ବେଳେ ବେଳେ ଆମେ ଛାତିପୋଡ଼ାକୁ ହୃଦ୍ଘାତ ବୋଲି ଭାବିନେଉ। ପୁଣି ହୃଦ୍ଘାତକୁ ବୁକୁପୋଡ଼ା ବୋଲି ମନେକରିଥାଉ। ତେବେ ଏଇ ଦୁଇଟି ଭିତରେ ରହିଥିବା ପାର୍ଥକ୍ୟକୁ ବୁଝିବା ନିହାତି ଜରୁରି। ଛାତିପୋଡ଼ା ସାଧାରଣତଃ ହଜମକ୍ରିୟା ସହ ଜଡ଼ିତ ଥିବା ବେଳେ ହୃଦ୍ଘାତ ମୁଖ୍ୟତଃ ହୃତ୍ପିଣ୍ଡ କ୍ରିୟା ସହ ଜଡ଼ିତ, ଯାହାର ତ୍ବରିତ ଚିକିତ୍ସା ଜରୁରି। ଉଭୟ ଶାରୀରିକ ପ୍ରତିକ୍ରିୟା ମଧ୍ୟରେ ରହିଥିବା ପାର୍ଥକ୍ୟକୁ ବୁଝିପାରିଲେ ଗୋଟିକର ଦୂରୀକରଣ ପାଇଁ ଅନ୍ୟଟିର ଚିକିତ୍ସା କରାଇବାର ତ୍ରୁଟି ରହିବନି ଏବଂ ତୁରନ୍ତ ଚିକିତ୍ସା କରାଇ ଜୀବନ ବଞ୍ଚାଇହେବ।
ବୁକୁପୋଡ଼ାର ଲକ୍ଷଣ
ଯେତେବେଳେ ପାକସ୍ଥଳୀରେ କ୍ଷରିତ ଅମ୍ଳ ଉଠି ଆସି ଖାଦ୍ୟନଳୀ ବା ନିଗଳ(ଓସୋଫାଗସ୍)ରେ ପହଞ୍ଚିଯାଏ, ସେତେବେଳେ ବୁକୁପୋଡ଼ା ଆରମ୍ଭ ହୁଏ, ଯାହାକୁ ‘ଏସିଡ୍ ରିଫ୍ଳକ୍ସ’ କୁହାଯାଏ। ଓସୋଫାଗସ୍ର ପାର୍ଶ୍ବଗୁଡ଼ିକୁ ଉକ୍ତ ଏସିଡ୍ ଉତ୍ତେଜିତ କରିବା ଯୋଗୁଁ ଏପରି ଅସ୍ବସ୍ତିକର ଅନୁଭବ ଆସିଥାଏ। ପିଞ୍ଜରାର ଠିକ୍ ପଛପଟେ ଅନୁଭୂତ ଏହି ଯନ୍ତ୍ରଣା ସାଧାରଣତଃ କେଇ ମିନିଟ୍ରୁ କେଇ ଘଣ୍ଟା ଯାଏ ଜାରି ରହିଥାଏ। ଏଥିଯୋଗୁଁ କିଛି ବି ଖାଇବା ପରେ ପରେ ପାଟିକୁ ଟିକେ ଅମ୍ଳୀୟ ବା ପିତାଳିଆ ସ୍ବାଦ ଲାଗିଥାଏ। ବେଳେ ବେଳେ ଉକ୍ତ ଅମ୍ଳ ତଣ୍ଟି ଯାଏ ବ୍ୟାପି ଆସିବାରୁ ଅଜୀର୍ଣ୍ଣ ହାକୁଟି ଆସିଥାଏ। ଏପରି ଛାତି ଭିତରର ଜଳାପୋଡ଼ା ଅନୁଭବ ବେଳେ ବେଳେ ହୃତ୍ପିଣ୍ଡରେ ସମସ୍ୟା ବୋଲି ଅନେକଙ୍କୁ ଭ୍ରମରେ ପକାଇଥାଏ। ମାତ୍ର ଏହା ଖାଦ୍ୟ ପାଚନ ଜନିତ ସମସ୍ୟା।
ହୃଦ୍ଘାତର ଲକ୍ଷଣ
ଯେତେବେଳେ ହୃତ୍ପିଣ୍ଡ ମାଂସପେଶୀର କୌଣସି ସ୍ଥାନକୁ ରକ୍ତ ସଂଚାଳନ ବନ୍ଦ ହୋଇଯାଏ, ହୃଦ୍ଘାତ ସମସ୍ୟା ଦେଖାଦେଇଥାଏ। ବିଶେଷ କରି ଧମନୀରେ କୌଣସି ଖାଦ୍ୟ କଣିକା ଜମି ରହିବାରୁ ଏପରି ଘଟିଥାଏ। ଆବଶ୍ୟକ ପରିମାଣର ରକ୍ତ ସଂଚାଳନ ନପାଇ ହୃତ୍ପିଣ୍ଡର ମାଂସପେଶୀ ଠିକ୍ରେ ସଂକୋଚନ କି ପ୍ରସାରଣ କାର୍ଯ୍ୟ କରିପାରେନାହିଁ। ଫଳରେ ଛାତିର ଠିକ୍ ମଧ୍ୟଭାଗରେ ଭିଡ଼ିମୋଡ଼ି ହେଲା ପରି ଲାଗିବା ସହ ଭୀଷଣ ଚାପଦେଇ କିଏ ମାଡ଼ିବସିଲା ପରି ମନେହୁଏ। ଧୀରେ ଧୀରେ ଏହି ଯନ୍ତ୍ରଣା ଚିବୁକ, ବେକ, ପିଠି ଓ ବାହୁ ଆଦି ସ୍ଥାନକୁ ପ୍ରସାରିତ ହୋଇଥାଏ। ଛାତିରେ ଯନ୍ତ୍ରଣା ସହିତ ଶ୍ବାସକ୍ରିୟା କରିବାରେ ମଧ୍ୟ କଷ୍ଟ ଅନୁଭୂତ ହୁଏ। ଅଧିକାଂଶ କ୍ଷେତ୍ରରେ ପୀଡ଼ିତଙ୍କ ଦେହରୁ ଥଣ୍ଡା ପରିବେଶରେ ମଧ୍ୟ ଝାଳ ନିର୍ଗତ ହେବା ସହ ଓକାର ଆସିବା ଓ ବାନ୍ତି କଲା ଭଳି ଅନୁଭବ ଆସିଥାଏ।