ଚାଲିବା, ଦୌଡ଼ିବା, ନାଚିବା, ବ୍ୟାୟାମ କରିବା ଆଦି ଆମ ଦୈନନ୍ଦିନ କାର୍ଯ୍ୟକଳାପ। ଆପଣ ଜାଣିଛନ୍ତି କି ଏସବୁ କରିବାକୁ ଆମ ଶରୀରର ‘ହିପ୍ ଜଏଣ୍ଟ୍’ ହିଁ ଆମକୁ ସକ୍ଷମ କରିଥାଏ। ଥରେ ଭାବନ୍ତୁ, ଦୁର୍ଘଟଣା ହେଉ ଅବା କୌଣସି ରୋଗ କାରଣରୁ ହିପ୍ ଜଏଣ୍ଟ୍ରେ ଯଦି କିଛି ଆଘାତ ଲାଗେ ବା ଅସୁବିଧା ହୁଏ, ତେବେ କ’ଣ ହେବ? ଚାଲିବା, ବସିବା, ଉଠିବାଠାରୁ ଅତି ସାଧାରଣ ଅଥଚ ଗୁରୁତ୍ବପୂର୍ଣ୍ଣ କାମ ସବୁ ବନ୍ଦ ହୋଇଯିବ। ଗୋଟିଏ ମୁହୂର୍ତ୍ତରେ ଆମେ ଭିନ୍ନକ୍ଷମ ହୋଇ ଅନ୍ୟ ଉପରେ ନିର୍ଭରଶୀଳ ହୋଇଯିବା। ହେଲେ ଆଧୁନିକ ଚିକିତ୍ସା ବିଜ୍ଞାନ ଏ ସମସ୍ୟାର ସମାଧାନ ଖୋଜିସାରିଛି। ‘ହିପ୍ ଜଏଣ୍ଟ୍’ର ଗୁରୁତ୍ବ ଓ ହିପ୍ ପ୍ରତିରୋପଣ ସମ୍ପର୍କରେ ମଣିପାଲ ହସ୍ପିଟାଲ୍ର ହିପ୍ ସର୍ଜନ ଡାକ୍ତର କିଶୋର କୁମାର ପଣ୍ଡାଙ୍କ ସହ ଏହି ସଂକ୍ଷିପ୍ତ ଆଲୋଚନା।
ଶରୀରରେ ହିପ୍ ଜଏଣ୍ଟ୍ର କାମ କ’ଣ?
ଅଣ୍ଟାର ତଳ ଭାଗକୁ ହିପ୍ ଜଏଣ୍ଟ୍ କୁହାଯାଇଥାଏ। ପେଲ୍ଭିକ୍ ହାଡ଼, ଜଂଘ ହାଡ଼ ଓ ମେରୁଦଣ୍ଡ ‘ହିପ୍ ଜଏଣ୍ଟ୍’ରେ ମିଳିତ ହୋଇଥାନ୍ତି। ଏହି ଜଏଣ୍ଟ୍ ଯୋଗୁଁ ଆମ ଶରୀରର ଭାର ମେରୁଦଣ୍ଡକୁ ସ୍ଥାନାନ୍ତର ହୋଇଥାଏ ଓ ଆମେ ଚାଲିବାକୁ ସକ୍ଷମ ହୋଇଥାଉ। ‘ହିପ୍ ଜଏଣ୍ଟ୍’ର ଦୁଇଟି ଭାଗ ଥାଏ। ଗୋଟିଏ ହେଉଛି ଏସେଟାବୁଲମ୍ (ସକେଟ୍) ଓ ଅନ୍ୟଟି ହେଉଛି ଫିମର ହେଡ୍ (ବଲ୍)।
କେଉଁ ଅବସ୍ଥାରେ ହିପ୍ ପ୍ରତିରୋପଣ ହୁଏ?
ସକେଟ୍ରେ ଆଘାତ ଲାଗିଲେ ବା ଭାଙ୍ଗିଗଲେ, ହିପ୍ ଜଏଣ୍ଟ୍ ବୁଲିବା ବା ସଂଚାଳନ ବନ୍ଦ ହୋଇଗଲେ ସକେଟ୍କୁ ପୂର୍ବାବସ୍ଥାକୁ ଆଣିବାକୁ ଚେଷ୍ଟା କରାଯାଏ। ଏଥିପାଇଁ ହିପ୍ ସର୍ଜନମାନେ ପ୍ଲେଟିଂ କରି ବୋନ୍ ହିଲିଂ କରିଥା’ନ୍ତି। ବେଳେବେଳେ ସକେଟ୍ ସହ ହିପ୍ ହେଡ୍ ମଧ୍ୟ ଆଘାତ ପାଇ ଭାଙ୍ଗି ବା ଫାଟି ଯାଇଥାଏ। ଯଦି ଏହି ହାଡ଼ ପୁନଃନିର୍ମିତ ହୋଇପାରିବ ତେବେ ଏହାକୁ ପୁଣି ଥରେ ନିର୍ମାଣ କରାଯାଏ। ଯଦି ହିପ୍ ହେଡ୍ ଭାଙ୍ଗି ଗୁଣ୍ଡ ହୋଇଯାଇଥାଏ, ତେବେ ପ୍ରତିରୋପଣ କରିବାକୁ ପଡ଼େ।
କରୋନା ଯୋଗୁଁ ‘ହିପ୍ ଜଏଣ୍ଟ୍’ ପ୍ରଭାବିତ ହୋଇଛି କି?
ଆମେ ଏବେ କରୋନା ପରବର୍ତ୍ତୀ ଯୁଗରେ ଅଛୁ। କରୋନା ପରବର୍ତ୍ତୀ ସମୟରେ ହିପ୍ ଜଏଣ୍ଟ୍ ସମସ୍ୟାରେ ଭିନ୍ନତା ଦେଖାଦେଇଛି। କରୋନାରେ ଆକ୍ରାନ୍ତ ହୋଇଥିବା ଲୋକମାନଙ୍କର ଫିମର ହେଡ୍ ବା ବଲ୍କୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେଉଛି। ଏହାକୁ ଆଭାସ୍କୁଲାର୍ ନେକ୍ରୋସିସ୍ କୁହାଯାଏ। ଫଳରେ ହିପ୍ର ସେହି ସ୍ଥାନର ଛୋଟ ଛୋଟ ରକ୍ତ ଚ୍ୟାନେଲ୍ ସବୁ ଅବରୋଧ ହୋଇଯାଉଛି। ଯାହାଦ୍ବାରା ଫିମର୍ ହେଡ୍ରେ ଥିବା କୋଷିକାଗୁଡ଼ିକର ମୃତ୍ୟୁ ଘଟୁଛି। ଫଳେର ବଲ୍ଟିର ଆକାର ବଦଳି ଏହା ବାତ ରୋଗରେ ପରିଣତ ହୁଏ।
ହିପ୍ ସର୍ଜରି ପରେ ପୂର୍ବଭଳି ଜୀବନ ବଞ୍ଚି ହୁଏ କି?
ଯନ୍ତ୍ରଣାହୀନ ଜୀବନ ପାଇଁ ଏହି ସର୍ଜରି କରାଯାଏ। ସର୍ଜରି ପରେ ରୋଗୀ ଶଯ୍ୟାଶାୟୀ ନ ରହି ନିଜେ ଚାଲେ, ନିଜ କାମ ନିଜେ କରିପାରେ ଓ ସାମାଜିକ ଜୀବନ ବଞ୍ଚିପାେର। ହିପ୍ ପ୍ରତିରୋପଣ କଲେ ଅତି କମ୍ରେ ୨୫ ବର୍ଷ ଯାଏ ପୁନଃ ସର୍ଜରି ଆବଶ୍ୟକ ପଡ଼େ ନାହିଁ।
ହିପ୍ ପ୍ରତିରୋପଣ ଭାରତକୁ କେବେ ଆସିଲା ଓ ଏବେକା ସ୍ଥିତି କ’ଣ?
ଭୁବନେଶ୍ବରରେ ପ୍ରତିଦିନ ଗୋଟିଏରୁ ଦୁଇଟି ହିପ୍ ପ୍ରତିରୋପଣ ହେଉଛି। ଏହି ସର୍ଜରି ଏବେ ଖୁବ୍ ସାଧାରଣ ହୋଇଗଲାଣି। ଭାରତକୁ ଏହି ସର୍ଜରି ୧୯୮୪ ମସିହାରୁ ଆସିଗଲାଣି। ୨୦୦୫ ମସିହାରୁ ଏହା ବହୁ ପ୍ରଚଳିତ ହେଲାଣି। ୫ ଲକ୍ଷ ଟଙ୍କା ଭିତରେ ଏହି ସର୍ଜରି ଏବେ ହୋଇପାରୁଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp