ସାରା ବିଶ୍ୱରେ ମେଦବହୁଳତା ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି। ଏକ ପରିସଂଖ୍ୟାନ ଅନୁଯାୟୀ ଆମେରିକା ଓ ଚାଇନା ପରେ ମେଦବହୁଳତା ଭୋଗୁଥିବା ମଣିଷଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତର ସ୍ଥାନ ବିଶ୍ୱରେ ତୃତୀୟ। ମେଦବହୁଳତା, ମଧୁମେହ ଓ ହୃଦ୍ରୋଗର ମୁଖ୍ୟ କାରଣ। ସଂପ୍ରତି କୋଡ଼ିଏ ପ୍ରତିଶତରୁ ଅଧିକ ଭାରତୀୟ ମେଦବହୁଳତାର ଶିକାର। ଏହା ଏକ ଗୁରୁତର ଚିନ୍ତାର ବିଷୟ। ଏ ବାବଦରେ ସଚେତନତା ସୃଷ୍ଟି କରା ନ ଗଲେ ତଥା ଆମେ ସତର୍କ ନ ହେଲେ, ଏହା ଏକ ମହାମାରୀର ରୂପ ନେଇପାରେ!
ମେଦବହୁଳତା ଅନେକ ରୋଗର ବାହକ: ଟାଇପ୍ ୨ ମଧୁମେହ, ଇନ୍ସୁଲିନ୍ ପ୍ରତିରୋଧ, ହୃଦ୍ଘାତ, ଉଚ୍ଚ ରକ୍ତ ଚାପ, ପିତ୍ତାଶୟ ପଥର, ଗଣ୍ଠି ବ୍ୟଥା ଓ ସନ୍ଧି ପ୍ରଦାହ, ଉଦର କର୍କଟ, ଅନିଦ୍ରା, ଅଣ-ଆଲ୍କୋହୋଲିକ୍ ଫ୍ୟାଟି ଲିଭର୍, ବନ୍ଧ୍ୟାଦୋଷ।
କାରଣ: ଜଙ୍କ୍ଫୁଡ୍ ଭଳି ଅଧିକ କାଲୋରିବହୁଳ ଭୋଜନ, ଲୁଣ, ଶର୍କରା, ତୈଳାକ୍ତ ଖାଦ୍ୟ, ବିଶୃଙ୍ଖଳିତ ଜୀବନ-ଶୈଳୀ ଓ ବ୍ୟାୟାମାଭାବ।
ଉପଚାର: ସର୍ବଦା ପାରଂପରିକ ଖାଦ୍ୟ ଖାଆନ୍ତୁ। ନିଜକୁ ଶାରୀରିକ କର୍ମ-ବ୍ୟସ୍ତ ରଖନ୍ତୁ। ନିୟମିତ ବ୍ୟାୟାମ କରନ୍ତୁ। ମନେରଖନ୍ତୁ, ବ୍ୟାୟାମ ଦ୍ୱାରା ଓଜନ କମାଇ, ବ୍ୟାୟାମ ବନ୍ଦ କରିଦେଲେ, ପୁଣି ଥରେ ଓଜନ ବଢ଼ିଯାଏ। ବାରମ୍ବାର ଓଜନ କମିବା ଓ ବଢ଼ିବା ଶରୀରର କ୍ଷତି ହିଁ କରିଥାଏ।
ଅସ୍ତ୍ରୋପଚାର: ସଂପ୍ରତି ବେରିଆଟିକ୍ ସର୍ଜରି ଦ୍ୱାରା ଶରୀରର ଅଶୀ ପ୍ରତିଶତ ପର୍ଯ୍ୟନ୍ତ ଓଜନ କମାଯାଇପାରୁଛି। ଏହି ସର୍ଜରି ଦୁଇ ପ୍ରକାର- ଲାପ୍ରୋସ୍କୋପିକ୍ ଭର୍ଟିକାଲ୍ ସ୍ଲିଭ୍ ଗାସ୍ଟ୍ରୋକ୍ଟୋମି ଓ ଲାପ୍ରୋସ୍କୋପିକ୍ ଗାଷ୍ଟ୍ରିକ୍ ବାଇପାସ୍। ଏହି ଦୁଇ ପ୍ରକାରର ସର୍ଜରି ଅଧିକ ଫଳପ୍ରଦ ଏବଂ ପାର୍ଶ୍ୱ-ପ୍ରତିକ୍ରିୟା ଅପେକ୍ଷାକୃତ କମ୍। ଅତ୍ୟଧିକ ମୋଟା ମଣିଷମାନେ ଏହା ଦ୍ୱାରା ରୋଗ-ମୁକ୍ତ ଓ ସୁସ୍ଥ ହୋଇପାରିବେ।