ହୃଦ୍ରୋଗ ଜନିତ ସମସ୍ୟାରୁ ମୁକୁଳିବା ପାଇଁ ସମସ୍ତେ ବ୍ୟାୟାମ କରିବା ସହିତ ରକ୍ତଚାପ ମାପିବା, ରକ୍ତଶର୍କରାର ପରିମାଣ ଜାଣିବାକୁ ଅଗ୍ରାଧିକାର ଦେଇଥା’ନ୍ତି। ଏଥିସହିତ, ଏକ ସନ୍ତୁଳିତ ଆହାରକୁ ଆପଣାଇ ଥା’ନ୍ତି। ମାତ୍ର, କିଛି ସରଳ ଜିନିଷ ଯେ ରହିଛି, ଯାହାକୁ ଆମେ ଆଦୌ ଗୁରୁତ୍ବ ଦେଉନାହୁଁ। ଯାହାକୁ ଆପଣାଇଲେ ଆମେ ହୃଦ୍ ଅବସ୍ଥାକୁ ସୁସ୍ଥ ରଖିପାରିବା।
ଜିଆର୍ଆଇଏସ୍ଟି ସମ୍ପର୍କରେ ମୋର ମତ
‘ଜି’- ଗେଟ୍ ଫ୍ରେଶ୍ ଏୟାର୍ ବା ନିର୍ମଳ ବାୟୁ ଗ୍ରହଣ କରନ୍ତୁ: ଆପଣ ଜାଣିଛନ୍ତି କି ଲମ୍ବପାଦର ଯାତ୍ରା/ପାହାଡ଼ ଚଢ଼ା, ଆଉଟ୍ଡୋର୍ ଫଟୋଗ୍ରାଫି କିମ୍ବା ଏପରିକି ବଗିଚା କାମର ଆପଣଙ୍କ ସ୍ବାସ୍ଥ୍ୟ ଉପରେ କେତେ ପ୍ରଭାବ ରହିଛି? ଏହିଭଳି କାମ କେବଳ ହୃତ୍ପିଣ୍ଡ ପାଇଁ ଉପଯୋଗୀ ନୁହେଁ, ପ୍ରକୃତି ସହିତ ମିଶିବା କାରଣରୁ ଆପଣଙ୍କ ଫୁସ୍ଫୁସ୍ ଓ ମନ ପାଇଁ ବି ବହୁତ ଭଲ।
‘ଆର୍’- ରିମୋଟ୍ ସାକ୍ରିଫାଇସ୍ ବା ଦୂରସ୍ଥ ତ୍ୟାଗ: ଗବେଷକଙ୍କ ମତରେ ଗୋଟିଏ ଦିନରେ ଯେଉଁମାନେ ୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଟିଭି ସାମ୍ନାରେ ବସୁଛନ୍ତି, ସେମାନେ ହୃଦ୍ରୋଗ, ମଧୁମେହ, ମେଦବହୁଳ ଏବଂ ଅନ୍ୟ ରୋଗରେ ଆକ୍ରାନ୍ତ ହେବାର ଅଧିକ ସମ୍ଭାବନା ରହିଛି। ତେଣୁ ରିମୋଟ୍ ଛାଡ଼ି ଅାପଣ ଭଲନିଦ୍ରା ଉପରେ ଗୁରୁତ୍ବ ଦିଅନ୍ତୁ। ରାତି୧୦ଟା ପୂର୍ବରୁ ଶୋଇବା ଅଧିକ ଭଲ। ଗବେଷକମାନେ ଆହୁରି ମଧ୍ୟ କୁହନ୍ତି ଯେ ଯେଉଁମାନେ ଆଶାବାଦୀ, ସେମାନଙ୍କ ନିକଟରେ ହୃଦ୍ରୋଗ ପରିମାଣ ଶତକଡ଼ା ୩୫ ପ୍ରତିଶତ କମ୍ ଥାଏ। ଏବଂ, ସବୁବେଳେ ଖୁସି ରହୁଥିବା ଲୋକଙ୍କ ପାଖରେ ରହିବା ବି ଅନ୍ୟମାନଙ୍କ ଉପରେ ବଡ଼ ପ୍ରଭାବ ପକାଇଥାଏ। ଏହାମଧ୍ୟ ଏକ ସୁସ୍ଥ ହୃତ୍ପିଣ୍ଡର ଚାବିକାଠି।
‘ଆଇ’- ଇମ୍ପ୍ରୁଭ୍ ଇଓର୍ ଡେଣ୍ଟାଲ ହାଇଜିନ୍ ବା ଦାନ୍ତକୁ ଅଧିକ ସଫା ରଖନ୍ତୁ: ଏହା ଆଶ୍ଚର୍ଯ୍ୟ ଲାଗିପାରେ ମାତ୍ର ସତ। ଅପରିଷ୍କାର ଦାନ୍ତ ମଧ୍ୟ ଆପଣଙ୍କ ଛାତି/ହୃତ୍ପିଣ୍ଡରେ ସମସ୍ୟା ଆଣିଥାଏ। ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ବାକ୍ଟେରିଆ ବା ଜୀବାଣୁ ଯୋଗୁ ଦନ୍ତରୋଗ (ମାଢ଼ିରେ ସଂକ୍ରମଣ) ହୋଇଥାଏ, ତାହା ମଧ୍ୟ ହୃଦ୍ରୋଗର କାରଣ ହୋଇଥାଏ। ତେଣୁ, ପ୍ରତ୍ୟେକଦିନ ଦୁଇଥର ବ୍ରସ୍ କରନ୍ତୁ। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରେତ୍ୟକ ରାତିରେ ଦୁଇ ଦାନ୍ତ ଫାଙ୍କରେ ରହିଥିବା ଖାଦ୍ୟପଦାର୍ଥକୁ ବାହାର କରନ୍ତୁ।
‘ଏସ୍’- ସୁପର୍ ଫୁଡ୍ସ ଆର୍ ଗୁଡ୍ ବା ସୁପର୍ ଫୁଡ୍ ବହୁତ ଭଲ : ବନ୍ଧାକୋବି ଜାତୀୟ ଓ ନାସ୍ପାତି ଭଳି ପନିପରିବା ଓ ଫଳ ମାୟାରେ ଆଦୌ ପଡ଼ନ୍ତୁ ନାହିଁ। ଏହା ନିଶ୍ଚିତ ଭାବେ ଭଲ; ମାତ୍ର ହଳଦୀ, ଅଁଳା, ବିଟ୍, ଲହୁଣୀ, ରାଶି , ବାଜରା ଭଳି ଜେଜୀମା’ଙ୍କ ‘ସୁପର୍ ଫୁଡ୍’ ହୃଦ୍ପିଣ୍ଡ ପାଇଁ ବହୁତ ଭଲ। ଏହିପ୍ରକାର ଖାଦ୍ୟ ଯେତେଦୂର ସମ୍ଭବ ଖାଆନ୍ତୁ।
‘ଟି’- ଟାଇମ୍ ଇଓର୍ କ୍ୟାଲୋରିଜ୍ ବା ଖାଦ୍ୟ ଗ୍ରହଣର ସମୟ : ସୂର୍ଯ୍ୟାସ୍ତ ପରବର୍ତ୍ତୀ ସମୟରେ ଶରୀର ବୃଦ୍ଧିକାରୀ ଓ ଶକ୍ତିବର୍ଦ୍ଧକ ସମସ୍ତ ରସାୟନିକ ପ୍ରକ୍ରିୟା ଧିମେଇ ଯାଇଥାଏ। ତେଣୁ ଶ୍ବେତସାର ଜାତୀୟ ଖାଦ୍ୟ ସହଜରେ ହଜମ ହୋଇନଥାଏ। ଖାଲି ସଠିକ୍ ଖାଦ୍ୟ ଖାଇଲେ ହେବନାହିଁ, ଠିକ୍ ସମୟରେ ବି ଖାଇବା ଉଚିତ। ଏସବୁ ଆୟୁର୍ବେଦରେ ଅତ୍ୟନ୍ତ ବିସ୍ତୃତ ଭାବେ ଉଲ୍ଲେଖ ରହିଛି। ରାତିରେ ଗରିଷ୍ଠ ଖାଦ୍ୟ ଭୋଜନ ପରିହାର କରନ୍ତୁ।
ଆପଣଙ୍କ ହୃତ୍ପିଣ୍ଡର ସୁସ୍ଥତା ଆପଣଙ୍କ ହାତରେ।
ଅଧ୍ୟକ୍ଷ, ଏସିଆନ୍ ହାର୍ଟ ଇନ୍ଷ୍ଟିଚ୍ୟୁଟ୍, ମୁମ୍ବାଇ