‘ଉଚ୍ଚ’ର ପରିଚୟ ମନୁଷ୍ୟତା

ଜାନୁଆରୀ ୧୨, ସ୍ୱାମୀ ବିବେକାନନ୍ଦଙ୍କର ପୁଣ୍ୟ ଜନ୍ମଦିନ। ଏହି ଅବସରରେ ତାଙ୍କ ଜୀବନରୁ ପ୍ରେରଣାପ୍ରଦ କଥାଟିଏ।

ସେତେବେଳେ ରାଜସ୍ଥାନ ଭ୍ରମଣରେ ଥାଆନ୍ତି ସ୍ୱାମୀଜୀ। ସେଠାର ଗୋଟିଏ ଷ୍ଟେସନରେ ସେ ଟ୍ରେନ୍‌କୁ ଅପେକ୍ଷା କରି ରହିଥାଆନ୍ତି। ସେହି ଅବସରରେ ଅନେକ ଲୋକ ସେଠାକୁ ଆସି ତାଙ୍କ ସହିତ ଧର୍ମଚର୍ଚ୍ଚା କଲେ; କିନ୍ତୁ ସେ ଖାଇଛନ୍ତି କି ନା କେହି ପଚାରିଲେ ନାହିଁ। ଦୁଇଦିନ ଏହିପରି ବିତିଗଲା। ତୃତୀୟ ଦିନ ସଂଧ୍ୟାରେ ସମସ୍ତେ ଚାଲିଯିବା ପରେ, ଦରିଦ୍ର ଲୋକଟିଏ ତାଙ୍କ ପାଖକୁ ଆସି ପଚାରିଲା, “ମହାରାଜ! ଆପଣ ତିନିଦିନ ଧରି ଲୋକଙ୍କ ସହିତ କଥା ହେଉଛନ୍ତି, ଅଥଚ କିଛି ଖାଇ ନାହାନ୍ତି; ଏହା ଦେଖି ମୋତେ କଷ୍ଟ ଲାଗୁଛି।”

ସ୍ୱାମୀଜୀ ଲୋକଟିକୁ ଦେଖି ଭାବିଲେ, ବୋଧହୁଏ ଈଶ୍ୱର ଦରିଦ୍ର ବେଶରେ ଆସି ତାଙ୍କ ପାଖରେ ପହଞ୍ଚିଛନ୍ତି। ସେ ପଚାରିଲେ, “ତୁମେ କ’ଣ ମୋତେ କିଛି ଖାଇବାକୁ ଦେବ!” ଲୋକଟି ବିନୟରେ କହିଲା, “ମୋର ମନ କହୁଛି ଦେବାପାଇଁ। କିନ୍ତୁ ମୁଁ ତିଆରି କରିଥିବା ରୁଟି କିପରି ଆପଣଙ୍କୁ ଦେବି? ବରଂ ଆପଣ ଯଦି ଚାହାନ୍ତି, କିଛି ଅଟା ଓ ଡାଲି ଆଣିଦେବି; ଆପଣ ରୁଟି, ଡାଲି ନିଜେ କରିନେବେ।”

ତାହା ଶୁଣି ସ୍ୱାମୀଜୀ କହିଲେ, “ନା, ନା, ତୁମେ କରିଥିବା ରୁଟି ଆଣି ମୋତେ ଦିଅ; ମୁଁ ଖାଇବି।” ସେ ଖୁବ୍ କୁଣ୍ଠାର ସହିତ ସ୍ୱାମୀଜୀଙ୍କୁ ତା’ ହାତ ତିଆରି ରୁଟି ଆଣି ଦେଲା। ତାହା ଖାଇ ସ୍ୱାମୀଜୀ କହିଲେ, “ଏ ସମୟରେ ଦେବରାଜ ଇନ୍ଦ୍ର ନିଜେ ଯଦି ସୁବର୍ଣ୍ଣ ପାତ୍ରରେ ଅମୃତ ଆଣି ମୋତେ ଦେଇଥାଆନ୍ତେ, ତେବେ ମୋତେ ଏତେ ତୃପ୍ତି ମିଳିଥାନ୍ତା କି ନା ସନ୍ଦେହ! “ତାହା ଶୁଣି ଲୋକଟିର ଆଖି ଲୁହରେ ଛଳଛଳ ହୋଇଗଲା।

କିନ୍ତୁ, ସ୍ୱାମୀଜୀ ଜଣେ ଅସ୍ପୃଶ୍ୟ ବ୍ୟକ୍ତି ହାତରୁ ଖାଦ୍ୟ ଖାଇବା ନେଇ କେତେକ ପ୍ରଶ୍ନ ଉଠାଇଲେ। ତାହା ଶୁଣି ସ୍ୱାମୀଜୀ କହିଲେ, “ତୁମେମାନେ ତ ମତେ ତିନିଦିନ ଧରି ପ୍ରବାଚନ କରାଇଲ; କିନ୍ତୁ ମୁଁ କିଛି ଖାଇଛି କି ନା କେହି ପଚାରିଥିଲ? ତଥାପି ତୁମେ ଏ ଲୋକଟିକୁ ନୀଚ ବୋଲି କହି, ନିଜକୁ ଉଚ୍ଚ ବୋଲି ବଡ଼ିମା କରୁଛ? ତୁମ କହିବା ଅନୁସାରେ, ସେ ଦରିଦ୍ର ଓ ଅସ୍ପୃଶ୍ୟ।

କିନ୍ତୁ ସେ ଯେଉଁ ମନୁଷ୍ୟତ୍ୱ ପ୍ରଦର୍ଶନ କଲେ, ସେଥିରେ ସେ କିପରି ନୀଚ ଆଉ ତୁମେ କିପରି ଉଚ୍ଚ? ମନୁଷ୍ୟତା ହିଁ ‘ଉଚ୍ଚପଣ’ର ପ୍ରକୃତ ପରିଚୟ।”

ସମ୍ବନ୍ଧିତ ଖବର