ସୋରିଷ ତେଲ ଖାଇବା ଠିକ୍‌ ନା ଭୁଲ୍‌

ଭାରତ, ରୋମ୍‌ ଓ ଗ୍ରିସ୍‌ରେ ପ୍ରାଚୀନ କାଳରୁ ସୋରିଷ ତେଲ ରୋଷେଇ ଓ ଔଷଧୀୟ ତେଲ ଭାବେ ବ୍ୟବହୃତ ହୋଇ ଆସୁଛି। ସୋରିଷ ମଞ୍ଜି ପେଡ଼ାଯାଇ ବାହାର କରାଯାଉଥିବା ବାଦାମିଆ ସ୍ୱାଦର ଏହି ତେଲ ସ୍ୱାସ୍ଥ୍ୟ ପାଇଁ ଅମୃତ ତୁଲ୍ୟ।

ମୁଫା, ପୁଫା, ଓମେଗା ଥ୍ରି ଓ ସିକ୍ସ, ଭିଟାମିନ୍‌ ଇ, ଖନିଜ ଲବଣ ଏବଂ ଆଣ୍ଟି-ଅକ୍ସିଡାଣ୍ଟ୍‌ରେ ସମୃଦ୍ଧ ଖାଣ୍ଟି ସୋରିଷ ତେଲରେ ରହିଛି କଡ଼ା ଅଣୁଜୀବ ନିରୋଧି ଓ ସଂକ୍ରମଣ ନିରୋଧି ଉପାଦାନ। ତେଣୁ ଏହା ହୃତ୍‌ପିଣ୍ଡ ପାଇଁ ଭଲ ହେବା ସହ କର୍କଟ ରୋଗ ହେବାର ଆଶଙ୍କାକୁ ଦୂରେଇ ଦେଇଥାଏ।

ସୋରିଷ ତେଲ ସ୍ନାୟୁତନ୍ତ୍ରୀକୁ ସକ୍ରିୟ କରାଇବାରେ ଅଦ୍ୱିତୀୟ। ଏହା ରକ୍ତ ସଞ୍ଚାଳନ ଓ ମେଟାବୋଲିଜମ୍‌ ବଢ଼ାଇବା ସହିତ ଜମାଟ ବାନ୍ଧିଥିବା ସାଇନସ୍‌ ପରିଷ୍କାର କରେ। ସବୁଠୁ ବଡ଼ କଥା ହେଲା ସୋରିଷ ତେଲ ହଜମକ୍ରିୟା ଚଳଚଞ୍ଚଳ କରେ।

ବହୁ ମାତ୍ରାରେ ମନୋଅନ୍‌ସାଚ୍ୟୁରେଟେଡ୍‌ ଫ୍ୟାଟି ଏସିଡ୍‌ ବା ମୁଫା ଥିବାରୁ ନିୟମିତ ସୋରିଷ ତେଲ ଖାଇଲେ କୋଲେଷ୍ଟେରୋଲ୍‌ ପରିମାଣ କମି ହୃଦ୍‌ପିଣ୍ଡ ସୁସ୍ଥ ରହେ ଓ ରକ୍ତଚାପ ନିୟନ୍ତ୍ରଣରେ ରହେ।

ସୋରିଷ ତେଲ ବହଳିଆ ଓ ଭିଟାମିନ୍‌ ଇ’ରେ ଭରପୂର ହୋଇଥିବାରୁ ଏହାକୁ ଦେହରେ ଲଗାଇଲେ ପ୍ରାକୃତିକ ସନ୍‌ସ୍କ୍ରିନ୍‌ ଭଳି କାମ କରେ। ଚର୍ମର ଛିଦ୍ର ସବୁ ଉନ୍ମୁକ୍ତ କରି ଝାଳ ନିର୍ଗତ କରାଉଥିବାରୁ ଏହାକୁ ପ୍ରାକୃତିକ ବିଶୋଧକ ବୋଲି କୁହାଯାଏ। ସୋରିଷ ତେଲ ମାଲିସ କରିବା ଦ୍ୱାରା ଦେହରେ ଥିବା କଳାଦାଗ କ୍ରମେ ଝାପ୍‌ସା ହୋଇ ଚେହେରାର କାନ୍ତି ବଢ଼ିଥାଏ।

ସୋରିଷ ତେଲ ଲଗାଇଲେ ମୁଣ୍ଡର ଚର୍ମ ଆର୍ଦ୍ର ରହିବ ଏବଂ ଏଥିରେ ଥିବା ପ୍ୟାଟି ଏସିଡ୍‌ ରୁପି ଓ କବକ ସଙ୍କ୍ରମଣ କମାଇ କେଶ ଝଡ଼ିବା ବନ୍ଦ କରିଥାଏ। ସୋରିଷ ତେଲରେ ସମ ପରିମାଣର ଖାଣ୍ଟି ନଡ଼ିଆ ତେଲ ମିଶାଇ ଲଗାଇଲେ କେଶ ସୁସ୍ଥ ରହେ।

ସୋରିଷ ତେଲ ଉଭୟ ଶରୀର ବାହାରେ ଏବଂ ଭିତରେ ଥିବା ଅପକାରୀ ଅଣୁଜୀବଙ୍କ ସହ ଲଢ଼ିଥାଏ। ଦେହ ଭିତରେ ଏହା କଲୋନ୍‌, ଅନ୍ତଃନଳୀ ଏବଂ ହଜମକ୍ରିୟାର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗରେ ଥିବା ଅପକାରୀ ଅଣୁଜୀବଙ୍କୁ ନଷ୍ଟ କରିଥାଏ। ଚର୍ମରେ ଥିବା ଅପକାରୀ ବ୍ୟାକ୍‌ଟେରିଆ ଓ କବକଙ୍କୁ ନଷ୍ଟ କରି ଚେହେରାର ଚମକ ବଜାୟ ରଖେ।

ସମ୍ବନ୍ଧିତ ଖବର