ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ବୟସ ଆସି ୫୭ରେ ପହଞ୍ଚିଲାଣି। ଅନେକ ସ୍ଥଳରେ ଏହା ଅବସର ନେବାର ସମୟ ହୋଇଥିବା ବେଳେ ସିଦ୍ଧାନ୍ତଙ୍କ ମୁହଁରେ ନା ରହିଛି ବୟସର ଛାପ, ନା ଶରୀରରେ କ୍ଳାନ୍ତିର ସଂକେତ। ଜଣେ ଯୁବକ ଭଳି ସେ ଏବେ ବି ନାଚନ୍ତି, ସାଇକେଲିଂ କରି ସହର ବୁଲନ୍ତି ଓ ଚଳଚ୍ଚିତ୍ରରେ ନାୟକ ସାଜି ନାୟିକାଙ୍କ ମନ ଚୋରାନ୍ତି। ତେବେ ଏତେ ବୟସରେ ବି ଏଭଳି ଫିଟ୍ ରହିବାର ରହସ୍ୟ ଘରର ହାଣ୍ଡିଶାଳ ଓ ତାଙ୍କର ସାଇକେଲିଂ ନିଶା ବୋଲି ସିଦ୍ଧାନ୍ତ କହନ୍ତି। ଗାଡ଼ି ଚାଲିବା ପାଇଁ ଯେଉଁଭଳି ପେଟ୍ରୋଲ ବା ଡିଜେଲର ଆବଶ୍ୟକତା ପଡ଼େ, ଠିକ୍ ସେହିଭଳି ଶରୀରକୁ ଖାଦ୍ୟର ଆବଶ୍ୟକତା ପଡ଼େ। ପୁଣି ସେ ଖାଦ୍ୟ ସନ୍ତୁଳିତ ହେବା ଆବଶ୍ୟକ। ସେହିପରି ଶରୀରକୁ ଯେତିକି ଆବଶ୍ୟକ ସେତିକି ଖାଇବା ଭଲ। ଗାଡ଼ିରେ ଯେମିତି କ୍ଷମତାଠାରୁ ଅଧିକ ପେଟ୍ରୋଲ ଢାଳିଲେ, ତାହା ଉଛୁଳି ପଡ଼େ; ଠିକ୍ ସେମିତି ଆବଶ୍ୟକତାଠାରୁ ଅଧିକ ଖାଇଲେ ଚର୍ବି ଜମିଯାଏ। ଏଣୁ କ’ଣ ଖାଇବା ଓ କ’ଣ ନ ଖାଇବା ତଥା କେତେ ପରିମାଣର ଖାଇବା; ତାହାର ନିୟନ୍ତ୍ରଣ ଜରୁରି ବୋଲି ମତ ଦିଅନ୍ତି ସିଦ୍ଧାନ୍ତ।
ସେ କହନ୍ତି, ‘‘ଓଡ଼ିଆ ଘରର ନିୟମିତ ଖାଦ୍ୟ ଭାତ, ଡାଲ୍ମା, ସନ୍ତୁଳା, ଶାଗ ଆଦି ଖାଇ ଆମେ ସୁସ୍ଥ ଓ ସୁଢ଼ଳ ଶରୀର ପାଇପାରିବା। ତେଣୁ ମୁଁ ସବୁବେଳେ ଘରରନ୍ଧା ଖାଦ୍ୟ ଖାଏ। କାରଣ ୯୦% ସୁସ୍ବାସ୍ଥ୍ୟ ଘରର ହାଣ୍ଡିଶାଳ ହିଁ ନିୟନ୍ତ୍ରଣ କରିଥାଏ। ଏଥିସହ ୧୦% ସ୍ବାସ୍ଥ୍ୟ ଆମର ବ୍ୟାୟାମରୁ ମିଳିଥାଏ।’’ ସିଦ୍ଧାନ୍ତ କେବେ ଜିମ୍ ଯାଇ କସରତ କରିବା ପସନ୍ଦ କରନ୍ତି ନାହିଁ। ଏଣୁ ସକାଳ, ସଂଧ୍ୟା ଓ ଦିନର ଯେକୌଣସି ସମୟରେ ସେ ସାଇକେଲିଂ କରୁଥିବା ଦେଖାଯାଇଥାଏ। ସାଇକେଲିଂ ଦ୍ବାରା ଶରୀରର ପ୍ରତିଟି ଅଙ୍ଗର ବ୍ୟାୟାମ ହେଉଥିବା ବେଳେ ଏହା ମନକୁ ବି ଫୂର୍ତ୍ତିରେ ଭରିଦିଏ। ଏଣୁ ସେ ପାଖାପାଖି ୨୦ ବର୍ଷ ହେଲା ପ୍ରତିଦିନ ସାଇକେଲିଂ କରୁଥିବା ଜଣାଯାଏ। ପ୍ରତିଦିନ ସାଇକେଲ ଚଲାଇବା ଦ୍ବାରା ରକ୍ତଚାପ, କୋଲେଷ୍ଟ୍ରୋଲ୍, ହୃଦ୍ରୋଗ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ। ଶରୀରରେ ଚର୍ବି ଗଚ୍ଛିତ ହୁଏନାହିଁ। ଏହା ରକ୍ତପ୍ରବାହକୁ ବଢ଼ାଇଥାଏ, ଫଳରେ ଚର୍ମ ଓ ଚେହେରା ଉଜ୍ଜ୍ବଳ ହୋଇଥାଏ।
ଉତ୍ତମ ସ୍ବାସ୍ଥ୍ୟ ନେଇ ସିଦ୍ଧାନ୍ତଙ୍କ ମନ୍ତ୍ର
ସନ୍ତୁଳିତ ଖାଦ୍ୟ, ଆବଶ୍ୟକତା ଅନୁସାରେ ଖାଇବା। ଅଧିକ ଖାଇବା ନାହିଁ।
ଆମେ ରହୁଥିବା ପରିବେଶକୁ ସ୍ବଚ୍ଛ ଓ ସୁନ୍ଦର ରଖିବା। କାରଣ ପରିବେଶ ମଣିଷକୁ ସୁସ୍ଥ ବା ଅସୁସ୍ଥ କରିବାରେ ବହୁଳ ଭାବରେ ଦାୟୀ।
ପରିଷ୍କାର ଓ ସ୍ବଚ୍ଛ ପାଣି ପିଇବା।
ବାହାର ଖାଦ୍ୟ ନ ଖାଇ, ଘରେ ପ୍ରସ୍ତୁତ ଖାଦ୍ୟ ଖାଇବା।
ଖାଦ୍ୟରେ ଡାଲ୍ମା, ସନ୍ତୁଳା, ଶାଗ ଆଦିର ପରିମାଣ ଅଧିକ ରଖିବା।
ପ୍ରତିଦିନ ସାଇକେଲ୍ ଚଳାଇବା ବା ଅନ୍ୟ କିଛି ଶାରୀରିକ ବ୍ୟାୟାମ କରିବା।