ହରିୟାଣା: କଥାରେ ଅଛି ଯେ ଦେଶ ଯାଇ, ସେ ଫଳ ଖାଇ। ଅର୍ଥାତ ପ୍ରତ୍ୟେକ ଅଞ୍ଚଳର ଚାଲିଚଳନ, କଥାବାର୍ତ୍ତା, ଖାଦ୍ୟପେୟରୁ ନେଇ ସାମାଜିକ ପରମ୍ପରା ବି ଭିନ୍ନ ହୋଇଥାଏ। ଆମେ କହୁଛୁ ହରିୟାଣାର ଭିୱାନିରେ ଥିବା ମଧୁବାସ ଗ୍ରାମ ବିଷୟରେ।
ଏହି ଗାଁରେ ଏପରି ଏକ ପରମ୍ପରା ଅଛି, ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମଧୁବାସ ଗ୍ରାମରେ ଥିବା ପ୍ରତ୍ୟେକ ପରିବାରରେ ପ୍ରାୟ ୨ରୁ ନେଇ ୭ଟି ଲେଖାଏଁ ଗାଈ ରହିଛନ୍ତି।
ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଗୋପାଳନ କରି ମଧ୍ୟ ଏହି ଗାଁର ଲୋକମାନେ ଦୁଗ୍ଧ ବେପାର କରିପାରନ୍ତି ନାହିଁ। ଅର୍ଥାତ କେହି ବି ହେଲେ ଦୁଗ୍ଦ ବିକ୍ରି କରନ୍ତିନି। ଗାଈ କ୍ଷୀରରୁ ଘିଅ ମାରି ବିକନ୍ତି ପଛେ, ସିଧା କ୍ଷୀର ବିକ୍ରି କରନ୍ତିନି ଏହି ଗାଁର ବାସିନ୍ଦା।
ଏପରି ଏକ ପରମ୍ପରା ଗାଁରେ ଅନେକ ବର୍ଷରୁ ଚାଲିଆସୁଛି। ଶୁଣିବାକୁ ମିଳେ, ଗୋଟାଏ ସମୟ ଥିଲା ଯେବେ ଗାଁର ସବୁ ଗୋରୁ ରୋଗରେ ପଡ଼ି ଯାଉଥିଲେ। ସେମାନେ ରୋଗରେ ପଡ଼ିବାରୁ ଗୋରୁ ମୃତ୍ୟୁ ବୃଦ୍ଧି ପାଉଥିଲା। ଏହାକୁ ରୋକିବା ପାଇଁ ଜଣେ ବୟୋଜ୍ୟଷ୍ଠ ବ୍ୟକ୍ତି କହିଥିଲେ ଯେ ଗୋରୁମାନଙ୍କୁ ଈଶ୍ବର ସୁରକ୍ଷିତ ରଖନ୍ତୁ, ଆମେ ଆଉ କ୍ଷୀର ବିକିବୁ ନାହିଁ।
ତା’ପରେ ଧୀରେ ଧୀରେ ରୋଗ କମି ଯାଇଥିଲା। ସେହି ବ୍ୟକ୍ତିଙ୍କ କଥା ମାନି କ୍ଷୀର ବିକ୍ରି କରିବା ପୂରା ଗାଁରୁ ବନ୍ଦ ହୋଇଗଲା। ତେବେ ଗ୍ରାମବାସୀ କହନ୍ତି ଯେ ସେହି ଦିନରୁ ଯିଏ ବି କ୍ଷୀର ବିକ୍ରି କରିଛି ତା’ ଘରେ କିଛି ନା କିଛି ଅଘଟଣ ନିଶ୍ଚୟ ଘଟିଛି।
ବିଜ୍ଞାନ ଯୁଗରେ ଏହାକୁ ଏକ ଅନ୍ଧବିଶ୍ବାସ ବୋଲି କୁହାଯାଇପାରେ, କିନ୍ତୁ ମଧୁବାସ ଗ୍ରାମବାସୀଙ୍କ ପାଇଁ ଏହି ପରମ୍ପରା ଏକ ବିଶ୍ବାସର କଥା କହେ।