୭ ଦିନରେ ଏହି ୭ଟି ଉପାୟ ଅବଲମ୍ବନ କରନ୍ତୁ, ଖୁବ୍‌ ଶୀଘ୍ର ହ୍ରାସ ପାଇବ ଓଜନ

ପ୍ରତ୍ୟେକ ମଣିଷ ସୁସ୍ଥ ଓ ନିରୋଗ ରହିବା ପାଇଁ ଚାହିଁଥାଏ। ବିଶେଷ ଭାବେ ଯେଉଁ ଲୋକମାନଙ୍କ ଶରୀରର ଓଜନ ଆବଶ୍ୟକଠାରୁ ଅଧିକ, ସେମାନେ ତାଙ୍କ ଓଜନ ହ୍ରାସ କରିବା ପାଇଁ ସର୍ବଦା ଚେଷ୍ଟା କରିଥାଆନ୍ତି। ଏଥିପାଇଁ ଜିମ୍‌ ଯିବାଠାରୁ ଆରମ୍ଭ କରି ଯୋଗାଭ୍ୟାସ କରିବା ସହିତ ଅନେକ ମଧ୍ୟ ଓଜନ ହ୍ରାସ ପାଇଁ ଖାଦ୍ୟ ଛାଡ଼ି ଦେଇ ଥାଆନ୍ତି। ଏସବୁ କରିବା ଦ୍ୱାରା ଓଜନ ତ ହ୍ରାସ ହୁଏ ନାହିଁ ଓଲଟି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥାଏ।

ତେବେ ଆସନ୍ତୁ ଜାଣିବା ୭ଟି ଡାଏଟ୍‌ ପ୍ଲାନ୍‌, ଯଦ୍ୱାରା ଆପଣଙ୍କ ଓଜନ ଖୁବ୍‌ ଶୀଘ୍ର ହ୍ରାସ ପାଇ ପାରିବ।

୧. ଡାଏଟ୍‌ ପ୍ଲାନ୍‌ର ପ୍ରଥମ ଦିନ କିଛି ହେଲଦି ଓ ହାଲକା ଖାଦ୍ୟ ଗ୍ରହଣ କରନ୍ତୁ। ଯେଉଁଥିରେ କେବଳ ଫଳ ଥିବା ଆବଶ୍ୟକ। ଆପଣଙ୍କୁ ଦିନ ଭିତରେ ଫଳ ବ୍ୟତୀତ ଅନ୍ୟ କିଛି ଆହାର ଗ୍ରହଣ କରନ୍ତୁ ନାହିଁ। ଫଳ ଖାଇବା ସମୟରେ କଦଳୀ ଆଦୌ ଖାଇବେ ନାହିଁ। ଦିନ ମଧ୍ୟରେ ପ୍ରଚୁର ପାଣି ପିଅନ୍ତୁ।

୨. ଦ୍ୱିତୀୟ ଦିନରେ କେବଳ ପନିପରିବାରୁ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ଏମିତିକି ଗାଜର, କାକୁଡି, ମୂଳା ଓ ବିଲାତି ବାଇଗଣ ଆଦିକୁ କଞ୍ଚା ବି ଖାଇ ପାରିବେ।

୩. ତୃତୀୟ ଦିନରେ ଫଳ ଓ ପନିପରିବା ଉଭୟକୁ ମିଶାଇ ଖାଆନ୍ତୁ। ସକାଳେ ଫଳ ଖାଆନ୍ତୁ, ଦ୍ୱିପ୍ରହରରେ ପନିପରିବା ଓ ରାତିରେ ଫଳ ଓ ସାଲାଡ ଆଦି ଖାଇ ପାରିବେ। ଆଳୁ ଓ କଦଳୀ ଡାଏଟ୍‌ରେ ଆଦୌ ସାମିଲ କରନ୍ତୁ ନାହିଁ।

୪. ଚତୁର୍ଥ ଦିନରେ କେବଳ କଦଳୀ ଓ ଦୁଗ୍ଧ ଆପଣ ଡାଏଟ୍‌ରେ ସାମିଲ କରନ୍ତୁ। ଏତଦ୍‌ବ୍ୟତୀତ ମିଲ୍କ ସେକ୍‌ ବି ସେବନ କରି ପାରିବେ।

୫. ପଞ୍ଚମ ଦିନରେ ଆପଣ ଗୋଟିଏ କପ୍‌ ଚାଉଳରୁ ପ୍ରସ୍ତୁତ ଭାତ ଖାଇ ପାରିବେ। ଏତଦ୍‌ ବ୍ୟତୀତ ଦିନକ ମଧ୍ୟରେ ୭ଟି ବିଲାତି ବାଇଗଣ ଖାଆନ୍ତୁ। ୧୨ରୁ ୧୫ ଗ୍ଲାସ୍‌ ପାଣି ପିଅନ୍ତୁ।

୬. ଷଷ୍ଠଦିନରେ ଆପଣ ପନିପରିବାରୁ ପ୍ରସ୍ତୁତ ବ୍ୟଞ୍ଜନ ସହିତ ଭାତ ବି ଖାଇ ପାରିବେ। ସେହିପରି ରାତିରେ ରୁଟି ସହିତ ପନିପରିବା ମିଶ୍ରିତ ବ୍ୟଞ୍ଜନ ଖାଆନ୍ତୁ। ପ୍ରଚୁର ପାଣି ପିଅନ୍ତୁ।

୭. ସପ୍ତମ ଦିନରେ ଭାତ ସହିତ ଆପଣଙ୍କ ଇଚ୍ଛା ମୁତାବକ ଯେକୌଣସି ବ୍ୟଞ୍ଜନ ଖାଇ ପାରିବେ । ଦିନସାରା ଫଳରସ ସେବନ କରିବା ନିହାତି ଆବଶ୍ୟକ। ଏହି ଡାଏଟ୍‌ ପ୍ଲାନ୍‌କୁ ଆପଣାଇବା ଦ୍ୱାରା ଦେଖିବେ ଆପଣଙ୍କର ପୂର୍ବ ଅପେକ୍ଷା ଚର୍ମର ଔଜ୍ଜ୍ୱଲ୍ୟ ବୃଦ୍ଧି ହେବା ସହିତ ଓଜନ ବି ହ୍ରାସ ପାଇବ।

ସମ୍ବନ୍ଧିତ ଖବର