ବିଜ୍ଞାନର ଅଗ୍ରଗତି ସାଙ୍ଗକୁ ବିଳାସମୟ ଜୀବନ ବିତାଇବା ପାଇଁ ଲୋକଙ୍କ ପାଖରେ ନୂଆ ନୂଆ ଉପାୟ ଉପଲବ୍‌ଧ ହେବାରେ ଲାଗିଛି। ଏ ପରିପ୍ରେକ୍ଷୀରେ ଘୂର୍ଣ୍ଣାୟମାନ ନଭଶ୍ଚୁମ୍ବୀ ଭୋଜନାଳୟରେ ଭୋଜନ କରିବା କି ବିମାନରେ ଉଡ଼ି ବା ସମୁଦ୍ରରେ ବୁଡ଼ି ବିବାହ କରିବା ପରି ଅନେକ ଉଦାହରଣ ରହିଛି। ତେବେ ଏକ ଭାସମାନ ବେଲୁନ୍‌ରେ ବସି ମହାକାଶରେ ଖାଦ୍ୟ ଓ ପାନୀୟ ଉପଭୋଗ କରିବାର ଏକ ଅଭିନବ ଯୋଜନା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଫରାସୀ ମହାକାଶ ପରିଚାଳନା କମ୍ପାନି ‘ଜେଫାଲ୍‌ଟୋ’ ଏହାର ପରିକଳ୍ପନା କରିଛି।

Advertisment

ଏକ ବିଳାସପୂର୍ଣ୍ଣ ବେଲୁନ୍‌ରେ ବସି ମହାକାଶ ପରିଭ୍ରମଣ କରିବା ସହ ତା’ ଭିତରେ ମଧ୍ୟ ଖାଦ୍ୟପେୟ ପରଷାଯିବାର ବ୍ୟବସ୍ଥା ରହିଛି। ବିମାନଯାତ୍ରା ଠାରୁ ଏହି ବେଲୁନ୍‌ଯାତ୍ରା ଅନୁଭୂତି ଭିନ୍ନ ସ୍ବାଦର ରହିବ। କାରଣ ଯାତ୍ରୀବାହୀ ବିମାନଗୁଡ଼ିକ ସାଧାରଣତଃ ଭୂପୃଷ୍ଠରୁ ପ୍ରାୟ ୫ ମାଇଲ୍‌ ପର୍ଯ୍ୟନ୍ତ ଉପରେ ରହୁଥିବା ବେଳେ ଏହି ପ୍ରସ୍ତାବିତ ବେଲୁନ୍‌ ସାଢ଼େ ୧୫ ମାଇଲ୍‌ ଉଚ୍ଚରେ ଉଡ଼ିବାର ଲକ୍ଷ୍ୟ ରଖାଯାଇଛି। ଏହି ଉଚ୍ଚତାରେ ମହାକାଶର ଅନ୍ଧକାର ଅନୁଭୂତ ହୋଇଥାଏ। ତେଣୁ ମହାକାଶ ଅନ୍ଧକାରରୁ ବେଲୁନ୍‌ ଭିତରୁ ପୃଥିବୀର ମନୋରମ ଦୃଶ୍ୟକୁ ଅବଲୋକନ କରିବାର ମଜା ନିଆରା ରହିବ। ତିନି ଘଣ୍ଟାର ଏହି ଯାତ୍ରା ପାଇଁ ଟିକେଟ୍‌ର ମୂଲ୍ୟ ରହିଛି ୧,୩୨,୦୦୦ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ କୋଟିଏ ୭୭ ଲକ୍ଷ ଟଙ୍କା। ଆସନ୍ତା ୨୦୨୫ ମସିହାରୁ ଆରମ୍ଭ ହେବାକୁ ଥିବା ଏହି ବିଳାସମୟ ପର୍ଯ୍ୟଟନ ପାଇଁ କମ୍ପାନି ଜୋରଦାର ପ୍ରସ୍ତୁତି ଚଳାଇଥିବା ବେଳେ ବର୍ଷକୁ ମାତ୍ର ୬୦ ଜଣଙ୍କ ପାଇଁ ଏପରି ସୁବିଧା ଉପଲବ୍‌ଧ ହୋଇପାରିବ ବୋଲି ଜଣାଯାଇଛି। ବେଲୁନ୍‌କୁ ସୁରକ୍ଷିତ ଓ ନିରାପଦରେ ଉଡ଼ାଇବା ପାଇଁ ସେଥିରେ ଦୁଇ ଜଣ ପାଇଲଟ୍‌ ରହିବେ। ଯାତ୍ରୀଙ୍କୁ କୌଣସି ପ୍ରକାର ତାଲିମ ନେବାକୁ ପଡ଼ିବ ନାହିଁ।