ଭୁବନେଶ୍ବର ( ସୋମନାଥ ପରିଡ଼ା) : ସକାଳୁ ରାତି ଯାଏ ଲୋକଙ୍କ ଗହଣରେ ସମୟ ବିତେ। ଶିଳାନ୍ୟାସ, ଉଦ୍ଘାଟନ, ସଭା ସମିତି ଓ ବୈଠକରେ ଯୋଗ ଦେବାକୁ ପଡ଼େ। ଲୋକଙ୍କୁ ଭେଟିବାକୁ ହୁଏ। ଏସବୁ ଭିତରେ କେମିତି ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତି ବରିଷ୍ଠ ଜନନେତା ପ୍ରସନ୍ନ ପାଟ୍ଟଶାଣୀ! ତାଙ୍କର ବହୁଚର୍ଚ୍ଚିତ ଅନ୍ୟ ପରିଚୟ ହେଉଛି, ସେ ଜଣେ ‘ବାବା’ ତଥା କବି।
ନିଜ ସ୍ବାସ୍ଥ୍ୟ ରୁଟିନ୍ ସଂପର୍କରେ ଶ୍ରୀ ପାଟ୍ଟଶାଣୀ କହନ୍ତି, ‘‘ତୁମେ ତୁମର ସ୍ବାସ୍ଥ୍ୟର ଯତ୍ନ ନେଲେ, ତୁମ ସ୍ବାସ୍ଥ୍ୟ ତୁମର ଯତ୍ନ ନେବ। ଏଇ କଥାକୁ ମୁଁ ପ୍ରଥମରୁ ପାଳନ କରି ଆସିଛି। ମୁଁ ଛାତ୍ର ରାଜନୀତିରୁ ନିଷ୍ଠାର ସହ ଜନସାଧାରଣଙ୍କ ସେବା କରି ଆସିଛି। ସେଥିପାଇଁ ବୋଧହୁଏ ମୋ’ ଉପରେ ବିଶ୍ବାସ ରଖି ଜନତା ୪ଥର ବିଧାୟକ ଓ ୫ ଥର ସାଂସଦ ହେବାର ସୌଭାଗ୍ୟ ଦେଇଛନ୍ତି। ଛାତ୍ର ଜୀବନରେ ଭଲି ଓ ଫୁଟ୍ବଲ୍ ଖେଳୁଥିଲି। ସକାଳୁ ଦୌଡ଼ିବା ସହ ଅନ୍ୟ ବ୍ୟାୟାମ କରୁଥିଲି। କିନ୍ତୁ ସନ୍ତୁଳିତ ଆହାର ମିଳୁନଥିଲା। ୧୯୮୦ ରେ ପ୍ରଥମ ବିଧାୟକ ହେବା ପୂର୍ବରୁ ମୁଁ ଯୋଗ ଅଭ୍ୟାସ ଆରମ୍ଭ କରି ଦେଇଥିଲି। ସେତେବେଳେ ଯୋଗର ଏତେ ପ୍ରଚାର ହୋଇନଥିଲା। ଚିଲିକା କୂଳରେ ଏକ ବଡ଼ ଗାଁ ବିଷୁନୁପୁରରେ ଯୋଗାଭ୍ୟାସ କରୁଥିଲି।
ବିଧାୟକ ହେବାପରେ ଲୋକଙ୍କ ସହ ଅଧିକ ସମୟ ବିତିଲା। ଖାଇବା ପିଇବା ଠିକ୍ ନରହିବା କାରଣରୁ ସ୍ବାସ୍ଥ୍ୟ ମଧ୍ୟ ଖରାପ ହେଲା। ଏହାପରେ ମୁଁ ସ୍ବାସ୍ଥ୍ୟର ଯତ୍ନନେବା ଆରମ୍ଭ କଲି। ରାଜନୀତିରେ ‘ମ୍ୟାନ୍, ମନି, ଟାଇମ୍ ମ୍ୟାନେଜମେଣ୍ଟ’ କରିବା ପୂର୍ବରୁ ସ୍ବାସ୍ଥ୍ୟ ମ୍ୟାନେଜମେଣ୍ଟ କରିବା ଅତି ଗୁରୁତ୍ବପୂର୍ଣ୍ଣ। ମୋ’ର ଅଭ୍ୟାସ, ସୂର୍ଯ୍ୟ ଉଦୟ ପୂର୍ବରୁ ଭୋର୍ ୪ଟାରୁ ଉଠେ। ସ୍ନାନକରି ଧ୍ୟାନରେ ଗୋଟେ ଘଣ୍ଟା ବସେ। ସମୟ ଥିଲେ ଅଧିକ ସମୟ କରେ। ଏହାପରେ ଯୋଗ, ଆସନ, ପ୍ରାଣାୟମ୍ କରି ଖରାରେ କିଛି ସମୟ ବସେ। ଏସବୁ ସରିବା ପରେ କିଛି ଫଳ ଖାଏ। ଘରୁ ବାହାରିବା ପୂର୍ବରୁ ପ୍ରାୟ ୧୦ଟାରୁ ୧୧ଟା ଭିତରେ ଭାତ, ତରକାରି, ଭଜା, ସନ୍ତୁଳା ଓ ସାଲାଡ ଖାଇ ବାହାରେ। ସଭା ସମିତି କିମ୍ବା ବୈଠକରେ କାଜୁ ଦିଇଟା କିମ୍ବା ଫଳଖଣ୍ଡେ ଭୋକହେଲେ ଖାଇଦିଏ। ସନ୍ଧ୍ୟାରେ ସେମିତି ଫଳମୂଳ ଖାଏ। କିନ୍ତୁ ରାତିରେ କିଛି ଖାଏନାହିଁ। ବିବାହ ଭୋଜିରେ ଅତି ଆବଶ୍ୟକ ଥିଲେ କେବଳ ନାମକୁମାତ୍ର ଖାଇବାକୁ ବସିପଡ଼େ। ମିଠା ଓ ଚିନି କମ୍ ଖାଇବାକୁ ଚେଷ୍ଟାକରେ।
ହିମାଳୟ ଯାଇଛି। ଗୁରୁଙ୍କ ଠାରୁ ଜ୍ଞାନ ଆହରଣ କରିଛି। ସେଠି ଜଣେ ସନ୍ୟାସୀ ମୋତେ ଏକ ତାବିଜ ଦେଇଥିଲେ। ସେ ତାବିଜ ଧାରଣ ମୋତେ ମାନସିକ ଭାବେ ସୁସ୍ଥରଖେ। ଯୋଗ ପ୍ରାଣାୟମ କରିବାରେ ମୋତେ ମାନସିକ ଶାନ୍ତି ମିଳେ। ଧାର୍ମିକ ଚେତନା ଓ ସାହିତ୍ୟ ରଚନା ମୋତେ ଆନନ୍ଦ ଦିଏ। ଜୀବନରେ ମାଦକ ଦ୍ରବ୍ୟ ଛୁଇଁନାହିଁ। ଖାଦ୍ୟ ଖାଇବାରେ ଓ କାର୍ଯ୍ୟ କରିବାରେ ସଂଯମ ସହ ଜୀବନଚର୍ଯ୍ୟାକୁ ଠିକ୍ ଭାବେ କରିବାକୁ ଚେଷ୍ଟା କରିଛି। ଜୀବନରେ ମିଛୁଆ ଯନ୍ତ୍ର- ମୋବାଇଲ୍କୁ ଧରିନାହିଁ। ଏହା ହିଁ ମୋତେ ସୁସ୍ଥ ରଖିଛି। ମୋତେ ୮୦ ଛୁଇଁବାକୁ ବସିଲାଣି, ଈଶ୍ବରଙ୍କ ଆଶୀର୍ବାଦରୁ କୌଣସି ରୋଗ ନାହିଁ। ମୁଁ ଫିଟ୍ ଅଛି।
ମୁଁ କୁହେ- ରାଗରୁ ରୋଗ,
ଯଦି କରୁଥିବ ଯୋଗ,
ଜୀବନକୁ କରୁଥିବ ଉପଭୋଗ।’’