ଏଭଳି ଅନେକ ଖରାଦିନିଆ ଖାଦ୍ୟ ରହିଛି ଯାହା ଅତ୍ୟାବଶ୍ୟକ ପୋଷକତତ୍ତ୍ବ ଓ ‘ଆଣ୍ଟିଅକ୍ସିଡାଣ୍ଟ’ ଯୋଗାଇ ଶରୀରରେ ପ୍ରଦାହକୁ ହ୍ରାସ କରିବା ସହ ରୋଗପ୍ରତିରୋଧକ ଗୁଣକୁ ପ୍ରୋତ୍ସାହିତ କରିଥାଏ ଏବଂ ଜାରକଜନିତ (ଅକ୍ସିଡେଟିଭ୍‌) ଚାପରୁ ସୁରକ୍ଷା ଦେଇଥାଏ। ଆଜି ସେଭଳି କିଛି ଗ୍ରୀଷ୍ମକାଳୀନ ଖାଦ୍ୟ ବାବଦରେ ଆଲୋଚନା କରିବା, ଯାହା ଫୁସ୍‌ଫୁସ୍‌ ସ୍ବାସ୍ଥ୍ୟ ପାଇଁ ବରଦାନ ସଦୃଶ। ସେଥି ମଧ୍ୟରେ ପ୍ରଥମେ ଆସିବ ତରଭୁଜ, ଯହିଁରେ ଭିଟାମିନ୍‌ ସି ପରି ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଛି। ଏହା ‘ଫ୍ରି ରାଡିକାଲ୍‌ସ’ ନାମକ କ୍ଷତିକାରକ ଅଣୁ ଦ୍ବାରା ନଷ୍ଟ ହୋଇଯାଉଥିବା ଫୁସ୍‌ଫୁସ୍‌ର ତନ୍ତୁଗୁଡ଼ିକୁ ରକ୍ଷା କରିଥାଏ। ଏଥିରେ ଥିବା ପ୍ରଚୁର ଜଳୀୟ ଅଂଶ ଭୀଷଣ ଗରମରେ ଶରୀରକୁ ଜଳାକ୍ତ ରଖି ଫୁସ୍‌ଫୁସ୍‌ କ୍ରିୟାକୁ ଉନ୍ନତ କରିଥାଏ।

Advertisment

ଷ୍ଟ୍ରବେରି, ବ୍ଳୁବେରି ଓ ରାସବେରି ଆଦିରେ ପ୍ରଭୂତ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଓ ଫ୍ଲେଭିନଏଡ୍‌ସ ରହିଛି ଯାହାର ପ୍ରଦାହ ବିରୋଧୀ ଗୁଣ ଫୁସ୍‌ଫୁସ୍‌ରେ ପ୍ରଦାହକୁ ହ୍ରାସ କରି ଶ୍ବାସକ୍ରିୟାରେ ଉନ୍ନତି ଆଣିପାରିବ। ଟମାଟୋ ବା ବିଲାତି ବାଇଗଣ ହେଉଛି ‘ଲିକୋପିନ୍‌’ ନାମକ ଆଣ୍ଟିଅକ୍ସିଡାଣ୍ଟର ଗନ୍ତାଘର। ଏହା ଆଜ୍‌ମା ପରି ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିପାରିବ। ସେହିପରି ପାଳଙ୍ଗ ଶାଗରେ ଭିଟାମିନ୍‌ ସି, ଭିଟାମିନ୍‌ ଇ ସମେତ ପ୍ରଚୁର ପରିମାଣର ବିଟା-କ୍ୟାରୋଟିନ୍‌ ରହିଛି, ଯାହା ପ୍ରଦାହ ହ୍ରାସ କରି ଫୁସ୍‌ଫୁସ୍‌ର ତନ୍ତୁଗୁଡ଼ିକୁ ଦୃଢ଼ କରିଥାଏ।

ଖରାଦିନେ ଆମେ ଅଧିକ ଜଳୀୟ ଅଂଶଥିବା ଫଳମୂଳ ଖାଇବାକୁ ପସନ୍ଦ କରୁ। ଏଗୁଡ଼ିକ ସ୍ବାଦିଷ୍ଠ ହେବା ସହ ଆମର ଫୁସ୍‌ଫୁସ୍‌ ଲାଗି ମଧ୍ୟ ଉପକାରୀ ହୋଇଥାଆନ୍ତି।

ବ୍ରୋକୋଲିରେ ଥିବା ‘ସଲ୍‌ଫରାଫେନ୍‌’ର ଶକ୍ତ ପ୍ରଦାହବିରୋଧୀ ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଫୁସ୍‌ଫୁସ୍‌ରୁ କ୍ଷତିକାରକ ପଦାର୍ଥଗୁଡ଼ିକୁ ନିଷ୍କାସିତ କରି ଫୁସ୍‌ଫୁସ୍‌ କର୍କଟ ଓ ଅନ୍ୟାନ୍ୟ ଫୁସ୍‌ଫୁସ୍‌ ରୋଗ ଆଶଙ୍କା କମ୍ କରିଥାଏ। ଭିଟାମିନ୍‌ ସି ଖୁନ୍ଦି ହୋଇ ରହିଥିବା କମଳା ଆମର ରୋଗପ୍ରତିରୋଧକ ପ୍ରଣାଳୀକୁ ସୁଗମ କରି ବିଭିନ୍ନ ପ୍ରକାର ଫୁସ୍‌ଫୁସ୍‌ ସଂକ୍ରମଣରୁ ରକ୍ଷା କରିଥାଏ। ସାଲମନ୍‌ ମାଛରେ ଓମେଗା-୩ ଚର୍ବିଳାମ୍ଳ ଭରପୂର ରହିଛି, ଯାହା ପ୍ରଦାହ କମାଇ ଫୁସ୍‌ଫୁସ୍‌ କ୍ରିୟାକୁ ଉନ୍ନତ କରିଥାଏ। ଭିଟାମିନ୍‌ ଇ ଭରି ରହିଥିବା ଆଭୋକାଡ୍ରୋ ମଧ୍ୟ ଏକ ଉନ୍ନତ ମାନର ପ୍ରତିଉପଚାୟକ। ଆଲମଣ୍ଡ୍‌ ହେଉଛି ମ୍ୟାଗ୍ନେସିଅମ୍‌ ଖଣିଜର ଏକ ଉତ୍ତମ ଉତ୍ସ, ଯାହା ଶ୍ବାସନଳୀର ମାଂଶପେଶୀକୁ ନମନୀୟ ରଖି ଶ୍ବାସକ୍ରିୟାକୁ ସୁଗମ କରିଥାଏ। ସବୁଜ ଚା’ରେ ଥିବା ପଲିଫିନଲ୍‌ସ୍ ପରି ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟର ପ୍ରଦାହବିରୋଧୀ ଓ କର୍କଟବିରୋଧୀ ଗୁଣ ରହିଛି। ତେଣୁ ସବୁଜ ଚା’ ପିଇଲେ ଫୁସ୍‌ଫୁସ୍‌ କର୍କଟରୁ ରକ୍ଷା ମିଳିପାରିବ।