ହିନ୍ଦୀରେ ‘ହିଚ୍କି’। ଓଡ଼ିଆରେ ଏହାକୁ ହିକ୍କା, ହିକା, ହିକୁଆ, ହାକୁଟି ଓ ହାକୁଡ଼ି ବୋଲି କୁହାଯାଇଥାଏ। ଶବ୍ଦକୋଷ ମୁତାବକ ‘ହିକା’ର ଅର୍ଥ ହେଲା, ଗର୍ଭସ୍ଥ ରୁଦ୍ଧ ବାୟୁ ପାଟି ବାଟେ ସରଳ ଭାବେ ବାହାରି ନ ଆସିବା ଫଳରେ ଜାତ ଶବ୍ଦ। ରୋଗର ଉପସର୍ଗ ବିଶେଷ। ତେବେ ‘ଏଉଡ଼ି’ ଶବ୍ଦ ସହ ଏହାର କୌଣସି ସମ୍ବନ୍ଧ ନାହିଁ। ‘ଏଉଡ଼ି’ ରୋଗର ଉପସର୍ଗ ନୁହେଁ, ଏହା ତୃପ୍ତିର ଲକ୍ଷଣ। ଏହା ଖାଇ ସାରିବା ପରେ, ପାଣି ପିଇବା ପରେ ପେଟ ଭିତରୁ ବାୟୁର ବାହାରକୁ ଆସିବା ଶବ୍ଦ। ତେବେ ହିକା ବା ହାକୁଟି ଅନେକ ସମୟରେ ସାଧାରଣ ମନେ ହେଉଥିଲେ ବି କେତେକ ସମୟରେ ଏହାର ଉପଚାର ଲୋଡ଼ା ପଡ଼ିଥାଏ।
କାହିଁକି ଆସେ ହାକୁଟି?
ଏହାକୁ ନେଇ ବୈଜ୍ଞାନିକ କାରଣ ଯାହା ହେଇ ଥାଉନା କାହିଁକି ଏହାକୁ ନେଇ କିଛି ମିଥ୍ ମଧ୍ୟ ରହିଛି। କେତେକଙ୍କ ବିଶ୍ୱାସରେ କେହି ଯିଦ କାହାକୁ ମନେ ପକାଏ ତେବେ ଯାହାକୁ ମନେ ପକାଯାଉଥାଏ ତା’ର ହାକୁଟି ଉଠେ। ମାତ୍ର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରୁ ଦେଖିଲେ ଆମର ଛାତି ଏବଂ ପେଟ ମଝାମଝି ଏକ ମାଂସାପେଶୀ ରହିଛି। ଏହାକୁ ଡାୟାଫ୍ରାମ ବୋଲି କୁହାଯାଏ। ଡାୟାଫ୍ରାମ ଉକ୍ତ ଦୁଇଭାଗକୁ ପୃଥକ ରଖିବାରେ ସାହାଯ୍ୟ କରେ ଏବଂ ଶ୍ୱାସପ୍ରଶ୍ୱାସ ନେବା ଛାଡ଼ିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। କୌଣସି କାରଣରୁ ଯଦି ଡାୟାଫ୍ରାମ ସଙ୍କୁଚିତ ହୁଏ ତେବେ ଫୁସ୍ଫୁସ୍ ବାହାରର ବାୟୁ ତୀବ୍ର ଭାବେ ଭିତରକୁ ଟାଣିଥାଏ। ଏହାଦ୍ୱାରା ଶ୍ୱାସକ୍ରିୟାରେ ଅସ୍ୱାଭାବିକତା ପରିଲକ୍ଷିତ ହୋଇଥାଏ। ଏହା ହିକାର କାରଣ ହୋଇଥାଏ।
ତେବେ ଏପରି ଘଟେ କାହିଁକି?
ଅଧିକ ମାତ୍ରାରେ ଭୋଜନ କରିବା, ଶୀଘ୍ର ଶୀଘ୍ର ଭୋଜନ କରିବା, ଧୂମପାନ, ଚିଉଇଙ୍ଗ୍ଗମ୍ ଚୋବାଇବା, ପେଟରେ ଗ୍ୟାସ୍, ଏସିଡିଟି, ତନ୍ତ୍ରରେ ଅସ୍ୱାଭାବିକତା, ଅତ୍ୟଧିକ ମଦ୍ୟପାନ ଆଦି ହିକାର କାରଣ ହୋଇଥାଏ। ପେଟ ବା ଅନ୍ତ୍ରରେ କୌଣସି ସମସ୍ୟା ଥିଲେ, କ୍ଷତିକାରକ ଧୂଆଁ ଏପରିକି କିଛି ଔଷଧର ପ୍ରଭାବରୁ ମଧ୍ୟ ଏହା ହୋଇଥାଏ। ଏହାବାଦ୍ ବହୁ ସମୟ ଧରି କାନ୍ଦିଲେ, ଛୋଟପିଲା ଥଣ୍ଡା ରୋଗରେ ପୀଡ଼ିତ ହୋଇଥିଲେ, ନବଜାତ ଶିଶୁ ମା’ କ୍ଷୀର ଅଧିକ ପିଇବା ଦ୍ୱାରା ହିକା ଆସିଥାଏ। ପିଲା ବର୍ଷକର ହୋଇଥିଲେ ତା’ଠାରେ ଏହି ଲକ୍ଷଣ ପ୍ରକାଶ ପାଇବା ଏକ ସାଧାରଣ କଥା। ତେଣୁ ଏହାକୁ ନେଇ ଚିନ୍ତିତ ହେବାର କୌଣସି କାରଣ ନାହିଁ। ତେବେ କୌଣସି ଶିଶୁର ରିଫ୍ଲକ୍ସ ସମସ୍ୟା ଥିଲେ ତା’ଠାରେ ହିକା ଆସିବାର ସମ୍ଭାବନା ବଢ଼ିଯାଏ।
ତେବେ ଏ ହିକା ଆସିବା କ’ଣ ଖରାପ?
ଏମିତିରେ ହିକା ଉଠିବା ଏତେ ବଡ଼ ସମସ୍ୟା ନୁହେଁ। ତେବେ ବାରମ୍ବାର ଯଦି ହିକା ଉଠୁଥାଏ, ତା’ ସହିତ ଜ୍ୱର ଆସିବା, ଯନ୍ତ୍ରଣା ହେବା, ଶ୍ୱାସ ଗ୍ରହଣରେ କଷ୍ଟ ଅନୁଭବ କରିବା କିମ୍ବା ବାନ୍ତି ବାନ୍ତି ଲାଗିବା ସମସ୍ୟା ଦେଖାଦେଲେ ଏହା ବିପଦଜନକ ହୋଇଥାଏ। ଏମିତି ହାକୁଟି ଅଳ୍ପ ସମୟ ପାଇଁ ରହିଥାଏ। ତେବେ ହାକୁଟି ତିନିଘଣ୍ଟାରୁ ଅଧିକ ସମୟ ପାଇଁ ଲାଗି ରହିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଦରକାର।