ସ୍ୱାସ୍ଥ୍ୟ ସମ୍ବାଦ: ଡାଇବେଟିସ୍‌ ଏବଂ କାର୍ଡିଆକ୍‌ ଅଟୋନୋମିକ୍‌ ନ୍ୟୁରୋପାଥି

ଡା. ବିଶ୍ୱରଂଜନ ଜେନା

ଡାଇବେଟିସ୍‌ ରୋଗୀଙ୍କଠାରେ ସମୟ ଅନୁସାରେ ଉଚ୍ଚ ରକ୍ତ ସର୍କରା ରୋଗୀର ରକ୍ତନଳୀ ଏବଂ ସ୍ନାୟୁକୁ ଆକ୍ରାନ୍ତ କରିଥାଏ। ଡାଇବେଟିସ୍‌ରେ କେବଳ ବ୍ଲଡ୍‌ ସୁଗାର ବ୍ୟତୀତ ବହୁତଗୁଡ଼ିଏ ଅଲଗା କାରଣ ଏହି ଅବସ୍ଥାକୁ ତ୍ବରାନ୍ବିତ କରିଥାଏ। ସେଗୁଡିକ ମଧ୍ୟରେ ମୁଖ୍ୟତଃ ଉଚ୍ଚ ରକ୍ତଚାପ, କୋଲେଷ୍ଟେରୋଲ୍‌, ଧୂମପାନ, ମୋଟାପଣ, ଖାଦ୍ୟ ଅଭ୍ୟାସ, ମଦ୍ୟପାନ, ଷ୍ଟ୍ରେସ୍‌ ଏବଂ ବ୍ୟାୟାମର ଅଭାବ ଅନ୍ତର୍ଭୁକ୍ତ। ଡାଇବେଟିସ୍‌ ଯୋଗୁଁ ହୃଦୟରେ ବିଭିନ୍ନ ପ୍ରକାର ରୋଗ ମଧ୍ୟରୁ ଅଧିକ ମାରାତ୍ମକ ହୋଇଥାଏ ହାର୍ଟ ଆଟାକ୍‌, ହାର୍ଟ ଫେଲ୍ୟୁର ଓ ପେରିଫେରାଲ୍‌ ଆଟ୍‌ରି ଡିଜିଜ୍‌।

କିନ୍ତୁ ଏହାଛଡ଼ା ହାର୍ଟର ସ୍ନାୟୁଜନିତ ରୋଗ ବା କାର୍ଡିଆକ୍‌ ଅଟୋନୋମିକ୍‌ ନ୍ୟୁରୋପାଥି ଏକ ଭୟଙ୍କର ଅବସ୍ଥା ହେଲେ ମଧ୍ୟ ଅନେକ କ୍ଷେତ୍ରରେ ସବୁଠୁ ଅବହେଳିତ ବିଷୟ ହୋଇଥାଏ। ଏହି ରୋଗ ଯୋଗୁଁ ରୋଗୀ ସର୍ଡନ୍‌ କାର୍ଡିଆକ୍‌ ମତ୍ୟୁର ଶିକାର ହୋଇଥାଏ। ଡାଇବେଟିସ୍‌ ରୋଗୀମାନଙ୍କର ସର୍ଡନ୍‌ କାର୍ଡିଆକ୍‌ ସବୁବେଳେ ଯେ ହାର୍ଟ ଆଟାକ୍‌ ପାଇଁ ତାହା ନୁହେଁ ବରଂ ଏହି ଅଟୋନୋମିକ୍‌ ନ୍ୟୁରୋପାଥି ପାଇଁ ମଧ୍ୟ ହୋଇଥାଏ। ଏହାର ପ୍ରତିକାର ହିଁ ଚିକିତ୍ସା। ଏହାର ଲକ୍ଷଣଗୁଡିକ ମଧ୍ୟରେ ପଲ୍‌ସ ରେଟ୍‌ ଅଧିକା ରହିବା, ଅଳ୍ପ ବ୍ୟାୟାମରେ ଥକିଯିବା, ହଠାତ୍‌ ଠିଆ ହେଲେ ମୁଣ୍ଡ ବୁଲେଇବା, ରକ୍ତଚାପ ପରିବର୍ତ୍ତନ କରିବା, ସୁଗାର ପରିବର୍ତ୍ତନ କରିବା, ବେହୋସ୍‌ ହୋଇଯିବା, ସାଇଲେଣ୍ଟ୍‌ ହାର୍ଟ ଆଟାକ୍‌, ଶାରୀରିକ ସମ୍ପର୍କରେ ଅସୁବିଧା, ଝାଡ଼ା କଠିନ ଏବଂ ବେଳେବେଳେ ପତଳା ଝାଡ଼ା ହେବା ଆଦି ଅନ୍ତର୍ଭୁକ୍ତ।

ଏହାର ଚିହ୍ନଟ୍‌ ସ୍ପେସିଆଲ୍‌ ଯନ୍ତ୍ର ସାହାଯ୍ୟରେ କରିହୁଏ। ବିଭିନ୍ନ ଗାଇଡ୍‌ଲାଇନ୍ ଅନୁସାରେ ସମସ୍ତ ଡାଇବେଟିସ୍‌ ରୋଗୀ ଯନ୍ତ୍ର ପରୀକ୍ଷା ମାଧ୍ୟମରେ ଏହି ରୋଗର ଶୀଘ୍ର ନିରୁପଣ କରାଇ ନେବା ଉଚିତ୍‌। ଏହାଦ୍ବାରା ଆମେ ସର୍ଡନ୍‌ କାର୍ଡିଆକ୍‌ ମୃତ୍ୟୁକୁ ରୋକି ପାରିବା ଏବଂ ରୋଗୀର ଗୁଣାତ୍ମକ ଜୀବନଶୈଳୀକୁ ଉତ୍ତମ କରିପାରିବା।

ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଏବଂ ଡାଇବେଟିଓଲୋଜି
ଡ. ଜେନା କାର୍ଡିଓ ଡାଇବେଟିସ ସେଣ୍ଟର, କଟକ
ମୋବାଇଲ: ୯୯୩୮୬୪୩୩୮୨

ସମ୍ବନ୍ଧିତ ଖବର