ସାଧାରଣତଃ ଦୈନିକ ଓ ସାପ୍ତାହିକ ରାଶିଫଳ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ମାସିକ ରାଶିଫଳ ରବି, ମଙ୍ଗଳ, ବୁଧ ଓ ଶୁକ୍ରଙ୍କ ଚଳନରୁ ବିଚାର କରାଯାଏ। ବାର୍ଷିକ ରାଶିଫଳ ବୃହସ୍ପତି, ଶନି, ରାହୁ ଓ କେତୁଙ୍କ ଚଳନରୁ ବିଚାର କରାଯାଏ। ଆମେ ଏଥିରେ ରାଶିକୁ ଲଗ୍ନ ଧରି ଗ୍ରହମାନଙ୍କ ଅବସ୍ଥିତି ଅନୁସାରେ ବିଚାର କରିଛୁ। ଏହା ରାଶିଫଳ ବିଚାରର ଆଧୁନିକ ପଦ୍ଧତି।)

Advertisment

ମେଷ: ଏ ବର୍ଷ ମେ’ ପହିଲା ପର୍ଯ୍ୟନ୍ତ ଜନ୍ମ ବୃହସ୍ପତି ବିଶେଷ ଶୁଭ ଫଳ ଦେବନାହିଁ। ତେବେ କେତେକ ଗ୍ରହ ଅନୁକୂଳତାର ଲାଭ ମିଳିବ। ଶିକ୍ଷା ଓ କ୍ୟାରିୟରରେ ଏକାଗ୍ରତାର ଅଭାବ ଦେଖାଦେଇପାରେ। ଆଧ୍ୟାତ୍ମିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଘରଦ୍ବାର ଓ ସ୍ଥାବର ସମ୍ପତ୍ତିର ରକ୍ଷଣାବେକ୍ଷଣ ଓ ଆଧୁନିକୀକରଣର ଆବଶ୍ୟକତା ପଡ଼ିବ। ବ୍ୟବସାୟରେ ସୁଧାର ଆସିବ। ମେ’ ପରେ ଆଶାନୁରୂପ ଲାଭ ମିଳିବ। ଚାକିରିରେ ଈପ୍ସିତ ସ୍ଥାନକୁ ବଦଳି ଓ ପଦୋନ୍ନତି ମିଳିବ। ବିଶେଷ କାମରୁ ଆୟ ବୃଦ୍ଧି ପାଇବ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇବେ। ଏକାଦଶ ଶନି ଆପଣଙ୍କୁ ମାଲିମକଦ୍ଦମାରେ ବିଜୟୀ କରିବେ। ଗ୍ୟାସ, ଅମ୍ଳପିତ୍ତ, ରକ୍ତଜନିତ ରୋଗ, ମଧୁମେହ ଇତ୍ୟାଦିରେ ପୀଡ଼ିତ ହୋଇପାରନ୍ତି। ଘରେ ଉତ୍ତେଜନା ଓ ମତଭେଦ ଦେଖାଦେଇପାରେ। ସନ୍ତାନର ଉନ୍ନତି ହେବ। ଘରେ ଶୁଭ କାର୍ଯ୍ୟରେ ଖର୍ଚ୍ଚ ହେବ। ତୀର୍ଥଯାତ୍ରା ଓ ଦାନମୂଳକ କାର୍ଯ୍ୟ କରିପାରନ୍ତି।

ବୃଷ: ଏ ବର୍ଷ ବୃହସ୍ପତି ଆପଣଙ୍କର ଶୁଭ ନାହାନ୍ତି। ୧୦ମସ୍ଥ ମୂଳତ୍ରିକୋଣୀ ଶନି କର୍ମକ୍ଷେତ୍ରରେ ସ୍ଥିତାବସ୍ଥା ବଜାୟ ରଖିବେ। ରାହୁ ଆୟବୃଦ୍ଧି କଲେ ବି ବ୍ୟୟର ଆଧିକ୍ୟ ଯୋଗୁ ଆପଣଙ୍କୁ ଋଣ କରିବାକୁ ପଡ଼ିପାରେ। ବ୍ୟବସାୟ ଦୃଷ୍ଟିକୋଣରୁ ଏହି ବର୍ଷ ଲାଭଦାୟକ ହେବ। କିଛି ଦିନ ଧରି ଅଟକି ରହିଥିବା କାମ ଚଳିତ ବର୍ଷ ଶେଷ ହେବ। ପ୍ରତିଦ୍ୱନ୍ଦ୍ୱୀମାନେ ବୁଝାମଣା କରିବେ। ଶିଳ୍ପର ସମ୍ପ୍ରସାରଣ, ନବୀକରଣ ଓ ଆଧୁନିକୀକରଣ ପାଇଁ କାର୍ଯ୍ୟ ହେବ, ଯେଉଁଥିରେ ଖର୍ଚ୍ଚ ହେବ। ଭାଗୀଦାରିରେ ଉତ୍ତେଜନା ଦେଖାଦେଇପାରେ। କୌଣସି ବରିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟରେ ପରିସ୍ଥିତି ବଦଳିବ। ଜମି, କୋଠା ଇତ୍ୟାଦି କ୍ରୟ କରିପାରନ୍ତି। ଘରେ ଛୋଟ ଛୋଟ ଶୁଭ କାର୍ଯ୍ୟ ହେବ। ସନ୍ତାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଇତ୍ୟାଦିକୁ ନେଇ ଚିନ୍ତିତ ରହିବେ। ଶିକ୍ଷା ଓ କ୍ୟାରିୟରରେ ସଂଘର୍ଷ କରିବାକୁ ପଡ଼ିପାରେ। ଆର୍ଥ୍ରାଇଟିସ୍, ଆଖି ଯନ୍ତ୍ରଣା, ଅଣ୍ଟା ତଳୁ ସମସ୍ୟା କିମ୍ବା ଫ୍ରାକ୍ଚର ହୋଇପାରେ। ଗ୍ୟାସ୍ ଓ ଅମ୍ଳପିତ୍ତଜନିତ ରୋଗରୁ ଦୂରେଇ ରହିବା ଚେଷ୍ଟା କରନ୍ତୁ। ଗୁପ୍ତ ଜ୍ଞାନ ଓ ତନ୍ତ୍ର-ମନ୍ତ୍ର ପ୍ରତି ଆଗ୍ରହ ବଢ଼ିପାରେ। ଧାର୍ମିକ ଯାତ୍ରା ସମ୍ଭବ। ଶୁକ୍ର ବୃଷ ରାଶିର ସ୍ୱାମୀ ହୋଇଥିବାରୁ ଆପଣଙ୍କ ବ୍ୟକ୍ତିତ୍ୱରେ ପ୍ରାକୃତିକ ଆକର୍ଷଣ ରହିବ। ଆପଣଙ୍କ ଭାଷଣ ପ୍ରଭାବଶାଳୀ ହେବ। କୌଣସି ବିଷୟ ବସ୍ତୁ ଶିଖିବାର ଅଦ୍ଭୁତ ସାମର୍ଥ୍ୟ ପାଇବେ। ତେବେ ଆଳସ୍ୟ ତ୍ୟାଗ କରିବା ଆପଣଙ୍କ ପାଇଁ ଶ୍ରେୟସ୍କର।

ମିଥୁନ: ଚଳିତ ବର୍ଷ ଆପଣ ଶନିସପ୍ତାର ଶେଷ ଚରଣ ଭୋଗ କରିବେ। ତେବେ ମେ’ ପହିଲା ପର୍ଯ୍ୟନ୍ତ ଏକାଦଶ ବୃହସ୍ପତି ଆପଣଙ୍କୁ ଆର୍ଥିକ ଓ କର୍ମକ୍ଷେତ୍ରରେ ସଫଳତା ପ୍ରଦାନ କରିବେ। ଶିକ୍ଷା ଓ କ୍ୟାରିୟରରେ ଆଶାନୁରୂପ ସୁଯୋଗ ମିଳିବ। ଉଚ୍ଚଶିକ୍ଷା ନିମନ୍ତେ ବଡ଼ ଅନୁଷ୍ଠାନକୁ ଯିବାର ଇଚ୍ଛା ପୂରଣ ହେବ। ବ୍ୟବସାୟିକ ଅଂଶୀଦାରଙ୍କ ସହିତ ଉତ୍ତେଜନା ଦେଖାଦେଇପାରେ। ବାହ୍ୟ ସହଯୋଗରେ ବ୍ୟବସାୟରେ ଉନ୍ନତି ହେବ। ନୂତନ ଉଦ୍ୟୋଗ ପ୍ରତିଷ୍ଠାରେ ବାଧା ସୃଷ୍ଟି ହେବ। ଗୃହସମ୍ପତ୍ତି କ୍ରୟ ଓ ସ୍ଥାୟୀ ପୁଞ୍ଜି ବୃଦ୍ଧି ହେବାର ସମ୍ଭାବନା ରହିଛି। ଆପଣଙ୍କୁ ବକେୟା ଋଣ ମିଳିପାରେ। ଚାକିରିରେ ପଦୋନ୍ନତି ସହ ବଦଳିର ସମ୍ଭାବନା ରହିଛି। ମେ’ ପରେ ବଦଳି ବା ଦୂର ସ୍ଥାନକୁ ଯାତ୍ରାର ସମ୍ଭାବନା ରହିଛି। ପତ୍ନୀଙ୍କ ସ୍ବାସ୍ଥ୍ୟ ପାଇଁ ବ୍ୟୟ କରିପାରନ୍ତି। ବେକ, କାନ୍ଧ ଓ ମସ୍ତିଷ୍କ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ଖାଇବା ଅଭ୍ୟାସ ପ୍ରତି ଧ୍ୟାନ ଦିଅନ୍ତୁ। ନକଲି ପ୍ୟାକେଟ୍ କ୍ଷୀର, ରିଫାଇନ ତେଲ ଓ ଚିନି ଖାଇବା ବନ୍ଦ କରନ୍ତୁ। ନ ହେଲେ ସ୍ବାସ୍ଥ୍ୟ ବିଗିଡ଼ିପାରେ। ଧୂଳି ଓ ଧୂଆଁ ଆଲର୍ଜିର କାରଣ ହୋଇପାରେ। ପ୍ରେମ ମାମଲାରେ ସତର୍କ ରୁହନ୍ତୁ, ଘରେ ଶାନ୍ତି ବଜାୟ ରହିବ। ଦ୍ବନ୍ଦ୍ବ ବା ଦ୍ବିଧା ଭାବରୁୁ ଦୂରରେ ରୁହନ୍ତୁ, ଲକ୍ଷ୍ୟ ସ୍ଥିର କରି ଆଗକୁ ବଢ଼ନ୍ତୁ।

କର୍କଟ: ଚଳିତ ବର୍ଷ ମିଶ୍ରିତ ଫଳ ପାଇବେ। ବିବାହରେ ବିଳମ୍ବ, ଦାମ୍ପତ୍ୟ ଅପ୍ରେମ ବା ମନୋମାଳିନ୍ୟ ଅଶାନ୍ତିର କାରଣ ହୋଇପାରେ। ତେବେ ଆଜିର ସମସ୍ୟା କାଲିକି ଆଶୀର୍ବାଦ ହୋଇପାରେ, ସମୟକୁ ଅପେକ୍ଷା କରନ୍ତୁ। ମେ ପରେ ବ୍ୟବସାୟରେ ଲାଭ ପାଇବେ। ସେୟାର ମାର୍କେଟରୁ ମଧ୍ୟ ଲାଭ ମିଳିବ। ବ୍ୟବସାୟରେ ଥିବା ରାଜନୈତିକ ପ୍ରତିବନ୍ଧକ ଦୂର ହେବ। ନୂତନ ଉଦ୍ୟୋଗ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଚାକିରିରେ ପଦୋନ୍ନତି ସହ ଈପ୍ସିତ ସ୍ଥାନକୁ ବଦଳି ହୋଇପାରେ। ବାଣିଜ୍ୟିକ ବ୍ୟବହାର ପାଇଁ ଜମି, କୋଠା, ଦୋକାନ ଇତ୍ୟାଦି କ୍ରୟ କରିପାରନ୍ତି। ଘରେ ଶୁଭ କାର୍ଯ୍ୟ ହେବ। ପୁରୁଣା ମତଭେଦ ଦୂର ହେବ ଓ ଏକତା ଆସିବ। ମାନସମ୍ମାନ ବୃଦ୍ଧି ହେବ। ଉଚ୍ଚଶିକ୍ଷାରେ ଥିବା ବାଧା ଦୂର ହେବ। ହାଡ଼ ଭାଙ୍ଗିବା ଓ ଆଲର୍ଜି ଇତ୍ୟାଦି ସମସ୍ୟା ଦେଖାଦେଇପାରେ। ଥାଇରଏଡ୍ ଇତ୍ୟାଦିଠାରୁ ଦୂରେଇ ରୁହନ୍ତୁ। ଧନିଆପତ୍ର ଓ ସବୁଜ ପନିପରିବା ଅଧିକ ଖାଆନ୍ତୁ। ତେଲ, ଘିଅ, ଆମିଷ, ଚିନି ଓ ରିଫାଇନ ତେଲ ଖାଇବା ବନ୍ଦ କରନ୍ତୁ। ଶରୀରର ଓଜନ ନ କମାଇଲେ ତାହା ଆପଣଙ୍କ ପାଇଁ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।

ସିଂହ: ଆପଣ ଶନିସପ୍ତାର ପ୍ରଥମ ଚରଣରେ ଅଛନ୍ତି। ନବମ ବୃହସ୍ପତି ମେ ପର୍ଯ୍ୟନ୍ତ ଶୁଭଫଳ ଦେବ। ତା’ପରେ ଗୁରୁଦୀକ୍ଷା ଗ୍ରହଣ କରି ନାମ କଲେ ଏବଂ ଗୁରୁ-ବ୍ରାହ୍ମଣଙ୍କୁ ମୂଲ୍ୟବାନ୍ ହଳଦିଆ ବସ୍ତୁ ଦାନ ଦେଲେ ଓ ପୂଜା କଲେ ବୃହସ୍ପତି ଶୁଭଫଳ ଦେବେ। ଏହି ବର୍ଷ ବ୍ୟବସାୟରେ ଅଭିବୃଦ୍ଧି ଆସିବ। ନୂତନ ଉଦ୍ୟୋଗ ଆରମ୍ଭ ହୋଇପାରେ। ରାଜନୈତିକ ଫାଇଦା ମିଳିବ। ବିଶେଷ ସମ୍ମାନ ମିଳିବାର ସମ୍ଭାବନା ରହିଛି। ଭାଗୀଦାରିରେ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ପଡ଼ିବ। ବଦଳି ମାଧ୍ୟମରେ ଆଶାନୁରୂପ କାର୍ଯ୍ୟ ସମ୍ପନ୍ନ ହେବାର ଆଶା ରହିଛି। ଅର୍ଥନୈତିକ ଢାଞ୍ଚା ସୁଦୃଢ଼ ହେବ। ଷ୍ଟକ ବଜାରରୁ ଲାଭ ଓ କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ। ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ କିଛି ପ୍ରତିବନ୍ଧକ ରହିବ, କିନ୍ତୁ ଶେଷରେ ସଫଳତା ପାଇବେ। ପରିବାରରେ ଅଶାନ୍ତି ଦେଖାଦେଇପାରେ। ଦାମ୍ପତ୍ୟ କଳହ ଓ ମତ-ପାର୍ଥକ୍ୟ ଦେଖାଦେଇପାରେ। ସନ୍ତାନର ଉନ୍ନତି ହେବ। ପ୍ରଶାସନିକ ତଦନ୍ତ କିମ୍ବା କୌଣସି ବଡ଼ ପ୍ରତିବନ୍ଧକ ଉପୁଜିପାରେ, ତେଣୁ ସତର୍କ ରୁହନ୍ତୁ। ମାଲିମକଦ୍ଦମାରୁ ଦୂରେଇ ରହନ୍ତୁ। ଅହଂକାର ଓ କ୍ରୋଧ ପତନର କାରଣ ହୋଇପାରେ। ଆପଣ ଶାରୀରିକ ଆଘାତ, ପିଠିରେ ଯନ୍ତ୍ରଣା ଏବଂ ସଂକ୍ରାମକ ରୋଗର ସମ୍ମୁଖୀନ ହୋଇପାରନ୍ତି। ଧୂଳି, ଧୂଆଁ ଓ ଅନୁପଯୁକ୍ତ ଖାଇବା ଅଭ୍ୟାସରୁ ଦୂରେଇ ରୁହନ୍ତୁ। ଯାନବାହନ ଓ ଯନ୍ତ୍ରପାତି ବ୍ୟବହାର କରିବା ସମୟରେ ସାବଧାନ ରୁହନ୍ତୁ।

କନ୍ୟା: ବର୍ଷ ସାରା ୬ଷ୍ଠ ଶନି ଆପଣଙ୍କୁ ଶୁଭଫଳ ଦେବେ। ଶତ୍ରୁ ନାଶ ଯିବେ। ଧୀରେ ଧୀରେ ଆପଣଙ୍କ ପ୍ରଭାବ ବୃଦ୍ଧି ପାଇବ। ଆସନ୍ତା ମେ ମାସରୁ ବୃହସ୍ପତି ଶୁଭଫଳ ଦେବେ। ପାରିବାରିକ ଶାନ୍ତି ବଜାୟ ରହିବ। ଋଣ ପରିଶୋଧର ସୁଯୋଗ ମିଳିବ। ବର୍ତ୍ତମାନ କରାଯାଇଥିବା କାମରୁ ଆଗାମୀ ଦିନରେ ସୁଫଳ ପାଇବେ। ବ୍ୟବସାୟ ସମ୍ପ୍ରସାରଣ ପାଇଁ ସୁଯୋଗ ମିଳିବ। କିଛି ବାଧାବିଘ୍ନ ଦେଖାଦେଇପାରେ। କୌଣସି ବରିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟରେ ସମସ୍ୟାର ସମାଧାନ ହେବ। ଆପଣଙ୍କୁ ରାଜନୈତିକ ଫାଇଦା ମିଳିପାରେ। କୌଣସି ନିର୍ମାଣ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ପାରିବାରିକ ମାନସମ୍ମାନ ବୃଦ୍ଧି ପାଇବ। ଶିକ୍ଷା ଓ କ୍ୟାରିୟରରେ ନିଜର ଇଚ୍ଛା ପୂରଣ ହେବ। ପରୀକ୍ଷାରେ ସଫଳତା ପାଇବେ। ବୌଦ୍ଧିକ ସ୍ତରରେ ଉନ୍ନତି ଓ ପ୍ରଶଂସା ପାଇବେ। ଗାଡ଼ି ଇତ୍ୟାଦି ଏବଂ ବିଳାସପୂର୍ଣ୍ଣ ଜିନିଷ କ୍ରୟରେ ଖର୍ଚ୍ଚ ହେବ। ସ୍ଥାନାନ୍ତର ହେବାର କୌଣସି ସମ୍ଭାବନା ନାହିଁ, ଯଦି ଏହା ହୁଏ ତେବେ ଏହା ଈପ୍ସିତ ସ୍ଥାନକୁ ହେବ। ପେଟଜନିତ ରୋଗ, ମଧୁମେହ, ଆର୍ଥ୍ରାଇଟିସ୍ ଇତ୍ୟାଦିର ସମ୍ଭାବନା ରହିଛି। ତେଲମସଲା ଓ ତାମସିକ ଖାଦ୍ୟ ଖାଆନ୍ତୁ ନାହିଁ।

ତୁଳା:ଏ ବର୍ଷ ଆପଣଙ୍କୁ ମିଶ୍ରଫଳ ମିଳିବ। କଣ୍ଟକ ଶନି କେତେକ କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି କରିପାରେ। ସନ୍ତାନ ପାଇଁ ଚିନ୍ତିତ ହୋଇପାରନ୍ତି। ସପ୍ତମ ବୃହସ୍ପତି ମେ ପର୍ଯ୍ୟନ୍ତ ଶୁଭଫଳ ଦେବେ। ତା’ପରେ ଗୋଟିଏ ବର୍ଷ ଆପଣଙ୍କୁ କେତେକ କ୍ଷେତ୍ରରୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଗୁରୁଜନଙ୍କୁ କଦା‌ଚ ଅବଜ୍ଞା କରନ୍ତୁ ନାହିଁ। ସେମାନଙ୍କ ଆଶୀର୍ବାଦ ଆପଣଙ୍କୁ ଅବେଳରେ ରକ୍ଷା କରିବ। ଏହି ବର୍ଷ କେତେକ ପ୍ରତିବନ୍ଧକ ସୃଷ୍ଟି କରିବ କିନ୍ତୁ କ୍ଷତି ପହଞ୍ଚାଇବ ନାହିଁ। କଠିନ ପରିଶ୍ରମ ଓ ନିଷ୍ଠା, ବିଶେଷ କରି ସଚ୍ଚୋଟ ପରିଶ୍ରମର ଫଳ ମିଳିବ। ଉଚ୍ଚ ଅଧିକାରୀମାନେ ସହଯୋଗ କରିବେ। ବ୍ୟବସାୟରେ ସଫଳତା ପାଇବେ। ଜମି, କୋଠାବାଡ଼ି ଇତ୍ୟାଦିର ଉପଯୋଗିତା ବୃଦ୍ଧି ପାଇଁ ଖର୍ଚ୍ଚ ହେବ। ପୈତୃକ ସମ୍ପତ୍ତି ଉତ୍ତରାଧିକାର ସୂତ୍ରରେ ମିଳିପାରେ। ବକେୟା ଅର୍ଥ ପ୍ରାପ୍ତି ହେବ। ଚାକିରିରେ ପଦୋନ୍ନତି ଓ ସ୍ଥାନାନ୍ତର ପାଇଁ ଇଚ୍ଛା ରହିବ। ଉଚ୍ଚଶିକ୍ଷାରେ ସଫଳତା ପାଇବେ। ଶିକ୍ଷାକ୍ଷେତ୍ରରେ ସମ୍ଭାବନା ବୃଦ୍ଧି ପାଇବ। ଘରେ ଶୁଭ କାର୍ଯ୍ୟ ହେବ। ଘରେ କିଛି ନୂଆ କାମ ହୋଇପାରେ। କାନ୍ଧ, ଅଣ୍ଟା ଇତ୍ୟାଦିରେ ପୀଡ଼ା, ଯକୃତ ସମସ୍ୟା, ପଥୁରି, ମଧୁମେହ, ବଦହଜମି ଇତ୍ୟାଦି ହୋଇପାରେ। ଆମିଷ ଓ ନିଶା ତ୍ୟାଗ କରନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ।

ବିଛା: କଣ୍ଟକ ଶନି ବର୍ଷ ସାରା ରହିବ। ମେ ପହିଲାରୁ ସପ୍ତମ ବୃହସ୍ପତି ଶୁଭଫଳ ଦେବେ। ଚଳିତ ବର୍ଷ ବ୍ୟବସାୟ ଲାଭଦାୟକ ହେବ। ବୃତ୍ତିଗତ ଦାୟିତ୍ବ ବୃଦ୍ଧି ପାଇବ। ଅଧିକ ପରିଶ୍ରମ କରିବାକୁ ପଡ଼ିବ। କୌଣସି ପାର୍ଶ୍ୱ ବ୍ୟବସାୟ ମଧ୍ୟ ଆରମ୍ଭ ହୋଇପାରେ। ତେବେ ବ୍ୟବସାୟ ସମ୍ପ୍ରସାରଣ କଷ୍ଟକର ହେବ। ରାଜନୈତିକ ସଫଳତା ମିଳିପାରେ। ଚାକିରି କରୁଥିବା ବ୍ୟକ୍ତିମାନେ ପଦୋନ୍ନତି ଇତ୍ୟାଦିର ଲାଭ ପାଇବେ। ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ପରିସ୍ଥିତି କଠିନ ରହିବ। ଧୈର୍ଯ୍ୟ ଓ କଠିନ ପରିଶ୍ରମର ଆବଶ୍ୟକତା ରହିବ। ଘରର ମରାମତି ଓ କୌଣସି ସମ୍ପର୍କୀୟଙ୍କ ବିବାହ ଆଦି ପାଇଁ ଖର୍ଚ୍ଚର ବୋଝ ବଢ଼ିବ। ବାତ-ପିତ୍ତ-ଜନିତ ରୋଗ, ଫୁସଫୁସ ରୋଗ, ବାମ କାନରେ ଯନ୍ତ୍ରଣା, ଆଖିରେ ଯନ୍ତ୍ରଣା ଇତ୍ୟାଦି ସମସ୍ୟା ଦେଖାଦେଇପାରେ। ଧୂଳି, ଧୂଆଁ ଓ ଅନୁପଯୁକ୍ତ ଖାଦ୍ୟାଭ୍ୟାସରୁ ଦୂରେଇ ରୁହନ୍ତୁ। ନିଜର ଦୈନନ୍ଦିନ ରୁଟିନ୍ ଅନୁସାରେ କାମ କରନ୍ତୁ। ବିଛା ରାଶିର ଲୋକମାନଙ୍କର ଆକର୍ଷଣୀୟ ଓ ଶକ୍ତିଶାଳୀ ବ୍ୟକ୍ତିତ୍ୱ ରହିଥାଏ। ଯେହେତୁ ସେମାନେ ପ୍ରାୟତଃ ସ୍ୱାଧୀନ ଭାବରେ କାମ କରନ୍ତି, ତେଣୁ ଅନ୍ୟମାନଙ୍କ ହସ୍ତକ୍ଷେପକୁ ପସନ୍ଦ କରନ୍ତି ନାହିଁ। ସେମାନେ ଉତ୍ସାହୀ ଏବଂ ସତ୍ ପ୍ରେରଣା ଦ୍ବାରା ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି କରିପାରନ୍ତି।

ଧନୁ: ଏ ବର୍ଷ ଆପଣଙ୍କୁ ଅନେକ ଦୃଷ୍ଟିରୁ ଶୁଭଫଳ ପ୍ରଦାନ କରିବ। ତୃତୀୟ ଶନି ବର୍ଷସାରା ଏବଂ ପଞ୍ଚମ ବୃହସ୍ପତି ମେ ପର୍ଯ୍ୟନ୍ତ ଶୁଭଫଳ ଦେବେ। କେତେକ ବାଧାବିଘ୍ନର ସମ୍ମୁଖୀନ ହେଲେବି ତାହାକୁ ଆପଣ ଟାଳି ଉନ୍ନତି ଦିଗରେ ଗତି କରିବେ। ଆପଣଙ୍କୁ ପାର୍ଟନର-ମ୍ୟାନେଜର ଇତ୍ୟାଦିର କାମ ମଧ୍ୟ ସମ୍ଭାଳିବାକୁ ପଡିପାରେ। ବ୍ୟବସାୟରେ ଚାହିଦା ଓ ଯୋଗାଣ ମଧ୍ୟରେ ସମନ୍ୱୟ ଅଭାବରୁ ଲାଭ ସୁଯୋଗ ହାତଛଡ଼ା ହୋଇପାରେ। ଖର୍ଚ୍ଚ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପରିବର୍ତ୍ତନ ବ୍ୟକ୍ତିର ଇଚ୍ଛା ବିରୁଦ୍ଧରେ ହୋଇପାରେ ଏବଂ ସ୍ଥାନାନ୍ତର ଇତ୍ୟାଦିର ପ୍ରଭାବ ଲାଭ ହ୍ରାସ କରିବ। କ୍ୟାରିୟର ଓ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଏକାଗ୍ରତାର ଅଭାବ ଦେଖାଦେଇପାରେ। ସନ୍ତାନମାନେ ପରିବାରରେ ଉନ୍ନତି କରିବେ। ପରିବାରରେ ସୁଖଶାନ୍ତି ମିଳିବ। ଶୁଭ କାର୍ଯ୍ୟ ସମ୍ପନ୍ନ ହେବ। ମହିଳାମାନଙ୍କୁ ମଧୁମେହ, ଆଲର୍ଜି, ପେଟଜନିତ ରୋଗ ଏବଂ ସ୍ତ୍ରୀରୋଗ ହେବାର ଆଶଙ୍କା ଅଛି। ଧନୁ ରାଶିର ଲୋକମାନେ ଆଧ୍ୟାତ୍ମିକ ଏବଂ ପାରମ୍ପରିକ ଚିନ୍ତକ ଅଟନ୍ତି। ଭଗବାନଙ୍କ ଉପରେ ବିଶ୍ୱାସ ଥିବା ସତ୍ତ୍ୱେ ସେମାନେ ଭଣ୍ଡାମିକୁ ପସନ୍ଦ କରନ୍ତି ନାହିଁ ଏବଂ ଦେଖାଇଦିଅନ୍ତି। ଉଦାର ଏବଂ ସ୍ନେହୀ ବ୍ୟକ୍ତିତ୍ୱ, ମାନବୀୟ ଗୁଣରେ ପରିପୂର୍ଣ୍ଣ କିନ୍ତୁ ବେଳେବେଳେ ରାଗିଯାଆନ୍ତି। ତେବେ ମେ ପହିଲା ପରେ ବୃହସ୍ପତିଙ୍କ ଶାନ୍ତିକର୍ମ କରିବା ଉଚିତ।

ମକର: ଦ୍ବିତୀୟ ଶନି ସ୍ବଗୃହୀ ହେତୁ ଆର୍ଥିକ ଲାଭ ମିଳିବ କିନ୍ତୁ ଖର୍ଚ୍ଚରେ କୃପଣ ହେବେ। ମେ ପରେ ପଦୋନ୍ନତି ଓ ବ୍ୟବସାୟରେ ବୃଦ୍ଧି ହୋଇପାରେ। ଯୋଗାଯୋଗ ମାଧ୍ୟମରେ ବ୍ୟବସାୟରେ ଲାଭ ମିଳିବ। ଶିଳ୍ପର ସମ୍ପ୍ରସାରଣ କିମ୍ବା ପ୍ରତିଷ୍ଠା ପାଇଁ ଖର୍ଚ୍ଚ ସୀମା ଅତିକ୍ରମ କରିବାକୁ ପଡ଼ିବ। ରାଜନୀତିରେ ଲାଭ ପାଇବେ। ଚଳିତ ବର୍ଷ ବିଦେଶ ଭ୍ରମଣ ହୋଇପାରେ। ବ୍ୟବସାୟର ପ୍ରସାର ହେବ। ଆପଣଙ୍କ ସ୍ଥାନାନ୍ତର ଘରଠାରୁ ଦୂରକୁ ହୋଇପାରେ। ଘରେ ବିଳାସପୂର୍ଣ୍ଣ ଜିନିଷ ଉପରେ ଖର୍ଚ୍ଚ ହେବ। ପୁରୁଣା ବିବାଦର ସମାଧାନ ହେବ। ସମ୍ପତ୍ତି କ୍ରୟ କରିପାରନ୍ତି। ସନ୍ତାନମାନଙ୍କର ଉନ୍ନତି ହେବ ଓ ଶୁଭ କାର୍ଯ୍ୟ ସମ୍ପନ୍ନ ହେବ। ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ କିଛି ବାଧାବିଘ୍ନ ସହ ସଫଳତା ପାଇବେ। ପେଟ ଓ ଥଣ୍ଡା ଜନିତ ରୋଗ, ମଧୁମେହ ଇତ୍ୟାଦି ସମସ୍ୟା ହୋଇପାରେ। ଥଣ୍ଡାରୁ ଦୂରେଇ ରୁହନ୍ତୁ। ମକର ରାଶିର ଲୋକମାନେ ଅନ୍ୟମାନଙ୍କ ପ୍ରତି ଉଦାର ଓ ସହାନୁଭୂତିଶୀଳ ଅଟନ୍ତି। ପରିସ୍ଥିତି ଅନୁଯାୟୀ ନିଜକୁ ଅନୁକୂଳ କରନ୍ତୁ। ଆପଣ ପରିଶ୍ରମୀ ଅଟନ୍ତି କିନ୍ତୁ ଆଶାନୁରୂପ ଫଳ ପାଇବା ପାଇଁ ସମୟ ଲାଗିଥାଏ।

କୁମ୍ଭ: ଆପଣଙ୍କ ଜନ୍ମଶନି ସ୍ବଗୃହୀ ହେତୁ ଅଶୁଭଫଳ ଦେବେ ନାହିଁ। କିନ୍ତୁ ଥଣ୍ଡାଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ବୃହସ୍ପତି ଏ ବର୍ଷଯାକ ଭଲ ନାହାନ୍ତି। ତାଙ୍କ ପାଇଁ ପ୍ରତିକାର କରଣୀୟ। ତେବେ ଅନ୍ୟ ଗ୍ରହ ସ୍ଥିତି ଯୋଗୁ ଅଟକି ରହିଥିବା ଟଙ୍କା ଫେରସ୍ତ ପାଇପାରନ୍ତି। ଆଧୁନିକୀକରଣରେ ବ୍ୟୟ ହେବ ଯାହା ଲାଭ ଆଣିବ। ନୂତନ କାର୍ଯ୍ୟରେ ବାଧା ସୃଷ୍ଟି ହେବ। ପାର୍ଟନରଙ୍କଠାରୁ ସହଯୋଗ ମିଳିବ। ପୁରୁଣା ଦାୟିତ୍ୱକୁ ନିର୍ବାହ କଲେ ଅନ୍ୟ କ୍ଷେତ୍ରରେ ସୁଯୋଗ ଓ ସଫଳତା ପାଇବେ। କାର୍ଯ୍ୟରେ ପରିବର୍ତ୍ତନ ହୋଇପାରେ। ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହେବ। ସନ୍ତାନର ଉନ୍ନତି ହେବ। ଘରେ ଶୁଭ କାର୍ଯ୍ୟ ହେବ। କ୍ୟାରିୟର ଓ ଶିକ୍ଷା କ୍ଷେତ୍ରରେ ଅନ୍ୟମାନଙ୍କଠାରୁ ଆଗରେ ରହିବାର ସମ୍ଭାବନା ରହିଛି। ଉଚ୍ଚଶିକ୍ଷା ପାଇଁ ବିଦେଶ ଭ୍ରମଣ କରିପାରନ୍ତି। ଖାଇବା ଅଭ୍ୟାସ ପ୍ରତି ଧ୍ୟାନ ଦିଅନ୍ତୁ। ସାତ୍ତ୍ବିକ ନିରାମିଷ ଭୋଜନ ଆପଣଙ୍କ ପାଇଁ ସୁଖାବହ ହେବ। କୁମ୍ଭ ରାଶିର ଲୋକମାନେ ଦାର୍ଶନିକ ଓ ଉଦାର ହୋଇଥାନ୍ତି। ଆଚରଣ ଭଲ ହୋଇଥିବାରୁ ଶୀଘ୍ର ବନ୍ଧୁ ପାଇଯାଆନ୍ତି। କିନ୍ତୁ ସମସ୍ତଙ୍କ ସାମ୍ନାରେ ନିଜର ପ୍ରତିଭା ପ୍ରକାଶ କରିବାକୁ ଲଜ୍ଜା ଅନୁଭବ କରନ୍ତି।

ମୀନ: ଆପଣଙ୍କ ରାଶିକୁ ଶନି ସାଢ଼େସାତୀର ପ୍ରଥମ ଚରଣ ଭୋଗ ଚାଲିଛି। ଏହା କେତେକ କ୍ଷେତ୍ରରେ ପୀଡ଼ା ଓ ଅଶାନ୍ତି ସୃଷ୍ଟି କରିପାରେ। ସ୍ବାସ୍ଥ୍ୟ ଚିନ୍ତା ଲାଗିରହିବ। ମେ ପହିଲା ପର୍ଯ୍ୟନ୍ତ ଆପଣଙ୍କୁ କେତେକ କ୍ଷେତ୍ରରେ ସଫଳତା ମିଳିବ। ଆଶାନୁରୂପ କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟବସାୟର ପ୍ରସାର ହେବ। ଭାଗୀଦାରି ସଫଳ ହେବ। ରାଜନୀତିରେ ବଡ଼ ସଫଳତା ମିଳିପାରେ। ବ୍ୟବସାୟ କ୍ଷେତ୍ରରେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ଲାଭ ପାଇବେ। ଘର ପାଇଁ ଜମି କିଣିପାରନ୍ତି। କୌଣସି ଅଜଣା ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ। ଚାକିରିରେ ପଦୋନ୍ନତି ଓ ଈପ୍ସିତ ସ୍ଥାନକୁ ସ୍ଥାନାନ୍ତର ହେବାର ସମ୍ଭାବନା ରହିଛି। ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଉଚ୍ଚ ସଫଳତା ପାଇବେ। ପେଟ ଓ ମୂତ୍ରଜନିତ ସଂକ୍ରମଣ, ଫୁସଫୁସ ସଂକ୍ରମଣ, ହୃଦ୍‌ରୋଗ ଇତ୍ୟାଦି ଦେଖାଦେଇପାରେ। କାମ ପ୍ରତି ଉତ୍ସାହରେ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ। ବାହାର ଖାଦ୍ୟ, ରିଫାଇନ ତେଲ, ଆମିଷ, ଚିନି ଓ ପ୍ୟାକେଟ୍‌ କ୍ଷୀର ଖାଆନ୍ତୁ ନାହିଁ। ଘରେ ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ମଧ୍ୟ ଚିନ୍ତାର କାରଣ ହୋଇପାରେ।