ଗ୍ଲୁକୋମା ବା କଳା ମୋତିଆବିନ୍ଦୁ ଏକ ଲକ୍ଷଣବିହୀନ ମାରାତ୍ମକ ଚକ୍ଷୁରୋଗ, ଯାହା ମନୁଷ୍ୟକୁ ସମ୍ପୂର୍ଣ୍ଣ ଅନ୍ଧ କରିଦେଇଥାଏ। ତେଣୁ ସମସ୍ତେ ଏହାର କାରଣ, ଆଶଙ୍କା ଓ ଚିକିତ୍ସା ସମ୍ପର୍କରେ ଜାଣିବା ଗୁରୁତ୍ବପୂର୍ଣ୍ଣ। ଆମ ଶରୀରରେ ରକ୍ତଚାପ ପରି ଚକ୍ଷୁର ମଧ୍ୟ ଚାପ ଥାଏ। ଏହି ଚାପ ସାଧାରଣ ସ୍ତରଠାରୁ ଅଧିକ ହେଲେ ଚକ୍ଷୁ ଭିତରେ ଥିବା ଦୃଷ୍ଟି ସ୍ନାୟୁର କ୍ଷତି ଘଟାଇ ମନୁଷ୍ୟକୁ ଅନ୍ଧ କରିଦେଇଥାଏ। ଗ୍ଲୁକୋମା ରୋଗର ଆରମ୍ଭରୁ ଯନ୍ତ୍ରଣା ପରି ଲକ୍ଷଣ ଦେଖାଦିଏ ନାହିଁ, ତେଣୁ ସାଧାରଣଲୋକ ଏଥିପାଇଁ ସଚେତନ ହୋଇପାରି ନ ଥାନ୍ତି। ତେଣୁ ସେମାନଙ୍କ ରୋଗ ନିରୂପଣ କଲାବେଳକୁ ସେମାନେ କିଛିମାତ୍ରାରେ ଦୃଷ୍ଟିଶକ୍ତି ହରାଇ ସାରିଥାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୪୦ ବର୍ଷ ବୟସରୁ ଅଧିକ ବୟସ୍କ ଲୋକଙ୍କ ଠାରେ ଏହି ରୋଗର ଆଶଙ୍କା ଅଧିକ। ମଧୁମେହ ରୋଗୀ, ପରିବାରରେ ଗ୍ଲୁକୋମାର ଇତିହାସ, ଦୀର୍ଘ ସମୟ ଷ୍ଟେରଏଡ୍ ଔଷଧ ସେବନ, ଚକ୍ଷୁରେ ଆଘାତ, ଉଚ୍ଚ ରକ୍ତଚାପ, ମୋତିଆବିନ୍ଦୁ ଅସ୍ତ୍ରୋପଚାରରେ ଅବହେଳା ଆଦି ଗ୍ଲୁକୋମାର ଆଶଙ୍କାକୁ ବଢ଼ାଇଦେଇଥାଏ।
ଆଖିର ନିୟମିତ ପରୀକ୍ଷଣ ମାଧ୍ୟମରେ ଗ୍ଲୁକୋମା ନିରୂପଣ ସମ୍ଭବ। ଏଥିପାଇଁ ଚକ୍ଷୁ ବିଶେଷଜ୍ଞ ଆଖିର ଆଭ୍ୟନ୍ତରୀଣ ଚାପକୁ ମାପିଥାନ୍ତି; ଆଖିର ସ୍ନାୟୁ ପରୀକ୍ଷା କରି କେନ୍ଦ୍ରୀୟ ଏବଂ ପାର୍ଶ୍ବ ତଥା ପରିପାର୍ଶ୍ବ ଦୃଷ୍ଟିରୁ ମୂଲ୍ୟାଙ୍କନ କରିଥାନ୍ତି। ରୋଗ ନିରୂପଣ ହେବା ପରେ ଯଥାଶୀଘ୍ର ଚିକିତ୍ସା ଆରମ୍ଭ କରିବା ଗୁରୁତ୍ବପୂର୍ଣ୍ଣ। ଗ୍ଲୁକୋମା ଚିକିତ୍ସା ପାଇଁ, ଉଭୟ ରୋଗୀ ଓ ଡାକ୍ତରଙ୍କ ମିଳିତ ସହଯୋଗ ଆବଶ୍ୟକ। ଚିକିତ୍ସାର ଉଦ୍ଦେଶ୍ୟ ହେଉଛି ଆଗକୁ ଅଧିକ ଦୃଷ୍ଟିଶକ୍ତି ହ୍ରାସ ନ ପାଇବା। ରୋଗୀଙ୍କୁ ନିୟମିତ ଭାବେ ଆଖିରେ ଔଷଧ ପକାଇବାକୁ ପଡ଼ିଥାଏ। ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ବିନା, ଆଖିରେ ଔଷଧ ପକାଇବା ବନ୍ଦ କରିବେ ନାହିଁ କିମ୍ବା ଔଷଧ ବଦଳାଇବେ ନାହିଁ। ସରକାର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପ୍ରାଥମିକ ଓ ସାମୂହିକ ସ୍ବାସ୍ଥ୍ୟ କେନ୍ଦ୍ରରେ ମାଗଣା ଚକ୍ଷୁ ଶିବିର ଆୟୋଜନ କରି ବିଶେଷଜ୍ଞମାନଙ୍କୁ ନିଯୁକ୍ତ କରିଛନ୍ତି ଯଦ୍ଦ୍ବାରା ଯଥାଶୀଘ୍ର କଳା ମୋତିଆବିନ୍ଦୁ ନିରାକରଣ ସମ୍ଭବ ହେବ।
– ଡାକ୍ତର ଦିଲ୍ଲୀପ କୁମାର ସାହୁ,
ବରିଷ୍ଠ ଚକ୍ଷୁ ବିଶେଷଜ୍ଞ