ଆମେ ସମସ୍ତେ ପିଲାଦିନେ ‘ସ୍ବାସ୍ଥ୍ୟ ହିଁ ସମ୍ପଦ’ ଉକ୍ତିଟିକୁ ନିଶ୍ଚୟ ପଢ଼ିଥିବା ବା ଶୁଣିଥିବା। ଯଦି ଆମ ଶରୀର ସୁସ୍ଥ ନୁହେଁ, ତେବେ ଆମ ସ୍ବପ୍ନକୁ ସାକାର କରିବା କଷ୍ଟସାଧ୍ୟ। ଯେ କୌଣସି ସଫଳତା ପାଇଁ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଅପରିହାର୍ଯ୍ୟ। ସେଥିପାଇଁ ତ ଆମ ସଂସ୍କୃତି କହେ- ‘ଶରୀରମାଦ୍ୟଂ ଖଳୁ ଧର୍ମସାଧନମ୍‌’। ତେବେ ଆମ ବ୍ୟସ୍ତ ଜୀବନଶୈଳୀ ଅନେକ ସମୟରେ ଆମର ସ୍ବାସ୍ଥ୍ୟରୂପୀ ସମ୍ପଦର ସୁରକ୍ଷା ଦିଗରେ ବାଧକ ସାଜେ। ଆମେ ଅନ୍ୟ ସବୁ ଜିନିଷକୁ ଗୁରୁତ୍ବ ଦେଉଥିବା ବେଳେ ଆମ ସ୍ବାସ୍ଥ୍ୟ କଥା ପ୍ରାୟତଃ ଭୁଲିଯାନ୍ତି, ଯାହା ପରବର୍ତ୍ତୀ ସମୟରେ ଆମ ପାଇଁ ସମସ୍ୟା ସୃଷ୍ଟି କରେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଦ୍ବାରା ପ୍ରତିବର୍ଷ ଏପ୍ରିଲ୍‌ ମାସ ୭ ତାରିଖରେ ‘ବିଶ୍ବ ସ୍ବାସ୍ଥ୍ୟ ଦିବସ’ ପାଳନ କରାଯାଏ। ଆମ ଜୀବନରେ ସ୍ବାସ୍ଥ୍ୟର ଗୁରୁତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସ୍ଥାପନା ୧୯୪୮ ମସିହାରେ ହୋଇଥିଲା। ସମସ୍ତଙ୍କ ସ୍ବାସ୍ଥ୍ୟର ସୁରକ୍ଷା ତଥା ଏକ ସୁସ୍ଥ ଜୀବନଶୈଳୀ ବିଷୟରେ ସଚେତନତା ସୃଷ୍ଟି କରିବା ଥିଲା ଏହାର ପ୍ରମୁଖ ଉଦ୍ଦେଶ୍ୟ। ୧୯୫୦ ମସିହା ଏପ୍ରିଲ ୭ ତାରିଖରେ ପ୍ରଥମ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ ହୋଇଥିଲା। ସେବେଠାରୁ ଏହା ନିୟମିତ ଭାବେ ପାଳିତ ହୋଇ ଆସୁଅଛି। ବର୍ତ୍ତମାନ ସମୟରେ ଚିକିତ୍ସା ବିଜ୍ଞାନରେ ଦ୍ରୁତ ଉନ୍ନତି ହେବା ସହ ନୂତନ ଗବେଷଣା ଓ ପ୍ରୟୋଗ ଆଦି ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ଗବେଷଣା ଓ ପ୍ରୟୋଗର ସୁଫଳ ସାଧାରଣ ଲୋକମାନଙ୍କ ପାଖରେ ପହଞ୍ଚିବା ଆବଶ୍ୟକ।

Advertisment

ସେଥିପାଇଁ ସବୁସ୍ତରରେ ପ୍ରାୟାସ ଜରୁରୀ। ବିଶ୍ବ ସ୍ବାସ୍ଥ୍ୟ ଦିବସର ଅନ୍ୟ ଏକ ଲକ୍ଷ୍ୟ ହେଉଛି ସ୍ବାସ୍ଥ୍ୟସେବାକୁ ଲୋକାଭିମୁଖୀ କରିବା ଦିଗରେ ସଚେତନତା ଓ ସହଭାଗିତା ସୃଷ୍ଟି କରିବା। ଆମ ନିଜ ସ୍ବାସ୍ଥ୍ୟ ବିଷୟରେ ଆମେ ନିଜେ ସଚେତନ ହେବା ଆବଶ୍ୟକ। ଆମ ଜୀବନରେ ସ୍ବାସ୍ଥ୍ୟ ଉପଯୋଗୀ ପରିବର୍ତ୍ତନ ଆଣି ଏକ ସୁସ୍ଥ ଜୀବନଶୈଳୀକୁ ଆପଣାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆମ ଅଭ୍ୟାସ ବିଷୟରେ ମଧ୍ୟ ସଚେତନ ହେବା ଦରକାର। ଖରାପ ଅଭ୍ୟାସକୁ ନିଜଠାରୁ ଦୂରେଇ ରଖିଲେ ଆମେ ଆମ ସ୍ବାସ୍ଥ୍ୟର ସୁରକ୍ଷା କରିପାରିବା। ଏହିବର୍ଷ ବିଶ୍ବ ସ୍ବାସ୍ଥ୍ୟ ଦିବସର ବିଷୟ ରହିଛି ‘ସଭିଙ୍କ ପାଇଁ ସ୍ବାସ୍ଥ୍ୟ’। ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଗୁରୁତ୍ବପୂର୍ଣ୍ଣ। ତେଣୁ ଆବଶ୍ୟକୀୟ ସହାୟତା, ସହଯୋଗୀତା, ସହଭାଗିତା, ସଚେତନତା ଓ ସମ୍ବେଦନଶୀଳତାକୁ ସୁନିଶ୍ଚିତ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଓ ଧ୍ୟେୟ ହେବା ଉଚିତ।
ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ