ଘରକୁ ପିମ୍ପୁଡ଼ିଙ୍କ ଠାରୁ ଦୂରେଇ ରଖିବା ପାଇଁ ଆପଣାନ୍ତୁ ଏ ସବୁ ଉପାୟ
ମୌସୁମୀ ଆସିଲେ ବର୍ଷା ଆସିବା ସହ ଅନେକ ପ୍ରକାରର ସମସ୍ୟା ମଧ୍ୟ ତା’ସହ ଆସିଥାଏ । ବର୍ଷାଦିନେ ଅନେକ ଶାରୀରିକ ସମସ୍ୟା ଉପୁଜୁଥିବା ବେଳେ ଘରେ ପିମ୍ପୁଡ଼ି ଅଧିକ ସଂଖ୍ୟାରେ ଦେଖାଯାଆନ୍ତି । ଏହି ଦିନ ଘରର ପ୍ରତି କୋଣରେ ପିମ୍ପୁଡ଼ି ହେଉଥିବାର ଆପଣ ଦେଖୁଥିବେ ନିଶ୍ଚୟ । ଖାସ୍ କରି ରୋଷେଇ ଘରେ ପିମ୍ପୁଡ଼ିର ଆତଙ୍କ ଅଧିକ ରହିଥାଏ । ତେବେ ବର୍ଷାଦିନେ ହେଉଥିବା ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଏହି ସବୁ ଘରୋଇ ଉପାୟ ଆପଣାଇ ପାରିବେ ।
Sambad is now on WhatsApp
Join and get latest news updates delivered to you via WhatsApp
୧. ପିମ୍ପୁଡ଼ିକୁ ଯେଉଁଭଳି ଭାବରେ ମିଠାର ସୁଗନ୍ଧ ନିଜ ଆଡ଼କୁ ଆକର୍ଷିତ କରିଥାଏ ସେଭଳି ଭାବରେ ଲେମ୍ବୁର ଗନ୍ଧ ସେମାନଙ୍କୁ ଭଲ ଲାଗି ନ ଥାଏ । ବର୍ଷାଦିନ ହେଉ ବା ଖରା ଦିନ ପିମ୍ପୁଡ଼ି ହେଉଥିଲେ ଘରେ ଲେମ୍ବୁର ଚୋପା ରଖନ୍ତୁ । କିଛି ଦିନ ପରେ ଦେଖିବେ ପିମ୍ପୁଡ଼ି ଆପଣଙ୍କ ଘର ଛାଡ଼ି ଚାଲିଯିବେ ।
୨.ଏକ ପାତ୍ରରେ ଭିନେଗାର ଏବଂ ପାଣିକୁ ସମାନ ପରିମାଣରେ ମିଶାନ୍ତୁ । ଏହା ପରେ ଯେଉଁବାଟ ଦେଇ ପିମ୍ପୁଡ଼ିମାନେ ଘରକୁ ପ୍ରବେଶ କରୁଛନ୍ତି ସେଠାରେ ଏହି ମିଶ୍ରଣରେ ଏକ କପଡ଼ା ବୁଡ଼ାଇ ପୋଛା ମାରନ୍ତୁ। ଏପରି କରିବା ଦ୍ୱାରା ଫର୍ମୋନ୍ସ ସଫା ହୋଇଯିବ ଏବଂ ପିମ୍ପୁଡ଼ିମାନେ ଭିତରକୁ ଆସିବାର ବାଟ ଭୁଲିଯିବେ ।
୩. ତେଜପତ୍ରକୁ ଜଳାଇ ଏହାର ଧୁଆଁ ସବୁ ଘରେ ବୁଲାନ୍ତୁ । ଏପରି କରିବା ଦ୍ୱାରା ତେଜପତ୍ର ଧୁଆଁର ବାସ୍ନାରେ ପିମ୍ପୁଡ଼ି ଘରକୁ ପ୍ରବେଶ କରିବେ ନାହିଁ ।
୪.ଘରେ ଯେଉଁଠି ବି ପିମ୍ପୁଡ଼ିର ଧାର ଆପଣମାନେ ଦେଖିବାକୁ ପାଉଛନ୍ତି ସେଠାରେ ହଳଦୀ ଗୁଣ୍ଡ ପକାଇ ଦିଅନ୍ତୁ । କିଛି ସମୟରେ ପରେ ଦେଖିବେ ସେଠାରୁ ପିମ୍ପୁଡ଼ି ଚାଲିଯିବେ ।