ଇନ୍ଦିରା ଏକାଦଶୀ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଆଶ୍ୱିନ କୃଷ୍ଣପକ୍ଷ ଏକାଦଶୀ ତିଥିର ନାମ ‘ଇନ୍ଦିରା ଏକାଦଶୀ’। ଏହି ଏକାଦଶୀ ପିତୃପକ୍ଷରେ ପଡ଼ୁଥିବାରୁ ଏହାର ମହତ୍ତ୍ୱ ସର୍ବାଧିକ। କାରଣ, ଏହି ଏକାଦଶୀ ବ୍ରତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ବ୍ରତ ପାଳନ କରି ତାର ପୁଣ୍ୟ ଫଳ ପିତୃପୁରୁଷଙ୍କୁ ଅର୍ପଣ କରିବା। ଏହାଦ୍ବାରା ସେମାନଙ୍କର ମୋକ୍ଷ ପ୍ରାପ୍ତି ହୋଇଥାଏ।

ଏ ସଂପର୍କରେ ପୁରାଣରେ ଏକ ସୁନ୍ଦର କାହାଣୀ ଅଛି। ପ୍ରାଚୀନ କାଳରେ ମାହିଷ୍ମତୀ ପୁରରେ ଇନ୍ଦ୍ରସେନ ନାମରେ ଜଣେ ପ୍ରସିଦ୍ଧ ରାଜା ଥିଲେ। ସେ ଅତ୍ୟନ୍ତ ଧର୍ମଜ୍ଞ ଓ ନ୍ୟାୟବନ୍ତ। ତେଣୁ ତାଙ୍କ ରାଜ୍ୟରେ ପ୍ରଜାମାନେ ସୁଖରେ ବସବାସ କରୁଥିଲେ। ଥରେ ନାରଦ ଆସି ତାଙ୍କୁ ସୂଚନା ଦେଲେ ଯେ ପୁଣ୍ୟ ଶେଷ ହୋଇଯିବା କାରଣରୁ ତାଙ୍କର ପିତା ସ୍ୱର୍ଗଲୋକରୁ ଆସି ଯମଙ୍କର ନରକପୁରରେ ନିବାସ କରିଛନ୍ତି। ଏହା ଶୁଣି ଇନ୍ଦ୍ରସେନ ଅତ୍ୟନ୍ତ ଦୁଃଖିତ ହେଲେ। ତେଣୁ ନାରଦ ତାଙ୍କୁ ଉପଦେଶ ଦେଲେ, “ତୁମେ ନିଷ୍ଠାର ସହିତ ଆଶ୍ୱିନ କୃଷ୍ଣ ପକ୍ଷର ଇନ୍ଦିରା ଏକାଦଶୀ ବ୍ରତ କରି, ତାର ପୁଣ୍ୟ ଫଳ ଯଦି ତୁମର ପିତାଙ୍କୁ ଅର୍ପଣ କରିବ, ସେ ପୁନଶ୍ଚ ସ୍ୱର୍ଗଲୋକ ଗମନ କରିବେ। ଇନ୍ଦ୍ରସେନ ଏହି ବ୍ରତ ପାଳନ କରିବାରୁ ତାଙ୍କ ପିତାଙ୍କର ମୋକ୍ଷପ୍ରାପ୍ତି ହୋଇଥିଲା।

ଅନ୍ୟ ଏକାଦଶୀଠାରୁ ଏହି ଏକାଦଶୀର ବ୍ରତ ବିଧି ସାମାନ୍ୟ ଭିନ୍ନ। ଏଥିରେ, ବ୍ରତଚାରୀ ଦଶମୀ ଦିନ ଶୁଦ୍ଧସ୍ନାନ ଓ ଏକବାର ଭୋଜନ କରି ଭୂମିରେ ଶୟନ କରିବେ। ପରଦିନ ଅର୍ଥାତ୍ ଏକାଦଶୀ ଦିନ ପ୍ରାତଃ ସ୍ନାନ କରି ଉପବାସ ନିୟମ ଗ୍ରହଣ କରି ସକାଳୁ ନିମ୍ନୋକ୍ତ ମନ୍ତ୍ର ପଢ଼ି ପ୍ରାର୍ଥନା କରିବେ, “କମଳନୟନ ଭଗବାନ ନାରାୟଣ, ଆଜି ମୁଁ ସମସ୍ତ ଭୋଗରୁ ନିବୃତ୍ତ ହୋଇ, ନିରାହାର ରହି, କାଲି ଭୋଜନ କରିବି। ହେ ଅଚ୍ୟୁତ, ମୋତେ ଶରଣ ଦିଅନ୍ତୁ।” ଏହି ପ୍ରକାର ନିୟମ କରି, ଶାଳଗ୍ରାମ ଶିଳା ସମ୍ମୁଖରେ ବିଧିପୂର୍ବକ ଶ୍ରାଦ୍ଧ କରି, ବ୍ରାହ୍ମଣଙ୍କୁ ସତ୍କାର କରି, ଭୋଜନ ଦେବେ ଏବଂ ସେହି ପିଣ୍ଡକୁ ନେଇ ଗୋମାତାଙ୍କୁ ଭୋଜନ କରାଇବେ। ଏହାପରେ ଭଗବାନଙ୍କ ପ୍ରତିମାକୁ ଗଙ୍ଗାଜଳରେ ସ୍ନାନ କରାଇ, ଫୁଲ, ହଳଦୀ, କୁଙ୍କୁମ ଆଦି ଦେଇ ସଜ୍ଜିତ କରି, ଧୂପ, ଦୀପ, ଅକ୍ଷତ ଦେଇ ଆଳତି କରିବେ। ସାରାରାତି ଉଜାଗର ରହି ବିଷ୍ଣୁସହସ୍ରନାମ ପାଠ କରିବେ। ତୁଳସୀ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ। ତେଣୁ ନୈବେଦ୍ୟରେ ତୁଳସୀପତ୍ର ପ୍ରଦାନ କରିବେ। ଏହିଦିନ ରସୁଣ, ପିଆଜ, ବାଇଗଣ, ମାଂସ, ମଦିରା, ପାନ, ଗୁଆ, ତମାଖୁ ଆଦିର ସେବନ ନିଷିଦ୍ଧ। ବ୍ରତ ସମାପ୍ତ ହେବା ପରେ ତାହାର ପୁଣ୍ୟଫଳ ପିତୃପୁରୁଷଙ୍କୁ ସମର୍ପଣ କଲେ ସେମାନଙ୍କର ମୋକ୍ଷପ୍ରାପ୍ତି ହେବ।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର