ତ୍ୟାଗର ପର୍ବ ‘ଇଦ୍-ଉଲ୍-ଜୁହା’

ବଳିଦାନ ଓ ସ୍ୱାର୍ଥତ୍ୟାଗର ଅନନ୍ୟ ପର୍ବ ହେଉଛି ‘ଇଦ୍-ଉଲ୍-ଜୁହା’। ଅନ୍ତରର ସମସ୍ତ ଲୋଭ ଓ ସ୍ୱାର୍ଥକୁ ବଳି ଦେଇ ଈଶ୍ୱରଭକ୍ତିରେ ଲୀନ ହୋଇଯିବାର ପର୍ବ ହେଉଛି ‘ଇଦ୍-ଉଲ୍-ଜୁହା’। ଆଲ୍ଲାଙ୍କର ପୈଗମ୍ବର ଇବ୍ରାହିମ୍‌ଙ୍କ ସମର୍ପଣ ଭାବକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ମୁସଲମାନମାନେ ଏହି ପର୍ବ ପାଳନ କରିଥାଆନ୍ତି। ‘କୁରାନ୍’ ଅନୁଯାୟୀ, ଆଲ୍ଲାଙ୍କ ନିର୍ଦ୍ଦେଶ ଅନୁସାରେ ପୈଗମ୍ବର ଇବ୍ରାହିମ ନିଜର ପୁଅଙ୍କୁ ବଳି ଦେବାକୁ ଯାଉଥିଲେ। ଏହା ଥିଲା ତାଙ୍କ ଈଶ୍ୱର ଭକ୍ତିର ସବୁଠାରୁ କଠିନ ପରୀକ୍ଷା। କିନ୍ତୁ ଏହାକୁ ଆଲ୍ଲାଙ୍କର ଆଜ୍ଞା ବୋଲି ମନେକରି, ଜଣେ ଏକନିଷ୍ଠ ଭକ୍ତ ଭାବେ ସେ ନିଜ ପୁଅକୁ ବଳି ଦେବାର ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ଏହି ପ୍ରସ୍ତୁତି ସମୟରେ ସୈତାନ୍‌ ଈଶ୍ୱରଙ୍କ ଆଦେଶ ପାଳନ କରିବାରେ ଅନେକ ବାଧା ସୃଷ୍ଟି କରିଥିଲା। ପରେ ଇବ୍ରାହିମ୍ ସୈତାନ ଆଡ଼କୁ ପଥର ଫୋପାଡ଼ି ତାକୁ ବିଦା କରିଦେଇଥିଲେ। ଏବେ ବି ଏହାର ସ୍ମରଣାର୍ଥେ ହଜ୍ ସମୟରେ ସୈତାନ୍‌ର ପ୍ରତୀକ ସ୍ୱରୂପ ସ୍ତମ୍ଭକୁ ପଥର ଫୋପଡ଼ା ଯିବାର ରୀତି ରହିଛି ।

କଥିତ ଅଛି ଯେ ଆଖି ବନ୍ଦ କରି, ଇସ୍‌ମାଇଲ୍‌ଙ୍କ ଦେହରେ ଛୁରି ଚଳାଇଥିଲେ ଇବ୍ରାହିମ୍। ମାତ୍ର ଆଖି ଖୋଲିବା ପରେ ଦେଖିଲେ, ପୁତ୍ର ଇସ୍‌ମାଇଲ୍‌ଙ୍କର ନୁହେଁ, ଏକ ଦୁମ୍ବା ବା ଜାନ୍ୱରର ମୃତ୍ୟୁ। ଏହି ସମୟରେ ଆଲ୍ଲାଙ୍କର ଦୂତ ଆସି, ଇବ୍ରାହିମ୍ ଓ ଇସ୍‌ମାଇଲ୍‌ଙ୍କୁ ଆଶୀର୍ବାଦ କରିଥିଲେ। ଏହାକୁ ସ୍ମରଣ କରି ‘ଇଦ୍-ଉଲ୍-ଜୁହା’ ପାଳନ କରାଯାଏ। ସେହିଦିନଠାରୁ ଏହି ପବିତ୍ର ଦିନରେ ଦୁମ୍ବା ବା ଜାନ୍‌ୱରକୁ କୁର୍ବାନୀ ଦେବାର ପ୍ରଥା ରହିଛି। ଏହି ଦିନ ଶ୍ରଦ୍ଧାଳୁମାନେ ମସ୍‌ଜିଦ୍ ବା ଇଦ୍‌ଗାହରେ ଏକାଠି ହୋଇ ସାମୂହିକ ଭାବେ ଇଦ୍-ଉଲ୍-ଜୁହା ନମାଜ ପାଠ କରିଥାନ୍ତି। ଶେଷରେ ପରସ୍ପରକୁ ଆଲିଙ୍ଗନ କରି ‘ଇଦ୍ ମୁବାରକ’ ଶୁଭେଚ୍ଛା ଜଣାନ୍ତି। ‘ଇଦ୍-ଉଲ୍-ଜୁହା’ ପାଳନର ଉଦ୍ଦେଶ୍ୟ ହେଉଛି, ଈଶ୍ୱରଙ୍କୁ ନିଜର ଭକ୍ତି ଓ ପ୍ରେମରେ ବିଗଳିତ କରିବା। ଏହାର ପରମ୍ପରା କହେ, ସେ ଭକ୍ତର ଭକ୍ତି ଓ ସମର୍ପଣକୁ ହିଁ ଗ୍ରହଣ କରିଥାନ୍ତି।

-ସସ୍ମିତା ସାହୁ

ସମ୍ବନ୍ଧିତ ଖବର