ଶୀତଦିନେ ଶିଶୁର ଯତ୍ନ ନେବେ କିପରି ଜାଣନ୍ତୁ

ଚର୍ମ ରୋଗ: ଶୀତଦିନେ ବାୟୁମଣ୍ଡଳର ତାପମାତ୍ରା କମ୍‌ ଥାଏ। ଏହି ଋତୁରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ। ଶୀତଳ ଓ ଶୁଷ୍କ ବାୟୁମଣ୍ଡଳ ଯୋଗୁ ଚର୍ମ ଶୁଷ୍କ ଦେଖାଯିବା ସହିତ ଧୂଷର ବର୍ଣ୍ଣ ପଡ଼ିଯାଏ। ଶୀତଦିନେ ଆଲର୍ଜି ଯୋଗୁ ଚର୍ମ କୁଣ୍ଡାଇ ହୁଏ। ଶିଶୁମାନଙ୍କୁ ଏହି ସମୟରେ କାଛୁ ଓ କୁଣ୍ଡିଆ ରୋଗ ଅଧିକ ହୁଏ। ହାତ, ପାଦ ଫାଟିବା ସହିତ ଅତ୍ୟଧିକ ଥଣ୍ଡା ହେତୁ ପାଦରେ ଫୋଟକା ମଧ୍ୟ ହୁଏ।

ଶ୍ୱାସ: ଶ୍ୱାସ ରୋଗ ଭୂତାଣୁ ବା ଜୀବାଣୁ ଦ୍ୱାରା ହୋଇପାରେ। ଇନଫ୍ଲୁଏଞ୍ଜା ଓ ଆର୍‌.ଏସ୍‌.ଭି. ଭୂତାଣୁ ଦ୍ୱାରା ଶିଶୁ ଆକ୍ରାନ୍ତ ହୁଏ। ସାମାନ୍ୟ ଥଣ୍ଡା-ଜ୍ୱର ଠାରୁ ଆରମ୍ଭ କରି ସାଂଘାତିିକ ଗଳା ସଂକ୍ରମଣ ଦ୍ୱାରା ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ରହେ। ଶିଶୁର ନିଃଶ୍ୱାସ-ପ୍ରଶ୍ୱାସର ବେଗ କ୍ଷୀପ୍ର ହେବା, ନାକରୁ ପାଣି ଗଡ଼ିବା, ମା’ କ୍ଷୀର ଖାଇ ନ ପାରିବା ଆଦି ଏହି ରୋଗର ପ୍ରାଥମିକ ଲକ୍ଷଣ ହୋଇପାରେ। ଦୁଇ ବର୍ଷରୁ କମ୍‌ ବୟସର ଶିଶୁଙ୍କ ଠାରେ ଏହି ରୋଗ ଆଶଙ୍କା ଅଧିକ।

ଟନ୍‌ସିଲ୍‌ ଓ ଗଳା ପ୍ରଦାହ: ଷ୍ଟ୍ରେପ୍ଟୋ କୋଙ୍କସ୍‌ ଜୀବାଣୁ ଦ୍ୱାରା ଶତକଡ଼ା ପନ୍ଦରରୁ ପଚିଶ ପ୍ରତିଶତ ଶିଶୁ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଅଶଙ୍କା ଥାଏ। କେତେକ କ୍ଷେତ୍ରରେ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ ଗଳା ପ୍ରଦାହ ହୁଏ। ଏହାକୁ ଅଣଦେଖା କରାଯିବା ଅନୁଚିତ। ଚିକିତ୍ସା କରା ନ ଗଲେ ରିଉମାଟିକ୍‌ ଗଣ୍ଠିବ୍ୟଥା ସହିତ ହୃଦ୍‌ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହେ।

ତରଳ ଝାଡ଼ା: ସାଧାରଣତଃ ଛଅ ମାସରୁ ତିନି ବର୍ଷର ଶିଶୁମାନେ ତରଳ ଝାଡ଼ା ଦ୍ୱାରା ଆକ୍ରାନ୍ତ ହୁଅନ୍ତି।

ଚିକିତ୍ସା: ଲକ୍ଷଣ ଅନୁସାରେ ତୁରନ୍ତ ଶିଶୁ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ। ଏହି ଋତୁରେ ସବୁଠାରୁ ବଡ଼ କଥା ହେଉଛି ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଦିଗରେ ଯତ୍ନବାନ ହେବା। ଅଧିକ ଶକ୍ତିକାରକ ଖାଦ୍ୟ, ଭିଟାମିନ୍‌ ସି, ଗରମ ପୋଷାକର ବ୍ୟବହାର, କୁହୁଡ଼ି, ଧୂଆଁ ଓ ଧୂଳିମଳିଯୁକ୍ତ ବାୟୁମଣ୍ଡଳରୁ ଶିଶୁରୁ ଦୂରେଇ ରଖନ୍ତୁ। ଶିଶୁ ରହୁଥିବା କକ୍ଷକୁ ଉଷୁମ ରଖନ୍ତୁ। ଏହାଦ୍ୱାରା ଶୀତଋତୁରେ ରୋଗ ଆଶଙ୍କା କମିଯାଏ।

-ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ, ଶିଶୁ ରୋଗ ବିଶେଷଜ୍ଞ, ଫୋନ୍‌-୯୪୩୭୧୨୪୦୭୪

ସମ୍ବନ୍ଧିତ ଖବର