ଛୋଟ କଥାରୁ ବି ମିଳେ ବଡ଼ ସୂଚନା; ସାବଧାନ! କେହି ଆପଣଙ୍କ ସହ ଏପରି କରୁନାହାନ୍ତି ତ?

ବେଳେ ବେଳେ ବହୁତ ବଡ଼ ଧରଣର ଘଟଣା ଘଟିଗଲେ ବି ବିଶେଷ ପ୍ରଭାବ ପକାଏ ନାହିଁ। ମାତ୍ର ଆଉ ବେଳେ ବେଳେ ଖୁବ୍‌ ଛୋଟ କଥାରୁ ବି କୌଣସି ବ୍ୟକ୍ତି କିମ୍ବା ଭବିଷ୍ୟତ ସଂପର୍କରେ ବଡ଼ ଧରଣର ସୂଚନା ମିଳିଥାଏ। ସେହି ସୂଚନାକୁ ଅଣଦେଖା କରିବା ମଣିଷର ବୋକାମୀ ହୋଇପାରେ। ଘଟଣା ପ୍ରତିଟି ମୁହୂର୍ତ୍ତରେ ଘଟେ, ମାତ୍ର ସୂଚନା ମାତ୍ର କେବେ କେବେ ମିଳିଥାଏ। ନିଜ ମନକୁ ଗଭୀର ଭାବେ ଯାହା ଅନୁଭବ ହୁଏ ତାହା କେବେ ଭୁଲ୍‌ ହୋଇପାରେନା। ଯଦି କୌଣସି ବି କଥାରୁ ଆପଣ ଭବିଷ୍ୟତ ପାଇଁ ଟିକେ ବି ସୂଚନା ପାଇପାରୁଛନ୍ତି ବୋଲି ଆପଣଙ୍କୁ ଅନୁଭବ ହୁଏ ତେବେ ସେହି କ୍ଷଣ ହିଁ ସଚେତନତା ଅବଲମ୍ବନ କରିବାରେ ଅଛି ଆପଣଙ୍କର ଓ ଅନ୍ୟର ମଙ୍ଗଳ।

ଆମ ଜୀବନରେ ଥିବା ଅଧିକାଂଶ ଲୋକ ଯେପରି ଦିଶିଥାନ୍ତି ବାସ୍ତବରେ ସେପରି ହୋଇନଥାନ୍ତି। ଏମିତି ଅନେକ ଲୋକ ଥାଆନ୍ତି ଯାହାଙ୍କୁ ଆମେ ଅନେକ ଅନ୍ତରଙ୍ଗ ବା ଘନିଷ୍ଠ ବୋଲି ବିବେଚନା କରିଥିଲେ ବି ବାସ୍ତବରେ ସେମାନେ ଘନିଷ୍ଠତା ନିଭାଇବା ପାଇଁ ଯୋଗ୍ୟ ହୋଇନଥାନ୍ତି। ସମୟ ଦେଖି ନିଜର ଚତୁରତା ପ୍ରଦର୍ଶନ କରି ଆଘାତ ଦେଇଥାନ୍ତି। ଆପଣ ଯଦି ସେପରି କୌଣସି ବ୍ୟକ୍ତିଙ୍କ ସହ ସଂପର୍କରେ ଅଛନ୍ତି ତେବେ ସିଧାସଳଖ ସଂପର୍କ କ୍ଷୁର୍ଣ୍ଣ ନକଲେ ବି ଯଥାଚେଷ୍ଟା କରନ୍ତୁ ତାଙ୍କଠୁ ଦୂରେଇ ରହିବାକୁ।

ଏମିତି ଅନେକ ଧରଣର ଲୋକ ଥାଆନ୍ତି ସେମାନେ ଅନ୍ୟଠାରୁ ବୁଦ୍ଧି ନେଇ ନିଜେ ବାଜିମାତ୍‌ କରନ୍ତି। ସେମିତି କେହି ଯଦି ଆପଣଙ୍କ ସଂସ୍ପର୍ଶରେ ଅଛନ୍ତି ତେବେ ମନେ ରଖନ୍ତୁ ଆପଣ କେବେ ନା କେବେ ଅସୁବିଧାରେ ପଡ଼ିପାରନ୍ତି। ନିଜର ଅତି ଗୋପନ ଭାବନା ସେପରି ଲୋକ ସହ ବାଣ୍ଟନ୍ତୁ ନାହିଁ। ସେମାନେ ତାହାର ଫାଇଦା ଉଠାଇ ପାରନ୍ତି।

ଅପ୍ରିୟ ହେଲେ ବି କଥାଟି ଏକଦମ ସତ, ରକ୍ତ ସଂପର୍କକୁ ଛାଡ଼ି ଦେବା ଏମିତି କୌଣସି ସଂପର୍କ ନାହିଁ ଯିଏ ଆପଣଙ୍କୁ ଶହେ ପ୍ରତିଶତ ବୁଝିପାରିବେ। ଅନେକ ଲୋକଙ୍କ ସହ ସୁସଂପର୍କ ଗଢ଼ିବା ଅଦୌ ମନ୍ଦ ନୁହେଁ। ମାତ୍ର ସେ ସମସ୍ତେ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଯେପରି ଦଖଲ ନ ରଖନ୍ତି ସେଥିପ୍ରତି ଚିନ୍ତାଶୀଳ ହୁଅନ୍ତୁ। ମାନେ ନାହିଁ, ଆପଣ ଯେପରି ଚିନ୍ତା କରନ୍ତି ଦୁନିଆ ବି ସେହିପରି ଭାବିବ। ଅନ୍ୟକୁ ନେଇ ଅଶାବାଦୀ ହୁଅନ୍ତୁ ନାହିଁ। ନିଜ ଖୁସି ଓ ଦୁଃଖର କାରଣ ମଣିଷ ନିଜେ ହୋଇଥାଏ।

ନିଜର ଏକ ସ୍ୱତନ୍ତ୍ର ସାମ୍ରାଜ୍ୟ ତିଆରି କରନ୍ତୁ। ବାହାରେ ଠିଆ ହୋଇ ଲୋକେ ଆପଣଙ୍କ ସାମ୍ରାଜ୍ୟ ଦେଖି ଖୁସି ହୁଅନ୍ତୁ ପଛେ ମାତ୍ର ସେ ସାମ୍ରାଜ୍ୟକୁ ପ୍ରବେଶ ଦ୍ୱାର ବନ୍ଦ ରଖନ୍ତୁ। ମନେ ରଖନ୍ତୁ ଖୋଲାରେ ପଡ଼ିଥିବା ଜିନିଷର ଗୁରୁତ୍ୱ କମ୍‌। ତେଣୁ, ଅନ୍ୟକୁ ସ୍ନେହ ଦିଅନ୍ତୁ ପଛେ ତାଙ୍କ ସାମ୍ନାରେ ନିଜକୁ ଶସ୍ତା କରିବାର ସୁଯୋଗ ଆଦୌ ଦିଅନ୍ତୁ ନାହିଁ।

ସମ୍ବନ୍ଧିତ ଖବର