ହାଇଡ୍ରା ଫେସିଆଲ୍ର ଚମକ
ଆଜିକାଲିର ଆଧୁନିକା ତରୁଣୀ ଓ ମହିଳାମାନେ ଉଜ୍ଜ୍ବଳ, ମସୃଣ ତ୍ବଚା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ମୁହଁରୁ କଳା, ଧଳା ଦାଗ ଦୂର କରିବା, ଓପନ୍ପୋର୍ସ ଟ୍ରିଟ୍ମେଣ୍ଟ୍, ଆଖି ତଳୁ କଳାଦାଗ ଦୂର ପାଇଁ ଅଣ୍ଡର୍ ଆଇ ଟ୍ରିଟ୍ମେଣ୍ଟ୍, କଳା ଓଠକୁ ସୁନ୍ଦର କରିବାକୁ ଲିପ୍ ଲାଇଟ୍ନିଂ ଟ୍ରିଟ୍ମେଣ୍ଟ୍, ତ୍ବଚାକୁ ଦାଗମୁକ୍ତ ଓ ଉଜ୍ଜ୍ବଳ କରିବାକୁ ସ୍କିନ୍ ଗ୍ଲୋ ଟ୍ରିଟ୍ମେଣ୍ଟ୍ ଆଦି ଏବେ ସହରର ବିଭିନ୍ନ ପାର୍ଲରଗୁଡ଼ିକରେ କରାଯାଉଛି। ଏଥିସହ ତ୍ବଚାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବାକୁ ଏବେ ହାଇଡ୍ରା ଫେସିଆଲ୍, ମେଡିକାଲ୍ ଗ୍ରେଡ୍ ଫେସିଆଲ୍, କେମିକାଲ୍ ପିଲ୍, ଏଲ୍ଇଡି ଲାଇଟ୍ ଥେରାପି ଇତ୍ୟାଦି ବିୟୁଟି ଟ୍ରିଟ୍ମେଣ୍ଟ କରୁଛନ୍ତି। ତେବେ ଏସବୁ ଭିତରୁ ହାଇଡ୍ରା ଫେସିଆଲ୍ର ଚାହିଦା ବଢ଼ୁଛି। ଏହି ଫେସିଆଲ୍ରେ ବୈଦ୍ୟୁତିକ ସୌନ୍ଦର୍ଯ୍ୟ ଉପକରଣ ସାହାଯ୍ୟରେ ଚେହେରାରୁ ମୃତ କୋଷଗୁଡ଼ିକୁ ବାହାର କରାଯାଇଥାଏ। ଚର୍ମ ଭିତରେ ଆଣ୍ଟିଅକ୍ସିଡାଣ୍ଟ୍ ସେରମ୍ ଭର୍ତ୍ତି କରାଯାଇଥାଏ। ଯେଉଁଥିପାଇଁ ଚର୍ମର ଚମକ ଫେରି ଆସେ। ଏହାଦ୍ବାରା କୌଣସି ପାର୍ଶ୍ବପ୍ରତିକ୍ରିୟା ଦେଖାଦିଏ ନାହିଁ। ଏହି ଫେସିଆଲ୍ ଦ୍ବାରା ମୁହଁରୁ କଳାଦାଗ, ବାର୍ଦ୍ଧକ୍ୟ, ତ୍ବଚାର କୁଞ୍ଚନ, ମୁଖବ୍ରଣ, ଆକ୍ନେ ଆଦି ସମସ୍ୟାର ସମାଧାନ ହୋଇଥାଏ। ସମ୍ପୂର୍ଣ୍ଣ ମେସିନ୍ ସାହାଯ୍ୟରେ ଏହି ଫେସିଆଲ୍ କରାଯାଇଥାଏ। ଏଥିରେ ଏଲ୍ଇଡି ମାସ୍କ୍ ବ୍ୟବହାର କରାଯାଏ ଏବଂ ପରେ ବିଭିନ୍ନ ସେରମ୍, କ୍ରିମ୍ ଆଦି ଲଗାଯାଏ। ମସାଜ୍, କ୍ଲିନ୍ଜିଙ୍ଗ୍, ସ୍କ୍ରବିଙ୍ଗ୍, ଆଖି ଓ ନାକ ତଳ ସଫା ପାଇଁ ସୁପର୍ସୋନିକ୍ ମେସିନ୍ ବ୍ୟବହାର କରାଯାଏ।
‘ହେୟାର୍ ହାକର୍’ ପାର୍ଲରର କର୍ମଚାରୀ ଦୟାନନ୍ଦ ଠାକୁର କୁହନ୍ତି, ତାଙ୍କ ପାର୍ଲର୍େର ୯ ମାସ ହେଲାଣି ଏହି ଫେସିଆଲ୍ ଆରମ୍ଭ ହୋଇଛି। ଗ୍ରାହକଙ୍କ ରୁଚି ଅନୁଯାୟୀ ଓ ତ୍ବଚା ଅନୁଯାୟୀ ଆମେ ଫେସିଆଲ୍ କିଟ୍ ବ୍ୟବହାର କରିଥାଉ। ଏହାର ଦାମ୍ ୩୫୦୦ରୁ ଆରମ୍ଭ ହୋଇ ୫୦୦୦ ପର୍ଯ୍ୟନ୍ତ ରହିଛି। O3+, ଲାଲୁସା ଓ ମେଟ୍ ଫେସିଆଲ୍ର ଚାହିଦା ଅଧିକ ରହିଛି। ପ୍ରତି ୨୦ ଦିନରେ ଥରେ ହାଇଡ୍ରା ଫେସିଆଲ୍ କରିବାଦ୍ବାରା ମୁହଁର ମୃତ ଚର୍ମକୋଷଗୁଡ଼ିକ ନଷ୍ଟ ହୋଇ ଚର୍ମରେ ଆର୍ଦ୍ରତା ଭରିଥାଏ। ଏଥିରେ ଆମକୁ ହାତ ମାରିବାକୁ ପଡ଼ି ନ ଥାଏ। ସମ୍ପୂର୍ଣ୍ଣ କାର୍ଯ୍ୟ ମେସିନ୍ ହିଁ କରିଥାଏ। ତ୍ବଚାରେ ଚର୍ମର ଆବଶ୍ୟକତା ଅନୁଯାୟୀ ମେସିନ୍ଟି ତା’ର କାର୍ଯ୍ୟ କରିଥାଏ। ସେଥିପାଇଁ ଆଜିକାଲି ଅଧିକାଂଶ ମହିଳା ଏହି ଫେସିଆଲ୍କୁ ପସନ୍ଦ କରୁଛନ୍ତି ବୋଲି ଶ୍ରୀ ଠାକୁର କହିଛନ୍ତି।