ହେପାଟାଇଟିସ୍‌, ଯକୃତ ଓ ଫାଇବ୍ରୋସ୍କାନ୍‌

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର

କରୋନା ମହାବିଭୀଷିକା ଭିତରେ ଚଳିତ ବର୍ଷ ହେପାଟାଇଟିସ୍‌ ଦିବସ ପାଳନର ଗୁରୁତ୍ୱ ବଢ଼ିଛି। ଚଳିତ ବର୍ଷ ହେପାଟାଇଟିସ୍ ଦିବସ ନିମିତ୍ତ ଯେଉଁ ବାର୍ତ୍ତା ରହିଛି ତାହା ହେଉଛି ‘ଆଇ କ୍ୟାନ ନଟ୍ ୱେଟ’ (ମୁଁ ଅପେକ୍ଷା କରିପାରିବ ନାହିଁ)। ଲିଭର ବା ଯକୃତ (କଲିଜା) ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି। ଏହାର ଲମ୍ବ ୨୦ ସେ.ମି., ଓସାର ୧୬ ସେ.ମି. ଓ ଉଚ୍ଚତା ପ୍ରାୟ ୧୨ ସେ.ମି., ଓଜନ ପ୍ରାୟ ଦେଢ଼ରୁ ଦୁଇ କି.ଗ୍ରା। କଲିଜା ହେଉଛି ଶରୀରର ଏକ ରାସାୟନିକ ବିଜ୍ଞାନାଗାର। ଏହା ଶରୀରରେ ନଷ୍ଟ ହେଉଥିବା ଲୋହିତ ରକ୍ତକଣିକାରୁ ହିମୋଗ୍ଲୋବିନ ବାହାର କରି ତାକୁ ଭାଙ୍ଗି ପୁଣି ନୂଆ ହିମୋଗ୍ଲୋବିନ ହେବା ପାଇଁ ଉପାଦାନ ସୃଷ୍ଟି କରିଥାଏ। ରକ୍ତ ଜମାଟ ବାନ୍ଧିବା ପାଇଁ ଯେଉଁ ଉପାଦାନର ଆବଶ୍ୟକତା ରହିଛି ଯଥା ପ୍ରୋଥ୍ରୋମ୍ବିନ ଓ ଫିବ୍ରିନୋଜେନ୍ ତାହା ଯକୃତରେ ହିଁ ତିଆରି ହୁଏ। ପିତ୍ତ କ୍ଷରଣ ହେଉଛି ଯକୃତର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ରକ୍ତରେ ଗ୍ଲୁକୋଜର ପରିମାଣ ଅଧିକ ହେଲେ ଯକୃତ ଏହାକୁ ଗ୍ଲାଇକୋଜେନ୍‌ରେ ପରିଣତ କରି ନିଜ ଭିତରେ ସଞ୍ଚୟ କରି ରଖେ। ଉପବାସ ସମୟରେ ରକ୍ତରୁ ଗ୍ଲୁକୋଜର ପରିମାଣ କମିଗଲେ ଯକୃତ ଗ୍ଲାଇକୋଜେନ୍‌କୁ ଗ୍ଲୁକୋଜରେ ପରିଣତ କରି ଶର୍କରାର ଭାରସାମ୍ୟ ରକ୍ଷା କରେ।

ଯକୃତ ବା କଲିଜାରେ ତନ୍ତୁ ଜମିଗଲେ ପ୍ରଦାହ ବା କ୍ଷତ ହୋଇ ସଂଯୋଜକ ତନ୍ତୁରେ ମୋଟାଦାଗ ଜମିଗଲେ ଏହା ଯକୃତର କାର୍ଯ୍ୟକ୍ଷମତାକୁ କମାଇ ଦିଏ। ଅତ୍ୟଧିକ ମଦ୍ୟପାନ, ଚର୍ବି ଜାତୀୟ ଖାଦ୍ୟ, ହେପାଟାଇଟିସ୍ ‘ବି’, ‘ସି’ ଓ ‘ଡି’ ସଂକ୍ରମଣ, ମଧୁମେହ, ପିତ୍ତକୋଷ ରୋଗ କିମ୍ବା ଅତ୍ୟଧିକ ଲୌହକଣା ଜମିଗଲେ ଲିଭରରେ ସୂତ୍ରତନ୍ତୁମୟତା ସୃଷ୍ଟି ହୁଏ ଓ ଯକୃତ ସଂକୁଚିତ ହୋଇ ଉପରିଭାଗରେ ଛୋଟ ଛୋଟ ଗ୍ରନ୍ଥିକା ସୃଷ୍ଟି ହୋଇ ସିରୋସିସ୍ ରୋଗରେ ରୂପାନ୍ତରିତ ହୁଏ। ଏହି ସୂତ୍ରତନ୍ତୁମୟତାକୁ ମାପିବା ପାଇଁ ଲିଭରରୁ ଜୀବନ୍ତତନ୍ତୁ ନେଇ ପରୀକ୍ଷା କରାଯାଏ। ଲିଭରକୁ କ୍ଷତି ନକରି ବା କୌଣସି ପ୍ରକାର ଛୁଞ୍ଚି ଦ୍ୱାରା ଜୀବନ୍ତ ତନ୍ତୁ ନ ନେଇ ଫାଇବ୍ରୋସ୍କାନ ମାଧ୍ୟମରେ ଏହି ସୂତ୍ରତନ୍ତୁମୟତାକୁ ମାପିହେବ। ଦଶ ମିନିଟ ଭିତରେ ଏହି ପରୀକ୍ଷା ଶେଷ ହୁଏ। ଏଥିରେ କୌଣସି କଷ୍ଟ ହୁଏନାହିଁ ବା ରକ୍ତ ବାହାରେ ନାହିଁ। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଲିଭର ବିଭାଗରେ ଏହି ପରୀକ୍ଷା ମାଗଣାରେ କରାଯାଉଛି। ତନ୍ତୁମୟତା ଯେତେ ଅଧିକ ହୁଏ ଲିଭରର କାର୍ଯ୍ୟକ୍ଷମତା ମଧ୍ୟ ସେତେ ପରିମାଣରେ ବ୍ୟାହତ ହୁଏ ଓ ଧୀରେ ଧୀରେ ଏହା ସିରୋସିସ୍ ରୋଗରେ ଆକ୍ରାନ୍ତ ହୁଏ। ରୋଗୀ ମଦ୍ୟପାନ, ଚର୍ବିଜାତୀୟ ଖାଦ୍ୟରୁ ବିରତ ରହି ସହଜ ପାଚ୍ୟ ନିରାମିଷ ଖାଦ୍ୟ ଗ୍ରହଣ ଓ କିଛି ସମୟ ବ୍ୟାୟାମ କରିବା ଦ୍ବାରା ଯକୃତର ସ୍ୱାସ୍ଥ୍ୟରକ୍ଷା କରିହେବ।

ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ,
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
ମୋ: ୯୪୩୭୦୫୧୯୫୭

ସମ୍ବନ୍ଧିତ ଖବର