୁଟି ଡିଜାଇନ୍ କରିବା ପାଇଁ ଖେଳପ୍ରେମୀ ତଥା ଯୁବପିଢ଼ିଙ୍କ ମଧ୍ୟରେ ଭାରତୀୟ ଦଳର କ୍ୟାପ୍‌ଟେନ୍ ବିରାଟ କୋହଲିଙ୍କର କ୍ରେଜ୍ ସବୁଠାରୁ ଅଧିକ ରହିଛି। କାନ ଉପରୁ ଦୁଇ ପାର୍ଶ୍ବରୁ ଚୁଟି ଅତି ପତଳା କରାଯାଉଥିବା ବେଳେ ମଝିରେ ଚୁଟିଗୁଡ଼ିକ କଟା ଯାଉନାହିଁ। ଅର୍ଥାତ ବ୍ୟାକ୍‌କ୍ରସ ହୋଇ ରହୁଛି। ଏଭଳି ଏକ ଡିଜାଇନ୍ ପାଇଁ ପାର୍ଲର ତଥା ସେଲୁନ୍‌ରେ ଚାହିଦା ରହୁଛି। ଏଥିପାଇଁ ଡିଜାଇନରକୁ କୌଣସି ପ୍ରକାରର କାଟାଲଗ୍‌ ଦେଖାଇବାକୁ ପଡ଼ୁନାହିଁ, ବରଂ କୋହଲି ଷ୍ଟାଇଲ୍ କହିଦେଲେ ଚୁଟି କଟା ଆରମ୍ଭ ହେଉଛି। ଚୁଟି ସହିତ ଦାଢ଼ି ମଧ୍ୟ ଅନୁରୂପ ଢଙ୍ଗରେ କଟାଯାଉଛି।

ପାଣ୍ଡ୍ୟାଙ୍କ କଲର ଷ୍ଟାଇଲ୍
କୋହଲିଙ୍କ ପରେ ଭାରତୀୟ ଦଳର ହିଟର ବ୍ୟାଟ୍ସମ୍ୟାନ୍ ହାର୍ଦିକ ପାଣ୍ଡ୍ୟାଙ୍କର ନିଆରା ଷ୍ଟାଇଲ୍‌କୁ ଆପଣେଇବାକୁ ଚାହୁଁଛନ୍ତି ଅନେକ। ପାଣ୍ଡ୍ୟାଙ୍କର ଚୁଟିର ମଧ୍ୟ ଭାଗରେ ମାଟିଆ ରଙ୍ଗ ମରାଯାଇ ରଙ୍ଗିନ କରାଯାଉଛି। ତେବେ ପାଣ୍ଡ୍ୟା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଡିଜାଇନ୍ କରୁଥିବାରୁ ଡିଜାଇନରଙ୍କୁ ପାଣ୍ଡ୍ୟା କାଟାଲଗ୍ ଦେଖାଇବାକୁ ପଡ଼ୁଛି। ରଙ୍ଗ ମାରିବା ଅପେକ୍ଷା ଅନେକ ଚୁଟିର ଷ୍ଟାଇଲ୍‌କୁ ପୂରା ଉତାରିବାକୁ ପସନ୍ଦ କରୁଛନ୍ତି।

ନୂଆ ଟ୍ରେଣ୍ଡ୍ ମାୟାରେ ୧୬ରୁ ୨୫ ବର୍ଷୀୟ ଯୁବକ
ବିଶେଷକରି ୧୬ରୁ ୨୫ ବର୍ଷୀୟ ଯୁବକମାନେ ଖେଳାଳିଙ୍କ ଚୁଟି କଟା ଶୈଳୀରେ ଚୁଟିକାଟିବାକୁ ପସନ୍ଦ କରୁଛନ୍ତି। ୭୦ ପ୍ରତିଶତ ଯୁବକ ଖେଳାଳିଙ୍କ ଶୈଳୀରେ ଚୁଟି କାଟିବାକୁ ଇଚ୍ଛା କରିଥାଆନ୍ତି। ଆଗରୁ କାଟାଲଗ୍‌ ଦେଖି ସେମାନେ ନିଜ ଚୁଟିର ଷ୍ଟାଇଲ୍ କେମିତି କରିବେ ନିର୍ଧାରଣ କରୁଥିଲେ। କିନ୍ତୁ ଏବେ ଖେଳାଳିଙ୍କ ନାଁ କହି ଚୁଟି କାଟିବାକୁ ପ୍ରାଧାନ୍ୟ ଦେଉଛନ୍ତି। ହକି ବିଶ୍ବକପ୍ ଚାଲିଥିବା ସମୟରେ ହକି କେତେକ ହକି ଖେଳାଳିଙ୍କୁ ସମର୍ଥନ ପୂର୍ବକ ତାଙ୍କ ଶୈଳୀରେ କିଛି ଯୁବକ ଚୁଟି କାଟିଥିଲେ। ଏହା ବ୍ୟତୀତ କୌଣସି ଫିଲ୍ମ ହିଟ୍ ହେଲେ ସେହି ଚଳଚ୍ଚିତ୍ରର ନାୟକଙ୍କ ଭଳି ଚୁଟି କାଟିବାକୁ ଡିମାଣ୍ଡ୍ ଆସେ। ଏମିତି ଭିନ୍ନଭିନ୍ନ ଡିଜାଇନ୍‌ରେ ଚୁଟି କାଟିବାର ଦର ୫ଶହରୁ ୧୫ଶହ ପର୍ଯ୍ୟନ୍ତ ରହିଛି। ତେବେ ଚୁଟିର ସ୍ଥିତିକୁ ନେଇ ଦର ଧାର୍ଯ୍ୟ ହୋଇଥାଏ।
ନେପାଲ ଗୋସ୍ବାମୀ
ଜେନେରାଲ ମ୍ୟାନେଜର, ମାର୍କେଟିଂ ଆଣ୍ଡ୍ ଅପରେସନସ୍, ନିଉ ଲିଫ୍

ନେମାର୍ ସବୁଠୁ ଆଗରେ
ବ୍ରାଜିଲ୍‌ର ଚର୍ଚ୍ଚିତ ଫୁଟ୍‌ବଲ ଖେଳାଳି ନେମାର୍‌ଙ୍କ ଢଙ୍ଗରେ ଚୁଟି କାଟିବାକୁ ସର୍ବାଧିକ ପସନ୍ଦ କରୁଛନ୍ତି। ଆର୍ଜେଣ୍ଟିନାର ମେସି ଓ ଖ୍ରୀଷ୍ଟିଆନୋ ରୋନାଲ୍ଡୋଙ୍କ ଶୈଳୀରେ ଚୁଟି କାଟିବାକୁ ମଧ୍ୟ ଅନେକ ପସନ୍ଦ କରୁଥିବା ହେୟାର ଡିଜାଇନର ନେପାଲ ଗୋସ୍ବାମୀ କହିଛନ୍ତି। ଏହା ବ୍ୟତୀତ ଅନେକ ଯୁବବର୍ଗ କିଛି ଖେଳାଳିଙ୍କୁ ଭଲ ଭାବରେ ଚିହ୍ନିନଥିଲେ ମଧ୍ୟ ଚୁଟି ଡିଜାଇନ୍ ନିଜ ସାଙ୍ଗମାନଙ୍କଠୁ ଅନୁକରଣ କରି ଖେଳାଳିଙ୍କ ଢଙ୍ଗରେ କାଟୁଥିବା ପରିଲକ୍ଷିତ ହେଉଛି। କାନ ଉପରୁ ଉଭୟ ପାର୍ଶ୍ବରୁ ଚୁଟି ସମ୍ପୂର୍ଣ୍ଣ କଟା ଯାଉଥିବା ବେଳେ ମଝିରେ ରହୁଥିବା ଚୁଟିରେ ସମ୍ପୂର୍ଣ୍ଣ ଭାବେ ଧଳା ରଙ୍ଗ ମରାଯାଉଛି। କେତେକ ଏହାକୁ ଭିନ୍ନଭିନ୍ନ ରଙ୍ଗ ଦେବାକୁ ପସନ୍ଦ କଲେଣି।

ସମ୍ବନ୍ଧିତ ଖବର