ଦେଶରେ ଏବେ ପାର୍ବଣର ମାହୋଲ। ନିକଟରେ ଦଶହରା ସରିଥିବା ବେଳେ ଆଗକୁ ଦୀପାବଳି ଆସୁଛି। ଏହି ସମୟରେ ମାତ୍ରାଧିକ ତେଲଯୁକ୍ତ ଖାଦ୍ୟ, ଲୁଣିଆ ଓ ଫ୍ରାଏଡ୍‌ ଖାଦ୍ୟ ସହିତ ଧୂମ୍ରପାନ ହୃଦ୍‌ରୋଗ ସମସ୍ୟାକୁ ବଢ଼ାଇ ଦେଇଥାଏ। ଅସ୍ଥିର ଆଞ୍ଜିନା, ହୃଦ୍‌ଘାତ ଓ ହୃଦ୍ ସ୍ପନ୍ଦନର ଅନିୟମିତତା ବୃଦ୍ଧି କରିଥାଏ। ଯାହାକୁ ଆଟ୍ରାଏଲ ଫିବ୍ରିଲେସନ୍ ବା ଏଏଫ୍‌ଆଇବି ବୋଲି କୁହାଯାଏ। ଯାହାକି ହୃଦ୍‌ଘାତ କିମ୍ବା ଷ୍ଟ୍ରୋକ୍‌ର କାରଣ ହୋଇପାରେ ବୋଲି କହିଛନ୍ତି ବିଶିଷ୍ଟ ହୃଦ୍‌ରୋଗ ଚିକିତ୍ସକ ତଥା ଏସିଆନ୍ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ମୁଖ୍ୟ ଡା.ରମାକାନ୍ତ ପଣ୍ଡା।

Advertisment

ଡା.ପଣ୍ଡା କହିଛନ୍ତି ଯେ ଛାତିରେ ହଠାତ୍ ସମ୍ବେଦନଶୀଳତା ସୃଷ୍ଟି ହେବା ସହିତ ଫଡଫଡ ହେବା କିମ୍ବା ଅସହଜ, ହାଲିଆ ଲାଗିବା, ନିଶ୍ବାସପ୍ରଶ୍ବାସରେ ସମସ୍ୟା, ଚିନ୍ତା, ଠିକ୍‌ରେ ଦେଖା ନ ଯିବା ଭଳି ଲକ୍ଷଣକୁ ଗୁରୁତ୍ବ ଦେବାକୁ ହେବ। ଚାପ, ଉଚ୍ଚ ରକ୍ତଚାପ, ମଧୁମେହ ଓ ହୃଦ୍‌ରୋଗ ସମସ୍ୟା ଥିବା ବ୍ୟକ୍ତି ଏହା ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିମାନେ ଇଲେକ୍ଟ୍ରୋଲାଇଟର ସନ୍ତୁଳନ କିଭଳି ରକ୍ଷା ହୋଇପାରିବ ସେଥିପାଇଁ ନିଜ ଡାକ୍ତରଙ୍କ ପରାମର୍ଶ କରିବା ଜରୁରୀ। ମାତ୍ରାଧିକ ମିଠା ଓ ଲୁଣର ବ୍ୟବହାର ଫଳରେ ଉଚ୍ଚ ରକ୍ତଚାପ ଓ ମଧୁମେହ ସ୍ତର ବୃଦ୍ଧି ପାଇଥାଏ। ଯାହାକି ହୃଦ୍‌ଘାତର କାରଣ ହୋଇପାରେ। ଉଚ୍ଚ କ୍ୟାଲୋରି କିମ୍ବା ପ୍ରକ୍ରିୟାକୃତ ଖାଦ୍ୟ ବଦଳରେ ଫଳ ଓ ଶସ୍ୟଜାତୀୟ ଖାଦ୍ୟ ଖାଇବା ଜରୁରୀ।

କାର୍ବୋନେଟେଡ୍‌ ପାନୀୟ, ଫଳ ରସରେ ଅଧିକ ପରିମାଣରେ ଶର୍କରା ରହିଥାଏ ହୃଦ୍‌ରୋଗ ସମସ୍ୟାକୁ ବଢ଼ାଇ ଦେଇଥାଏ। ଶର୍କରା ବଦଳରେ କୃତ୍ରିମ ମିଠା ବ୍ୟବହାର କରନ୍ତୁ। ଆବଶ୍ୟକ ପରିମାଣର ନିଦ୍ରା ନ ହେଲେ ଏହା ଶରୀରରେ ଚାପ ସୃଷ୍ଟି କରିଥାଏ। ତେଣୁ ୬-୮ଘଣ୍ଟା ଶୋଇବା ସହିତ ଶୀଘ୍ର ଉଠିବା ଅଭ୍ୟାସ କରିବା ଉଚିତ୍। ପାର୍ବଣ ସମୟରେ ବି ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ। ଅଧିକ ମାତ୍ରାରେ ପ୍ରକ୍ରିୟାକୃତ ଜୁସ୍ ଓ କାର୍ବୋନେଟେଡ୍‌ ପାନୀୟ ବଦଳରେ ଯଥେଷ୍ଟ ପରିମାଣର ପାଣି ପିଅନ୍ତୁ। ଉଚ୍ଚ ରକ୍ତଚାପ, ମଧୁମେହ ଓ ହୃଦ୍‌ ସମସ୍ୟା ଥିବା ରୋଗୀମାନେ ନିଜର ଔଷଧ ଠିକ୍ ସମୟରେ ଖାଇବା ଉଚିତ୍। ଅତ୍ୟଧିକ ଖାଦ୍ୟକୁ ଏଡ଼ାଇବା ପାଇଁ ଖାଇବା ପୂର୍ବରୁ ସାଲାଡ୍ ଖାଇବା ସହିତ ଧୂମ୍ରପାନ ଓ ମଦ୍ୟପାନଠାରୁ ଦୂରେଇ ରହିବା ଉଚିତ ବୋଲି ଡା.ପଣ୍ଡା କହିଛନ୍ତି।