ସମ୍ପର୍କର ଆବିଷ୍କାର ହେଲା କେମିତି
ପ୍ରାଚୀନ ଆୟୁର୍ବେଦ ଚିକିତ୍ସକମାନେ ହୃତ୍‌ପିଣ୍ଡ ଓ ମସ୍ତିଷ୍କର ସମ୍ପର୍କକୁ ନେଇ ପୂର୍ବରୁ ଅବଗତ ଥିଲେ। ପତଞ୍ଜଳିର ଜଣେ ଯୋଗୀ କହିଛନ୍ତି, ହୃଦୟରେ ସଂଯମତା ଜରିଆରେ ଜଣେ ଯୋଗୀ ନିଜ ମସ୍ତିଷ୍କରେ ସମସ୍ତ ପ୍ରକାର ଜ୍ଞାନ ଆହରଣ କରିପାରେ। ପାଶ୍ଚାତ୍ୟ ଜଗତରେ ୨୦୦୪ ମସିହା ସେପ୍ଟେମ୍ବର ମାସରେ ୫୨ଟି ଦେଶର ପ୍ରାୟ ୨୫ ହଜାର ସ୍ବେଚ୍ଛାସେବୀଙ୍କ ପକ୍ଷରୁ ଇଣ୍ଟର ହାର୍ଟ ସଂପର୍କରେ ଅଧ୍ୟୟନ କରାଯାଇଥିଲା। ଏଥିରେ ମାତ୍ରାଧିକ ଭାବପ୍ରବଣତା ଯୋଗୁଁ ଏକ ତୃତୀୟାଂଶ ବ୍ୟକ୍ତି ହୃଦ୍‌ଘାତର ଶିକାର ହେଉଥିବା କୁହାଯାଇଥିଲା। ହୃଦ୍‌ଘାତର ବିପଦ ଭାବରେ ଧୂମପାନ, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରୋଲ୍‌ ଏବଂ ମଧୁମେହକୁ ଚିହ୍ନଟ କରାଯାଇଛି। ଯେକୌଣସି ବାହ୍ୟଚାପକୁ ଠିକ୍‌ ଭାବରେ ପରିଚାଳନା କରା ନଗଲେ ହୃତ୍‌ପିଣ୍ଡରେ ଅଯଥା ଚାପ ସୃଷ୍ଟି ହୋଇଥାଏ। ସଂପ୍ରତି ଚାପ ଓ ହୃତ୍‌ପିଣ୍ଡର ସମ୍ପର୍କକୁ ନେଇ ବ୍ୟାପକ ଗବେଷଣା କରାଯାଉଛି। ଏଥିଯୋଗୁଁ ହୃଦ୍‌ରୋଗ ସୃଷ୍ଟି କରୁଥିବା ନ୍ୟୁରୋକେମିକାଲ୍‌ ପାଥ୍‌ୱେକୁ ବୁଝିହେବା ସମ୍ଭବ ହେଉଛି। ଏଥିରୁ ସ୍ପଷ୍ଟ ଯେ ମସ୍ତିଷ୍କ ଓ ହୃତ୍‌ପିଣ୍ଡ ମଧ୍ୟରେ ପ୍ରକୃତରେ ଗଭୀର ସମ୍ପର୍କ ରହିଛି।

Advertisment

ହୃତ୍‌ପିଣ୍ଡର ନିଜସ୍ବ ଛୋଟ ମସ୍ତିଷ୍କ ରହିଛି
ଶାରୀରିକ ଦୃଷ୍ଟିରୁ, କରୋନାରୀ ଧମନୀ ମଧ୍ୟରେ ଥିବା ଅସ୍ଥିର ପ୍ଲେକ୍‌ ଫାଟିଗଲେ ହୃଦ୍‌ଘାତ ହୁଏ। ହୃଦ୍‌ସ୍ପନ୍ଦନ ଏବଂ ରକ୍ତଚାପ ବଢ଼ିଗଲେ କରୋନାରୀ ଧମନୀରେ ବ୍ଲକେଜ୍‌ ସୃଷ୍ଟି ହୁଏ। ଏଥିଯୋଗୁଁ ସୃଷ୍ଟ ଧ୍ବନି ସ୍ବାଭାବିକ ଶୁଣାଯାଉଥିଲେ ମଧ୍ୟ ଏଥିରେ ଅନେକ ସଙ୍କେତ ଥାଏ। ୧୯୯୧ ମସିହାରେ ଡାକ୍ତର ଜେ. ଆଣ୍ଡରୁ ଆର୍ମର ହୃତ୍‌ପିଣ୍ଡର ନିଜସ୍ବ ମସ୍ତିଷ୍କ ବା ଅନ୍ତର୍ନିହିତ ହୃତ୍‌ପିଣ୍ଡ ତନ୍ତୁକ୍ରମ ଥିବା ଆବିଷ୍କାର କରିଥିଲେ। ଏହି ହୃତ୍‌ପିଣ୍ଡ ମସ୍ତିଷ୍କ ୪୦ ହଜାର ସ୍ନାୟୁକୋଷ ଦ୍ବାରା ଗଠିତ, ଯାହା ମସ୍ତିଷ୍କର ସ୍ନାୟୁକୋଷ ସହିତ ସମାନ। ଅର୍ଥ ହେଲା, ହୃତ୍‌ପିଣ୍ଡର ନିଜସ୍ବ ସ୍ନାୟୁତନ୍ତ୍ର ରହିଛି। ଏହା ବାହାରେ ମଧ୍ୟ ସ୍ନାୟୁଗତ ଭାବରେ, ଜୀବରସାୟନିକ, ଜୈବ ପଦ୍ଧତି ଏବଂ ଶକ୍ତି ମାଧ୍ୟମରେ ହୃତ୍‌ପିଣ୍ଡ ମସ୍ତିଷ୍କ ସହିତ ଯୋଗାଯୋଗ ରକ୍ଷା କରିପାରେ। ଶରୀର ଆଭ୍ୟନ୍ତରୀଣ ଅଙ୍ଗ ଜରିଆରେ ସ୍ନାୟୁ ହୃତ୍‌ପିଣ୍ଡ ଓ ମସ୍ତିଷ୍କ ମଧ୍ୟରେ ସୂଚନାର ଆଦାନପ୍ରଦାନ ହୁଏ।

publive-image

ଦୈନନ୍ଦିନ ଚାପ
ବିଳମ୍ବିତ ରାତିରେ ଟିଭି ଦେଖିବା, ଧୂମପାନ କିମ୍ବା ମଦ୍ୟପାନ ଯୋଗୁଁ ଏହି ଚାପ ସୃଷ୍ଟି ହୁଏନାହିଁ, ଆମେ ଏଭଳି ପିଢି ଯେଉଁମାନେ କି ନିଜ ପରିବାର ଏବଂ ବନ୍ଧୁଙ୍କୁ ଦୈନନ୍ଦିନ ଜୀବନ ସମ୍ପର୍କରେ ମଧ୍ୟ ସାମାଜିକ ଗଣମାଧ୍ୟମରେ ସୂଚନା ଦେଉଛୁ। ଦୁଃଖର ଖବର ମଧ୍ୟ ମେସେଜ ଜରିଆରେ ଦିଆଯାଉଛି। ଏସବୁ ଆମକୁ ସାମାଜିକ ଭାବରେ ଏକୁଟିଆ କରିଦେଉଛି। ଆମେ ଖରାପ ଖବରର ସାମ୍ନା କରିପାରୁ ନାହୁଁ ଏବଂ ସ୍ମାର୍ଟ ଫୋନ୍‌ର ସୁବିଧା ମଧ୍ୟରେ ଲୁଚିଯାଉ, ଯାହା ଆମ ଆବେଗପ୍ରବଣତାକୁ ଦୁର୍ବଳ କରି ଦିଏ। ସାମାନ୍ୟ ଘଟଣା ବଡ଼ ଅନୁଭବ ହୁଏ। ଛୋଟ କଥାରେ ମାତ୍ରାଧିକ ପ୍ରତିକ୍ରିୟା ଦେଉ। ପରିଜନଙ୍କ ମୃତ୍ୟୁ ଭଳି ପ୍ରକୃତ ବଡ଼ କ୍ଷତି ସାଧାରଣ ହୋଇଯାଏ ଏବଂ ସାମାଜିକ ଗଣମାଧ୍ୟମର ପୋଷ୍ଟ ମଧ୍ୟରେ ଲୁଚିଯାଏ। ପ୍ରତିକ୍ରିୟାଶୀଳ ହେବା ଯୋଗୁଁ ହୃଦ୍‌ଘାତ ବିପଦ ଅଧିକ। ମାନସିକ ଚାପ ଯୋଗୁଁ ହୃଦ୍‌ରୋଗର ଆଶଙ୍କା ଅଧିକ ଥାଏ।

ଆଘାତ
ଏହା ଏଭଳି ଏକ ସ୍ଥିତି, ଯାହା ହୃତ୍‌ପିଣ୍ଡ ଏବଂ ମସ୍ତିଷ୍କ ମଧ୍ୟରେ ସମ୍ପର୍କର ସବୁଠାରୁ ବଡ଼ ପ୍ରମାଣ। ଅଚାନକ ପରିବାରର ଜଣେ ସଦସ୍ୟଙ୍କୁ ହରାଇଲେ ଆଡ୍ରେନାଲିନ୍‌ ନିର୍ଗମନ ହୋଇ ଆଘାତର ସ୍ଥିତି ସୃଷ୍ଟିକରେ। ଏହା ହୃତ୍‌ପିଣ୍ଡ ମଧ୍ୟରେ ଏକ ଅସ୍ବାଭାବିକ ଇଲେକ୍ଟ୍ରୋନିକ ସିଗ୍‌ନାଲ ଦିଏ। ଏଥିଯୋଗୁଁ ହୃତ୍‌ପିଣ୍ଡର ଗତି କମିଯାଏ କିମ୍ବା ବନ୍ଦ ହୋଇଯାଏ। ଭାବପ୍ରବଣତା ସ୍ଥିର ହେଲେ ହୃତ୍‌ପିଣ୍ଡ ସ୍ବାଭାବିକ କାର୍ଯ୍ୟ କରେ।

ଆବେଗ ପରିଚାଳନାରେ ଅକ୍ଷମତା
ଭାବପ୍ରବଣ ମସ୍ତିଷ୍କ ବିବେକବନ୍ତ ହୃଦୟକୁ କବ୍‌ଜା କରିପାରେ। ଏହା ମସ୍ତିଷ୍କ ସମେତ ଶରୀରର ବିଭିନ୍ନ ଅଂଶକୁ ଚାପଗ୍ରସ୍ତ କରିପାରେ। ଆମର ଆବେଗ ହିଁ ହୃତ୍‌ସ୍ପନ୍ଦନକୁ ତୀବ୍ର କିମ୍ବା ମନ୍ଥର କରିପାରେ। ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। ଉଦାହରଣ ସ୍ବରୂପ, ଅଚାନକ ରାଗିଗଲେ ଆମେ ଥରିବାକୁ ଲାଗୁ, କିନ୍ତୁ ଧ୍ୟାନକଲେ ସ୍ବାଭାବିକ ଭାବରେ ଶାନ୍ତ ହୋଇଯାଉ। ଏଭଳି ଦୋଳାୟମାନ ଅସ୍ବାସ୍ଥ୍ୟକର ଅଟେ। ଆପଣ ଯେତେବେଳେ କାର୍ଯ୍ୟକ୍ଷେତ୍ରରେ ଚାପଗ୍ରସ୍ତ ହୋଇ ପଡ଼ନ୍ତି, ଘରେ ମଧ୍ୟ ଭାରାକ୍ରାନ୍ତ ହୋଇ ପଡ଼ନ୍ତି। ମାନସିକ ଉତ୍ତେଜନା ସୃଷ୍ଟିକାରୀ ହରମୋନ୍‌ ନିର୍ଗମନ ହୁଏ। ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ଏମାନଙ୍କ କାର୍ଯ୍ୟ। ଅନ୍ୟଦିଗରେ ଧ୍ୟାନ ଏକ ସମ୍ପୂର୍ଣ୍ଣ ଭିନ୍ନ କାର୍ଯ୍ୟ, ଯାହା ବିଶ୍ରାମ ଏବଂ ହଜମ କାର୍ଯ୍ୟକୁ ସକ୍ରିୟ କରେ। ଦୈନିକ ଭାବରେ ଧ୍ୟାନର ଅଭ୍ୟାସ କଲେ ରକ୍ତଚାପ କମ୍‌ ହେବା ସହିତ ହୃଦ୍‌ରୋଗ ଆଶଙ୍କା କମିଥାଏ। ଯୋଗ, ହସ ଏବଂ ସଙ୍ଗୀତ ମଧ୍ୟ ହୃତ୍‌ପିଣ୍ଡକୁ ସୁସ୍ଥ ରଖେ।

ଡା.ରମାକାନ୍ତ ପଣ୍ଡା,  ହୃଦ୍‌ଶଲ୍ୟ ବିଶେଷଜ୍ଞ
ଅଧ୍ୟକ୍ଷ, ଏସିଆନ ହାର୍ଟ ଇନ୍‌ଷ୍ଟିଚ୍ୟୁଟ, ମୁମ୍ବାଇ