ସର୍ବତୀର୍ଥମୟ ଇନ୍ଦ୍ରପ୍ରସ୍ଥ, ମୋକ୍ଷପ୍ରାପ୍ତି ନିମିତ୍ତ ସର୍ବଶ୍ରେଷ୍ଠ ତୀର୍ଥ

ବହୁ ପ୍ରାଚୀନକାଳରୁ ଆମର ଧାରଣା ରହିଛି ଯେ ମହାରାଜ ଯୁଧିଷ୍ଠିର ଯେତେବେଳେ ଖାଣ୍ଡବପ୍ରସ୍ଥରେ ନିଜର ରାଜଧାନୀ ନିର୍ମାଣ କଲେ, ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ସେ ତାହାର ନାମ ରଖିଥିଲେ ‘ଇନ୍ଦ୍ରପ୍ରସ୍ଥ’। କିନ୍ତୁ ପୁରାଣ ସୂଚନା ଅନୁସାରେ, ସେହି ଭଗବାନ ଶ୍ରୀକୃଷ୍ଣ ତାଙ୍କର ପରଂବ୍ରହ୍ମ ସ୍ୱରୂପରେ ଏହି ସ୍ଥାନର ନାମ ଇନ୍ଦ୍ରପ୍ରସ୍ଥ ରଖିଥିଲେ। ତାହା ଯୁଧିଷ୍ଠିରଙ୍କ ଜନ୍ମର ବହୁ ପୂର୍ବ କାଳର କଥା।

ନୃସିଂହ ଅବତାରରେ ଭଗବାନ ହିରଣ୍ୟକଶିପୁକୁ ବଧ କରି ଇନ୍ଦ୍ରଙ୍କୁ ସ୍ୱର୍ଗରାଜ୍ୟ ସମର୍ପଣ କରିଥିଲେ। ତେଣୁ ଇନ୍ଦ୍ର କୃତଜ୍ଞତାବଶତଃ ନୃସିଂହ ଭଗବାନକୁ ତୃପ୍ତ କରିବା ପାଇଁ ଏକ ଯଜ୍ଞ କରିବାକୁ ମନସ୍ଥ କରି ଦେବଗୁରୁ ବୃହସ୍ପତିଙ୍କର ପରାମର୍ଶ ଲୋଡ଼ିଲେ। ବୃହସ୍ପତିଙ୍କ ନିର୍ଦ୍ଦେଶରେ ଇନ୍ଦ୍ରଦେବ ପରମ ପାବନୀ ଯମୁନାନଦୀର ତଟଦେଶରେ ଥିବା ତାଙ୍କର ରମଣୀୟ ଖାଣ୍ଡବ ବନରେ ସେହି ଯଜ୍ଞ କରିବାକୁ ନିଶ୍ଚୟ କଲେ। ଯଜ୍ଞରେ ଇନ୍ଦ୍ର, ବ୍ରହ୍ମାପୁତ୍ର ବଶିଷ୍ଠଙ୍କ ସହିତ ସପ୍ତର୍ଷିଙ୍କୁ ଏବଂ ବେଦଜ୍ଞ ବ୍ରାହ୍ମଣମାନଙ୍କ ସହିତ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ନିମନ୍ତ୍ରଣ କରାଗଲା। ଇନ୍ଦ୍ରଙ୍କୁ ଅନୁରୋଧ ଓ ପ୍ରାର୍ଥନା ରକ୍ଷାକରି ତ୍ରିଦେବ ଯଜ୍ଞସ୍ଥଳକୁ ଆସିଲେ। ତାହା ଦେଖି ଇନ୍ଦ୍ର ଉତ୍‌ଫୁଲ୍ଲ ହୋଇଉଠିଲେ ଏବଂ ତ୍ରିଦେବଙ୍କୁ ବନ୍ଦନା କରିବା ସହିତ, ଭଗବାନ ନୃସିଂହଙ୍କର ପାଦପଦ୍ମରେ ତାଙ୍କ ଚିତ୍ତ ସର୍ବଦା ରହିଥାଉ- ଏପରି କାମନା କରି ଯଜ୍ଞ କଲେ। ଭଗବାନ ବିଷ୍ଣୁ ଇନ୍ଦ୍ରଙ୍କର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଯେଉଁ ମୁନିଋଷିମାନେ ସେଠାରେ ଉପସ୍ଥିତ ଥିଲେ ପ୍ରଥମେ ସେମାନଙ୍କୁ ସନ୍ତୁଷ୍ଟ କରିବା ନିମିତ୍ତ ଉପଦେଶ ଦେଲେ। ନିଷ୍କାମ ହୋଇ ଯଜ୍ଞ କଲେ ନିଶ୍ଚିତ ବୈକୁଣ୍ଠପ୍ରାପ୍ତି ହେବ, ଏହିପରି ଆଶ୍ୱାସନା ଦେବା ସହିତ, ପ୍ରତ୍ୟେକ ଯଜ୍ଞରେ ମୁନିଋଷିମାନଙ୍କୁ ରତ୍ନର ଅନେକ ପ୍ରସ୍ଥ (ମାଢ଼) ଦାନ କରିବାକୁ ମଧ୍ୟ ସେ ଇନ୍ଦ୍ରଙ୍କୁ ନିର୍ଦ୍ଦେଶ ଦେଲେ। ରତ୍ନପ୍ରସ୍ଥ ଦାନ ହେତୁ ଏହି ସ୍ଥାନ ସର୍ବଦା ଇନ୍ଦ୍ରପ୍ରସ୍ଥ ଭାବରେ ପରିଚିତ ହେବ ବୋଲି କହିବା ସହିତ, ସେଠାରେ କାଶୀ ଏବଂ କାଞ୍ଚି ନିର୍ମାଣ କରି ବାସ କରିବାକୁ ଦେବ ଦେବ ମହାଦେବଙ୍କୁ ସେ ଅନୁରୋଧ କଲେ। ଦ୍ୱାରକାପୁରୀ, ଅଯୋଧ୍ୟାପୁରୀ, ମଧୁବନ ଓ ବଦରିକାଶ୍ରମ ସ୍ଥାପନ କରି ସେଠାରେ ସେ ନିଜେ ନିବାସ କରିବାକୁ ମଧ୍ୟ ନିଶ୍ଚୟ କଲେ। ସରସ୍ୱତୀଙ୍କ ସହିତ ଯେତେ ତୀର୍ଥ ରହିଛି, ସମସ୍ତଙ୍କୁ ସେଠାରେ ସ୍ଥାପନ କରିବାକୁ ମଧ୍ୟ ସେ ବୃହସ୍ପତିଙ୍କୁ ନିର୍ଦ୍ଦେଶ ଦେଲେ।

ସେହି ଉପଦେଶ ଅନୁସାରେ, ଇନ୍ଦ୍ର ସେଠାରେ ଅନେକ ଯଜ୍ଞ କରି ଲକ୍ଷ୍ମୀପତି ଭଗବାନ କେଶବଙ୍କୁ ଆରାଧନା କଲେ ଏବଂ ବ୍ରାହ୍ମଣମାନଙ୍କୁ ରତ୍ନପ୍ରସ୍ଥ ଦାନ କଲେ। ଫଳରେ ସେହି କ୍ଷେତ୍ର ଇନ୍ଦ୍ରପ୍ରସ୍ଥ ନାମରେ ପ୍ରସିଦ୍ଧି ଲାଭ କଲା। ମୋକ୍ଷପ୍ରାପ୍ତି ନିମିତ୍ତ ତାହା ସର୍ବଶ୍ରେଷ୍ଠ ତୀର୍ଥ ବୋଲି ଚିହ୍ନିତ ହେଲା।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର