କରୋନା କାଳରେ କେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି?

ଇମ୍ୟୁନୋଲୋଜିଷ୍ଟ୍‌ ଜ୍ୟୋତିରଞ୍ଜନ ପରିଡ଼ାଙ୍କ ୫ ସୂତ୍ରୀ ଫର୍ମୁଲା

ଭୁବନେଶ୍ବର: କରୋନା ବିଗାଡ଼ି ଦେଇଛି ଆମ ଚିରାଚରିତ ଜୀବନଶୈଳୀ। ସକାଳ ମର୍ଣ୍ଣିଂ ୱାକ୍‌ଠାରୁ ଆରମ୍ଭ କରି ଯୋଗ କ୍ଲାସ୍‌, ଜିମ୍‌, ନୃତ୍ୟ ଶିକ୍ଷା ଆଦିରେ ଯେମିତି କୋଲପ ପଡ଼ିଯାଇଛି। ଆମର ଉଭୟ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଶାରୀରିକ ବ୍ୟାୟାମ ଅତ୍ୟାବଶ୍ୟକ ହୋଇପଡ଼ିଥିବା ବେଳେ ଏବେ ଏସବୁ ବନ୍ଦ ରହିଛି। ଏଥିସହ ଏହି ଲକ୍‌ଡାଉନ୍‌ ସମୟ ଆମ ଜୀବନଶୈଳୀରେ ବହୁ ପରିବର୍ତ୍ତନ ଆଣିଛି। ଆଉ ୧୦ଟାରୁ ୬ଟା ଅଫିସ୍‌ ଟାଇମ୍‌ ନଥିବାରୁ ଅନେକଙ୍କ ଖାଦ୍ୟଶୈଳୀରେ ବି ବିରାଟ ପରିବର୍ତ୍ତନ ଆସିଛି। ଅନ୍ୟପଟେ ଏହି ବିଗିଡ଼ି ଯାଇଥିବାର ଜୀବନଶୈଳୀ ସହ କରୋନାରୁ ବର୍ତ୍ତିବା ପାଇଁ ଆମକୁ ଏକ ସୁସ୍ଥ ଜୀବନଶୈଳୀ ସହ ସନ୍ତୁଳିତ ଖାଦ୍ୟାଭ୍ୟାସ ଓ ବ୍ୟାୟାମର ଆବଶ୍ୟତା ରହିଛି।

କରୋନାରୁ ମୁକ୍ତ ରହିବାକୁ ଡାକ୍ତରଙ୍କ ପଞ୍ଚସୂତ୍ରୀ ଫର୍ମୁଲା
ବିଜ୍ଞାନର ଅଗ୍ରଗତି ସହ ମଣିଷ ଯେତେ ବିକାଶ କରିଥିଲେ ମଧ୍ୟ ଏବେ ଏକ ଛୋଟ ଭୂତାଣୁ ଆମକୁ ଆମ ସ୍ଥିତି ଦେଖାଇ ଦେବା ସହ ଏବେ ଆମର ଆତ୍ମ ଚିନ୍ତନର ସମୟ ଆସିଯାଇଛି। କେବଳ ନିଜ ବୃତ୍ତିଗତ ଜୀବନରେ ବ୍ୟସ୍ତ ରହି ଆମେ ନିଜର ଯତ୍ନ ନେବା ଆଗରୁ ଭୁଲି ଯାଇଥିବା ବେଳେ ଏବେ ନିଜ ରୋଗ ପ୍ରତିରୋଧକ ଶକ୍ତି କିଭଳି ଭାବେ ବଢ଼ିପାରିବ ଏହା ‌ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ହୋଇଛି। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ହେଲେ ଆମକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ଆବଶ୍ୟକ। ଏଥିସହ ଆମ ରୋଗ ପ୍ରତିରୋଧକ ଶକ୍ତିକୁ ବି ସୁସ୍ଥ ରଖିବା ଆବଶ୍ୟକ। ତେବେ ଏସବୁକୁ ସୁସ୍ଥ ଓ ଶୃଙ୍ଖଳିତ ରଖିବା ପାଇଁ ବିଶିଷ୍ଟ ଇମ୍ୟୁନୋଲୋଜିଷ୍ଟ୍‌ ଜ୍ୟୋତିରଞ୍ଜନ ପରିଡ଼ା ସମସ୍ତଙ୍କୁ ନିଜ ୫ ସୂତ୍ରୀ ଫର୍ମୁଲା ଆମକୁ ଦେଇଛନ୍ତି।

୧. ଭାରତୀୟ ରନ୍ଧା ଖାଦ୍ୟ ଖାଇବା ଅଭ୍ୟାସ କରିବା
ବର୍ତ୍ତମାନର ଶିଶୁ ଓ ଯୁବବର୍ଗ ଜଙ୍କ୍‌ ଫୁଡ୍ ପ୍ରେମରେ ପାଗଳ। ଯାହାକି ମେଦ ବହୁଳତାର କାରଣ ହେବା ସହ ମଧୁମେହ, ମେଦ ବହୁଳତା ଓ କର୍କଟ ଭଳି ରୋଗକୁ ଶରୀରକୁ ନିମନ୍ତ୍ରିତ କରିଥାଏ। ଫଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଏହା ଦ୍ବାରା ବହୁ ମାତ୍ରାରେ ପ୍ରଭାବିତ ହୋଇଥାଏ। ଏଣୁ ଆମେ ଏସବୁ ବାହାର ଖାଦ୍ୟରୁ ଦୂରେଇ ଭାରତୀୟ ରନ୍ଧା ଖାଦ୍ୟ ଖାଇବା ଉଚିତ। ଏହା ଗେଟିଏ ସନ୍ତୁଳିତ ଓ ସୁଷମ ଖାଦ୍ୟ ଏଥିରେ ଥିବା ହଳଦୀ, ରସୁଣ, ଅଦାରେ ଆଣ୍ଟି-ଇମ୍‌ଫ୍ଲାମେଣ୍ଟୋରି ପପର୍ଟି ରହୁଥିବାରୁ ଏହା ଶରୀର ପାଇଁ ଲାଭକାରୀ। ଶରୀରର ରୋଗ ପ୍ରତିରୋଧକ ଶକ୍ତି କାମ କରିବାକୁ ହେଲେ ବହୁତଗୁଡ଼ାଏ ମାଇକ୍ରୋ ନ୍ୟୁଟ୍ରିଏନ୍‌ସ୍‌ ଆବଶ୍ୟକ। ଏଗୁଡ଼ିକ ହେଲା ଭିଟାମିନ୍‌-ଏ, ବି କମ୍ପ୍ଲେକ୍ସ, ଭିଟାମିନ୍‌-ସି, ଡି, କେ ଓ ମିନେରାଲ୍ସ୍‌ ମଧ୍ୟରେ ଜିଙ୍କ୍‌, ସିଲେନିୟମ୍‌ ଆଦି ଅବଶ୍ୟକ। ଏଣୁ ଆମକୁ ବିଭିନ୍ନ ରଙ୍ଗର ପନିପରିବା, ଫଳ, ଦହି ଓ ଅଣ୍ଡା ଆଦି ଖାଇବା ତେବେ ଆମେ ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ବହୁମାତ୍ରାରେ ବଢ଼ାଇ ପାରିବା।

୨. ବ୍ୟାୟାମ ସହ ଶ୍ବାସକ୍ରିୟାଜନିତ ଯୋଗ ଜରୁରୀ
ବର୍ତ୍ତମାନ ପରିସ୍ଥିତିର ଶାରୀରିକ ବ୍ୟାୟାମ ସହ ଶ୍ବାସକ୍ରିୟାଜନିତ ବ୍ୟାୟାମର ଆବଶ୍ୟକତା ରହିଛି। ବିଶେଷ କରି ଅନୁଲୋମ୍‌ ବିଲୋମ୍‌ ଦ୍ବାରା ଆମ ଶରୀରର ଫୁସ୍‌ଫୁସ୍‌ ସକ୍ରିୟ ହେବା ସହ ଠିକ୍‌ ଭାବେ କାମ କରିଥାଏ। ଫଳରେ କରୋନା ହେଲେ ବି ଶରୀରରେ ଅମ୍ଳଜାନ କମିବାର ଆଶଙ୍କା କମିଯଏ। ସାଧାରଣ ଭାବେ ଆମ ଫୁସ୍‌ଫୁସ୍‌ ୭୫ ବା ୮୦% କାର୍ଯ୍ୟକ୍ଷମ ଥାଏ। ଆମେ ଶ୍ବାସକ୍ରିୟଜନିତ ବ୍ୟାୟାମ ନିୟମତ ଭାବେ କଲେ ଫୁସ୍‌ଫୁସ୍‌ର ବାକି ୨୦ରୁ ୨୫% ଭାଗ ସକ୍ରିୟ ହେବା ସହ ଫୁସ୍‌ଫୁସ୍‌ ୧୦୦% କାମ କରିବାକୁ ସମର୍ଥ ହୁଏ।

୩. ଚାପମୁକ୍ତ ରହିବା
ଆମକୁ ସବୁବେଳେ ଚାପମୁକ୍ତ ରହିବାର ଅଭ୍ୟାସ କରିବାକୁ ପଡ଼ିବ। ଆମେ ଅଧିକ ଚାପରେ ରହିଲେ ଆମ ଶରୀର ଭିତରେ ସିମ୍ପାଥେଟିକ୍‌ ନର୍ଭସ ସିଷ୍ଟମ୍‌ ସକ୍ରିୟ ହୋଇଯାଏ। ଯାହାକି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରିବାର କାର୍ଯ୍ୟ କରେ। ଆମେ ଖୁସିରେ ଓ ଚାପମୁକ୍ତ ରହିଲେ ଶରୀରରେ ପାରା ସିମ୍ପାଥେଟିକ୍‌ ନର୍ଭସ୍‌ ସିଷ୍ଟମ ସକ୍ରିୟ ହୁଏ। ଏହା ଆମକୁ ଶାନ୍ତ ଓ ସ୍ଥିର ରଖେ। ଫଳରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ସକ୍ରିୟ ହୁଏ। ଆମେ ଶ୍ବାସକ୍ରିୟାଜନିତ ବ୍ୟାୟାମ କଲେ ଆମ ଶରୀରର ଭାଗସ୍‌ ନର୍ଭ ଅଧିକ ସକ୍ରିୟ ହୁଏ ଯାହାକି ଆମକୁ ଶାନ୍ତ ରଖେ।

୪. ପର୍ଯ୍ୟାପ୍ତ ପରିମାଣର ଶୋଇବା
ଏବେ ଆମ ଭିତରେ ରାତି ଅନିଦ୍ରା ପ୍ରବୃତ୍ତି ବଢ଼ିବା ସହ ଶୋଇବାରେ ବିଶୃଙ୍ଖଳା ଦେଖାଯାଉଛି। ଆମେ ରାତିରେ ଜଲ୍‌ଦି ଶୋଇବାର ଅଭ୍ୟାସ କରିବା ସହ ୬ରୁ ୮ ଘଣ୍ଟା ଗଭୀର ନିଦରେ ଶୋଇବାକୁ ପଡ଼ିବ। ଶୋଇବା ସମୟରେ ଆମ ମସ୍ତିଷ୍କରୁ ବହୁ ପରିମାଣର ରସାୟନ ନିର୍ଗତ ହୋଇଥାଏ। ଏହାଦ୍ବାରା ପ୍ରତ୍ୟେକ୍ଷ ଭାବେ ଆମ ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିଥାନ୍ତି। ନ ଶୋଇବା ଦ୍ବାରା ଲୋକମାନେ ଆଜିକାଲି ବହୁ ଅଯଥା ରୋଗରେ ପଡ଼ୁଥିବା ଦେଖାଯାଉଛି। ଏଣୁ ରାତିରେ ନୀଳ ଲାଇଟ୍‌ ଯଥା ମୋବାଇଲ୍‌ ଓ ଟିଭିରୁ ଦୂରେଇ ଶୀଘ୍ର ଶୋଇବାକୁ ପଡ଼ିବ।

୫. ଧୂମପାନ ଓ ମଦ୍ୟପାନ ନିହାତି ବର୍ଜନୀୟ
ଧୂମପାନ ଦ୍ବାରା ଆମ ଫୁସ୍‌ଫୁସ୍‌ ଭିତରେ ଥିବା ସିଲିଆ ନାମକ ପହଁରା ନଷ୍ଟ ହୋଇଯାଏ। ଫଳରେ ଫୁସ୍‌ଫୁସ୍‌ର ସଫେଇ ବନ୍ଦ ହୋଇ ସେଠାରେ ଅନାବଶ୍ୟକ ପଦାର୍ଥ ଜମେ ଓ କରୋନା ଭଳି ରୋଗ ପାଇଁ ଏହା ଆହୁରି ‌ଇନ୍ଧନର କାମ କରେ। ସେହିପରି ମଦ୍ୟପାନ ଶରୀରର ବହୁ ତତ୍ତ୍ବକୁ ନଷ୍ଟ କରି ଭିତରୁ ଆମକୁ ଫମ୍ପା କରିଦିଏ। ଏଣୁ ଏ ଦୁଇଟି ଅଭ୍ୟାସରୁ ଦୂରେଇ ରହିବା ଆବଶ୍ୟକ।

ସମ୍ବନ୍ଧିତ ଖବର