ଭୁବନେଶ୍ବର: ୮୪ ବର୍ଷୀୟ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ରାଜ୍ୟ ରାଜନୀତିର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ବ। ୭ ଥର ବିଧାୟକ, ଏକାଧିକ ବାର ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ। ଏବେ ସକ୍ରିୟ ରାଜନୀତିରୁ ଅବସର ନେବା ପରେ ବି ନିଜକୁ ଫିଟ୍ ରଖିଛନ୍ତି। ମଧ୍ୟାହ୍ନ ସାଢ଼େ ୧୨ଟା ବେଳେ ଭୁବନେଶ୍ବର ଘରେ ନିର୍ବାଚନ ମଣ୍ଡଳୀର କିଛି ବ୍ୟକ୍ତିଙ୍କ କଥା ବୁଝୁବୁଝୁ ଆମ ପ୍ରଶ୍ନ ‘ଆପଣ କେମିତି ଅଛନ୍ତି’ର ଉତ୍ତରରେ ସେ କହିଥିଲେ କିଛି ଏମିତି...। ‘‘ରାଜନୈତିକ ଜୀବନରେ ସକାଳ ଉଠିବା ଠାରୁ ରାତି ଶୋଇବା ପର୍ଯ୍ୟନ୍ତ ନିଜକୁ ଲୋକଙ୍କ ସୁଖ ଦୁଃଖରେ ବାନ୍ଧି ରଖିବାକୁ ପଡ଼େ। ଶରୀର ପ୍ରତି ଧ୍ୟାନ ଦେଇ ହୁଏନାହିଁ। ଯେଉଁଥିପାଇଁ ମୋର କିଡ୍ନି ଖରାପ ହୋଇ ଯାଇଥିଲା। କିଡ୍ନି ପ୍ରତିରୋପଣ କରିବା ୧୩ ବର୍ଷ ହୋଇଗଲାଣି। ଇଶ୍ବରଙ୍କ କୃପାରୁ ଆଜି ସୁସ୍ଥ ଅଛି। ଅନ୍ୟ ରୋଗ ପ୍ରାୟ କିଛି ନାହିଁ।’’
‘‘୧୯୬୭ ମସିହାରେ ୨୫ ବର୍ଷ ବୟସରେ ପଶ୍ଚିମ ଯାଜପୁରରେ ବିଧାୟକ ହୋଇଥିଲି। ଏହା ପରେ ୧୯୯୦ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଲଗାତାର ୫ ଥର ବିଧାୟକ ଓ ବିଭିନ୍ନ ଗରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ହୋଇଛି। ଯେଉଁମାନେ ଆଶା ଆକାଂକ୍ଷାରେ ନିଜକୁ ଡୁବେଇ ରଖନ୍ତି, ଅଭିଳାଷୀ ହେଇଯାଆନ୍ତି, ସେମାନଙ୍କର ଆଶା ପୂରଣ ନହେଲେ ଦୁଃଖ ଆସେ ଓ ଭାଙ୍ଗି ପଡ଼ନ୍ତି। ମୁଁ ଉଚ୍ଚାଭିଳାଷୀ ନୁହେଁ। ଆଜି ମୁଁ ମନ୍ତ୍ରୀ କି ବିଧାୟକ ନ ହେଲେ ବି ପ୍ରତିଦିନ ମୋ ପାଖକୁ ଅନେକ ଲୋକ ଆସୁଛନ୍ତି। ସେତେବେଳେ ଯେମିତି ମୋତେ ହସହସ ମୁହଁରେ ଦେଖୁଥିଲେ, ଆଜି ବି ସେମିତି ଦେଖୁଛନ୍ତି। ପଦପଦବି ଲୋଭରେ ଘାରି ହେବା ଲୋକ ମୁଁ ହୋଇନଥିବାରୁ ବୟସ ଅଧିକ ହେଲେ ବି ମୋର ମନ ଓ ଶରୀର ପ୍ରଫଲ୍ଲ ଅଛି। କର୍ମ ବ୍ୟସ୍ତତା ଭିତରେ ରହିଲେ ରୋଗ କିମ୍ବା ମନରେ ଗ୍ଲାନି ଆସିବ ନାହିଁ। ଅଳସୁଆ ହୋଇ ବସିଲେ ମଣିଷ ଭାଙ୍ଗିପଡ଼େ, ନକରାତ୍ମକ ଭାବନା ମନକୁ ଆସେ। ଏସବୁରୁ ମୁଁ ଦୂରେଇ ରହିଥିବାରୁ ସୁସ୍ଥ ଅଛି।
ମୁଁ ସକାଳ ୬ଟାରେ ଉଠିଯାଏ। ନିତ୍ୟକର୍ମ ସାରି ଘଣ୍ଟାଏ ଯୋଗ କିମ୍ବା ବ୍ୟାୟାମ କରେ। ୭ଟା ବେଳକୁ ନାଲି ଚା କପେ ପିଏ। ଜଳଖିଆରେ ଚୂଡ଼ା, କଦଳୀ, ଦହି କିମ୍ବା ଉପମା, ଇଡ୍ଲି ତରକାରୀ ଖାଇବାକୁ ଭଲ ପାଏ। ମଧ୍ୟାହ୍ନରେ ଭାତ, ଡାଲି, ତରକାରୀ ମୋର ପ୍ରିୟ। ରାତିରେ ୯ରୁ ୧୦ ଭିତରେ ଖାଇ ୧୨ଟା କି ସାଢ଼େ ୧୨ଟାରେ ଶୋଇପଡ଼େ। ବାହାରେ ଲୋଭନୀୟ ଖାଇବା ମିଲିଳେ ବି ମୁଁ ଖାଏ ନାହିଁ। ଏବେ ଉଚ୍ଚ ଶିକ୍ଷିତ ଯୁବକମାନେ ରାଜନୀତିକୁ ଆସୁଛନ୍ତି। ଯେଉଁ ଦାୟିତ୍ବ ମିଳୁଛି ତାକୁ ପ୍ରତିବଦ୍ଧତାର ସହ କାମ କରନ୍ତୁ। କଠିନ ପରିଶ୍ରମ କଲେ ସ୍ବାସ୍ଥ୍ୟ ଭଲ ରହିବ। କାମ ବ୍ୟସ୍ତତା ଭିତରେ ବି ଠିକ୍ ସମୟରେ ଖାଆନ୍ତୁ, ସମୟ ବାହାର କରି ୮ ଘଣ୍ଟା ବିଶ୍ରାମ ନିଅନ୍ତୁ। ଶାରୀରିକ ପରିଶ୍ରମ କରନ୍ତୁ। ସବୁଠାରୁ ବଡ଼ କଥା ସମ୍ପତ୍ତି ପଛରେ ନଧାଇଁ ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତୁ। ମନ ଓ ଶରୀର ସୁସ୍ଥ ରହିବ।’’