ଭୁବନେଶ୍ବର: ଖରା ଆସିଲେ, ମନ ଟିକେ ଥଣ୍ଡା ଖୋଜେ। ମାର୍ଚ୍ଚ ଆରମ୍ଭରୁ ରାଜଧାନୀରେ ତାତି ବଢ଼ୁଥିବା ବେଳ ରାଜଧାନୀବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରାସ୍ତାକଡ଼ରେ ଭଳିକି ଭଳି ଥଣ୍ଡା ପାନୀୟ ଦୋକାନ ଖୋଲି ଗଲାଣି। କେଉଁଠି ମାଟିହାଣ୍ଡିରେ ଲସି ମିଳୁଛି ତ ଆଉ କେଉଁଠି ଲେମ୍ବୁପାଣି, ପୁଦିନା ପାଣି, ବେଲ ସର୍ବତ ଶୋଷ ମେଣ୍ଟାଉଛି। ସେହିଭଳି ଖରାଦିନିଆ ଫଳର ବି ଚାହିଦା ବଢ଼ିଛି। ତରଭୁଜଠାରୁ ଆରମ୍ଭ କରି ଅଙ୍ଗୁର, ଲିଚୁ, ସପୁରି ଆଦି ରାଜଧାନୀ ରାସ୍ତାକଡ଼ରେ ଛାଇଗଲାଣି। ଖରାଦିନିଆ ପାନୀୟ ଓ ଫଳକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା...
ରାସ୍ତାକଡ଼ରେ ରାଜ୍ କରୁଛି ଆଖୁରସ
/sambad/media/post_attachments/wp-content/uploads/2023/03/57-4.jpg)
ବର୍ଷକ ବାର ମାସ ରାଜଧାନୀ ରାସ୍ତାକଡ଼ରେ ଆଖୁ ରସ ମିଳୁଥିଲେ ହେଁ ଖରାଦିନେ ହଠାତ୍ ଏହାର ଚାହିଦା ଅଧିକ ବଢ଼ିଯାଏ। ଏବେ ରାଜଧାନୀର ବିଭିନ୍ନ ଛକରେ ସକାଳ ୮ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଆଖୁ ରସ ବେପାର ବେଶ୍ ଜମୁଛି। ସମସ୍ତେ ଜାଣନ୍ତି, ଆଖୁ ରସ ମିଠା। କିନ୍ତୁ, ସେଥିରେ ଯଦି ଆମ୍ବକଷିଆ ଅଦା, ଲେମ୍ବୁ, ଲେମ୍ବୁପତ୍ର ମିଶାଇ ଦିଆଯାଏ, ତାହାର ବାସ୍ନା ଓ ସ୍ବାଦ ଦ୍ବିଗୁଣିତ ହୋଇଯାଏ। ବାଲିଅନ୍ତାର ଆଖୁ ଚାଷୀ ନୀଳାଦ୍ରି ଭାଇ ଆଖୁରସରେ ଏମିତି ନୂଆ ନୂଆ ପରୀକ୍ଷାନିରୀକ୍ଷା କରି ଅଧିକରୁ ଅଧିକ ଗ୍ରାହକଙ୍କୁ ନିଜ ଠେଲା ନିକଟକୁ ଟାଣିବାକୁ ଚେଷ୍ଟା କରୁଛନ୍ତି। ଶ୍ରୀୟା ଛକରେ ବେପାର କରୁଥିବା ନୀଳାଦ୍ରି ଭାଇ ଅନ୍ୟ କୌଣସି ବେପାରୀଙ୍କଠାରୁ ଆଖୁ କିଣନ୍ତିନି। ନିଜ ବିଲରେ ଆଖୁ ଚାଷ କରି ରାଜଧାନୀକୁ ବିକିବାକୁ ଆସନ୍ତି। ମାର୍ଚ୍ଚ ଆରମ୍ଭରୁ ପ୍ରତିଦିନ ତାଙ୍କର ୫ ଶହରୁ ୬ ଶହ ଗ୍ଲାସ୍ ଆଖୁରସ ବିକ୍ରି ହେଉଛି ବୋଲି ସେ କହିଛନ୍ତି। ଛୋଟ ଗ୍ଲାସ୍ର ଦାମ୍ ୧୫ଟଙ୍କା ରହିଥିବା ବେଳେ ବଡ଼ ଗ୍ଲାସ୍ର ଦାମ୍ ୨୦ ଟଙ୍କା ରହିଛି। ତେବେ ବାହାରୁ ଆଖୁ କିଣୁ ନଥିବାରୁ ଯେତିକି ରୋଜଗାର ହୁଏ, ସବୁ ତାଙ୍କର ଲାଭ।
ମାଟି ହାଣ୍ଡିରେ ଲସି
/sambad/media/post_attachments/wp-content/uploads/2023/03/59-3.jpg)
ରାଜଧାନୀରେ ଲସିର ଏକ ଅଲଗା ପ୍ରକାର ଚାହିଦା ରହି ଆସିଛି। ସେଇ ଦହି, ରାବିଡି, କାଜୁ, କିସମିସ୍, ନଡ଼ିଆରୁ ଲସି ପ୍ରସ୍ତୁତ ହେଉଥିଲେ ମଧ୍ୟ କିଛି ଦୋକାନୀ ଏଥିରେ ଟିକିଏ ଭିନ୍ନତା ଆଣି ଗ୍ରାହକଙ୍କୁ ନିଜ ଦୋକାନକୁ ଟାଣିବାକୁ ଚେଷ୍ଟା କରୁଛନ୍ତି। କଳ୍ପନା ଛକରେ ଥିବା ମା’ ମଙ୍ଗଳା ମାଟି ହାଣ୍ଡି ଲସି ଦୋକାନରେ ଗଣେଶ ଭାଇ ମାଟି ହାଣ୍ଡିରେ ଲସି ପରଷି ଗ୍ରାହକଙ୍କ ମନ ଜିଣୁଛନ୍ତି। ସୁସ୍ବାଦୁ ଲସି ସାଙ୍ଗକୁ ତାଙ୍କର ଏହି ନିଆରା ପରଷା ଶୈଳୀ ପାଇଁ ସେ ଦିନକୁ ପ୍ରାୟ ୫ଶହରୁ ଊର୍ଦ୍ଧ୍ବ ଲସି ହାଣ୍ଡି ବିକ୍ରି କରୁଛନ୍ତି। ଗୋଟିଏ ମାଟି ହାଣ୍ଡି ଲସିର ଦାମ୍ ୬୦ ଟଙ୍କା ରହିଥିବା ବେଳେ କାଚ ଗ୍ଲାସ୍ ଓ ଜରି ଗ୍ଲାସ୍ର ଦାମ୍ ୫୦ ଟଙ୍କା ରହିଛି। ଦୀର୍ଘ ୨୦ ବର୍ଷ ହେଲା ସେ ଏଠାରେ ବେପାର କରି ଆସୁଛନ୍ତି।
ସୁଆଦିଆ ଲେମ୍ବୁ ସରବତ୍
ଗରିବ ହେଉ କି ଧନୀ, ଘରକୁ କୁଣିଆ ଆସିଲେ ଚିନି/ଲୁଣ ମିଶା ଲେମ୍ବୁ ସରବତ୍ ଦେଇ ଚର୍ଚ୍ଚା କରିବା ପ୍ରତିଟି ଓଡ଼ିଆ ଘରର ପରମ୍ପରା। ଅବଶ୍ୟ ଯୁଗ ବଦଳିବା ସହ ଲେମ୍ବୁ ସରବତ୍ର ସ୍ଥାନ ଆଉ କିଛି ଥଣ୍ଡା ପାନୀୟ ନେଇ ଗଲେଣି। ଲେମ୍ବୁ ସରବତ୍ ବି ପଛରେ ପଡ଼ିନି। ଘରର ଏରୁଣ୍ଡି ଡେଇଁ ସେ ବି ବଜାରଘାଟ, ରାସ୍ତାକଡ଼ ମାଟିହାଣ୍ଡିକୁ ଚାଲି ଆସିଲାଣି। ଏହି ରାସ୍ତାକଡ଼ ଲେମ୍ବୁ ସରବତ୍ର ଚାହିଦା ଏବେ ରାଜଧାନୀରେ ବଢ଼ିବାରେ ଲାଗିଛି। ଲେମ୍ବୁ ପାଣିକୁ ଆଉ ଟିକେ ସୁଆଦିଆ କରିବା ପାଇଁ ସେଥିରେ ପୁଦିନା ପତ୍ର, ଆମ୍ବ କଷିଆ ଅଦା, କଞ୍ଚାଲଙ୍କା, ଜଲ୍ଜିରା, ପାନ ମଧୁରି ମିଶାଇ ଦୋକାନୀମାନେ ଆଉ ଟିକେ ସୁଆଦିଆ କରି ଦେଉଛନ୍ତି।
୧ ନମ୍ବର ହାଟ ନିକଟରେ ଲେମ୍ବୁ ସରବତ୍ ବିକୁଥିବା କ୍ରିଷ୍ଣା ପ୍ରଧାନ କହିଛନ୍ତି ଯେ ପ୍ରତିଦିନ ତାଙ୍କର ଦେଢ଼ ଶହରୁ ଦୁଇ ଶହ ଗ୍ଲାସ୍ ଲେମ୍ବୁ ସରବତ୍ ବିକ୍ରି ହେଉଛି। ଗ୍ଲାସ୍ର ଦାମ୍ ୧୦ ଟଙ୍କା ହୋଇଥିବାରୁ ଲୋକଙ୍କ ପକେଟ୍କୁ ଏହା ସୁହାଉଛି। ମଧ୍ୟାହ୍ନରେ ବେଶି ଭିଡ଼ ଜମୁଛି। ସେହିଭଳି ଝାରପଡ଼ା ଜେଲ୍ ସମ୍ମୁଖରେ ପିଣ୍ଟୁ ଭାଇଙ୍କ ବେଲ ପଣା ରାଜଧାନୀବାସୀଙ୍କର ଏକ ପସନ୍ଦ ପାନୀୟ ପାଲଟିଛି। ବେଲ ପଣା ଗୋଟିଏ ଗ୍ଲାସ୍ ପିଇଲେ ପୂରା ପେଟ ଥଣ୍ଡା ବୋଲି ଗ୍ରାହକମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ତାଜା ତାଜା ତରଭୁଜ
My Bara Bazarରାଜଧାନୀର ବଜାରଘାଟଠାରୁ ଆରମ୍ଭ କରି ଛକ ଛକରେ ତରଭୁଜର ପସରା ମେଲିଛି। ତରଭୁଜରେ ଜଳୀୟ ଅଂଶ ଅଧିକ ରହୁଥିବାରୁ ଲୋକମାନଙ୍କ ଏହା ଖରାଦିନିଆ ପ୍ରିୟ ଖାଦ୍ୟ ମଧ୍ୟରୁ ଅନ୍ୟତମ।
ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସ ସମ୍ମୁଖରେ ବସିଥିବା ତରଭୁଜ ବ୍ୟବସାୟୀଙ୍କ କହିବାନୁସାରେ, ଏବର୍ଷ ଫେବ୍ରୁ୍ଆରିରୁ ସେ ବେପାର ଆରମ୍ଭ କଲେଣି। ଧୀରେ ଧୀରେ ଲୋକଙ୍କ ଚାହିଦା ବଢ଼ୁଛି। ପ୍ରଥମେ ଦିନକୁ ୧ କ୍ବିଣ୍ଟାଲ୍ ଭିତରେ ବିକ୍ରି ହେଉଥିବାବେଳେ ଏବେ ତାହା ୫ କ୍ବିଣ୍ଟାଲ୍କୁ ଛୁଇଁ ଗଲାଣି। ସେ କେଜି ପିଛା ତରଭୁଜ ୩୦ ଟଙ୍କାରେ ବିକୁଥିବା ବେଳେ ପିସ୍କୁ ୧୦ଟଙ୍କାରେ ବିକୁଛନ୍ତି। ଏସବୁ ତରଭୁଜ ସେ ଢ଼େଙ୍କାନାଳରୁ ଆସୁଥିବା ସେ କହିଛନ୍ତି। ଏହାବ୍ୟତୀତ ରାଜଧାନୀରେ ସପୁରି, ଅଙ୍ଗୁର ବେପାର ମଧ୍ୟ ଜମୁଛି। ରାସ୍ତାରେ ଯାଉଥିବା ପଥଚାରୀମାନେ ଗାଡ଼ି ଅଟକାଇ କେଜି କେଜି ଅଙ୍ଗୁର ବୋହି ନେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/56-4.jpg)