ଭୁବନେଶ୍ବର : ପୁରୁଷର ଶୁକ୍ରାଣୁକୁ ବି ପ୍ରଭାବିତ କରୁଛି କୋଭିଡ୍। ଏମ୍ସ ପାଟଣାରେ ଅକ୍ଟୋବର ୨୦୨୦ ଓ ଏପ୍ରିଲ ୨୦୨୧ ମଧ୍ୟରେ ୧୯ରୁ ୪୩ବର୍ଷର ୩୦ଜଣ ପୁରୁଷଙ୍କ ଉପରେ ହୋଇଥିବା ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଶୁକ୍ରାଣୁରେ ସାର୍ସ କୋଭ-୨ର ଉପସ୍ଥିତି ଦେଖିବାକୁ ମିଳି ନ ଥିଲେ ହେଁ ଶୁକ୍ରାଣୁର ଗୁଣାବତ୍ତା ହ୍ରାସ ପାଉଛି। ଏପରିକି ପ୍ରଥମ ନମୁନା ସଂଗ୍ରହର ଅଢ଼େଇ ମାସ ପରେ ବି ଶୁକ୍ରାଣୁ ଧାର୍ଯ୍ୟ ସ୍ତରକୁ ପହଞ୍ଚିବାରେ ବିଫଳ ହୋଇଥିବା ନଜରକୁ ଆସିଛି।
ଏମ୍ସ ପାଟଣା, ଦିଲ୍ଲୀ ଓ ମଙ୍ଗଲାଗିରି (ଆନ୍ଧ୍ର) ପକ୍ଷରୁ ମିଳିତଭାବେ ଏହି ଗବେଷଣା କରାଯାଇଥିଲା। କୋଭିଡରେ ସଂକ୍ରମିତ ହେବା ପରେ ପ୍ରଥମ ଶୁକ୍ରାଣୁ ନମୁନା ଓ ଅଢ଼େଇ ମାସ ପରେ ଦ୍ବିତୀୟ ଶୁକ୍ରାଣୁ ନମୁନା ସଂଗ୍ରହ କରାଯାଇଥିଲା। ଶୁକ୍ରାଣୁ ଅନୁଶୀଳନରେ ମୁଖ୍ୟତଃ ଶୁକ୍ରାଣୁ ସଂଖ୍ୟା, ଆକୃତି ଓ ଗତିକୁ ନେଇ ଶୁକ୍ରାଣୁ ସ୍ବାସ୍ଥ୍ୟ ବିଚାର କରାଯାଇଥାଏ। ଶୁକ୍ରାଣୁର ଗତିକୁ ଶୁକ୍ରାଣୁ ମୋଟିଲିଟି କୁହାଯାଇଥାଏ। ପ୍ରଥମ ନମୁନା ସଂଗ୍ରହ ସମୟରେ ୩୦ ଜଣ ପୁରୁଷଙ୍କ ମଧ୍ୟରୁ ୧୨ ଜଣ ବା ୪୦ ପ୍ରତିଶତଙ୍କ ଶୁକ୍ରାଣୁ ସଂଖ୍ୟା କମ୍ ରହିଥିଲା। ଏପରିକି ଅଢ଼େଇ ମାସ ପରେ ୧୦ ପ୍ରତିଶତ ବା ୩ଜଣଙ୍କ ଶୁକ୍ରାଣୁ ସଂଖ୍ୟା କମ୍ ରହିଥିଲା।ବୀର୍ଯ୍ୟପାତ ସମୟରେ ଶୁକ୍ରାଣୁ ପରିମାଣ ୧.୫ରୁ ୫ ଏମ୍ଏଲ ରହିବାକୁ ଥିବା ବେଳେ କୋଭିଡ ଆକ୍ରାନ୍ତ ୧୦ଜଣ ବ୍ୟକ୍ତିଙ୍କଠାରେ ଏହା ୧.୫ଏମ୍ଏଲ୍ ରହିଥିଲା। ପ୍ରଥମ ନମୁନାରେ ଶୁକ୍ରାଣୁ ସାନ୍ଧ୍ରତା, ଭାଇଟାଲିଟି ବା ଜୀବନ୍ତ ଶୁକ୍ରାଣୁ ସଂଖ୍ୟା ଓ ଗତିଶୀଳ ଶୁକ୍ରାଣୁ ପ୍ରଭାବିତ ହୋଇଥିବା ବେଳେ ଦ୍ବିତୀୟ ନମୁନା ସଂଗ୍ରହ ସମୟରେ ଏଥିରେ କିଛିଟା ସୁଧାର ଦେଖିବାକୁ ମିଳିଥିଲା। ମାତ୍ର ତାହା ଧାର୍ଯ୍ୟ ସ୍ତର ପର୍ଯ୍ୟନ୍ତ ପହଞ୍ଚିପାରି ନ ଥିବା ଗବେଷଣାରୁ ଜଣାପଡ଼ିଥିଲା। ପ୍ରଜନନ ପ୍ରଯୁକ୍ତିବିଦ୍ୟା ସହାୟକ(ଏଆରଟି) କ୍ଲିନିକ୍ ଓ ସ୍ପର୍ମ ବ୍ୟାକିଂ ସୁବିଧା ଥିବା ସଂସ୍ଥାମାନେ ଶୁକ୍ରାଣୁ ର ଗୁଣବତ୍ତାର ଅନୁଧ୍ୟାନ କରିବାର ଆବଶ୍ୟକତା ରହିଥିବା କହିଛନ୍ତି ଗବେଷଣାର ନେତୃତ୍ବ ନେଇଥିବା ଡା.ସତୀଶ ପି.ଦୀପଙ୍କର।
ଗବେଷଣା ହୋଇଥିବା ପୁରୁଷଙ୍କ ଶୁକ୍ରାଣରୁ କରୋନାର ଉପସ୍ଥିତି ଦେଖିବାକୁ ମିଳି ନ ଥିଲେ ହେଁ ସଂକ୍ରମଣ ସମୟରେ ମାନସିକ ଚାପ, ଲ୍ୟୁକୋସାଇଟ୍ସ ଓ ସେମିନାଲ ପ୍ଲାଜମା ପ୍ରଭାବିତ ହେବା କାରଣରୁ ଏଭଳି ସ୍ଥିତି ଉପୁଜୁଥିବା କୁହାଯାଉଛି। କରୋନାରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କଠାରେ ସାଧାରଣଭାବେ ପ୍ରବଳ ଜ୍ବର ହେଉଥିବାରୁ ଶରୀରରେ ରକ୍ତ-ଟେଷ୍ଟିସ୍ ପ୍ରତିବନ୍ଧକକୁ ପ୍ରଭାବିତ କରିବା ସହ ସଞ୍ଚାଳିତ ସାଇଟୋକାଇନ୍ସକୁ ଶୁକ୍ରାଣୁ ସେଲ୍ ଓ ଟେଷ୍ଟିକୁଲର ଟିସ୍ୟୁ ସହିତ ଏକ୍ସପୋଜ୍ କରିଥାଏ। ଯାହାଫଳରେ କମ୍ ଶୁକ୍ରାଣୁ ସୃଷ୍ଟି କରିଥାଏ ବୋଲି ଗବେଷକମାନେ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି।