ଭୁବନେଶ୍ୱର: ଆପଣଙ୍କର ଘରେ କାହାର ପିଲାବେଳୁ ଦୃଷ୍ଟିଶକ୍ତି ହ୍ରାସ ହେବାରେ ଲାଗିଛି କି? ଯଦି ହଁ, ତେବେ ଆପଣ ଅବହେଳା କରନ୍ତୁ ନାହିଁ | କାରଣ ଏହା ଆଇଆରଡ଼ିର ଲକ୍ଷଣ ହୋଇପାରେ | ବାସ୍ତବରେ ଆଇଆରଡି(ଇନହେରିଟେଡ୍ ରେଟିନାଲ୍ ଡିଷ୍ଟ୍ରୋଫି) ହେଉଛି ଜେନେଟିକ୍ ଅବସ୍ଥାର ଏକ ଗୋଷ୍ଠୀ ଯାହା ରେଟିନାକୁ ପ୍ରଭାବିତ କରେ, ଏହା ଫଳରେ ଛୋଟ ପିଲା ଏବଂ ଯୁବକମାନଙ୍କ ମଧ୍ୟରେ ଦୃଷ୍ଟିଶକ୍ତି ହ୍ରାସ ପାଏ, ଏପରିକି ଅନ୍ଧତ୍ୱ ମଧ୍ୟ ହୋଇପାରେ । ଏଥିରେ ରେଟିନାଇଟିସ୍ ପିଗମେଣ୍ଟୋସା, ଲେବର୍ କଞ୍ଜେନିଟାଲ୍ ଏମୋରୋସିସ୍, ଷ୍ଟାରଗାର୍ଡ ରୋଗ ଏବଂ କୋନ୍-ରଡ୍ ଡିଷ୍ଟ୍ରୋଫି ଭଳି ରୋଗ ଅନ୍ତର୍ଭୁକ୍ତ । ଅନେକ କ୍ଷେତ୍ରରେ ସଚେତନତା ଏବଂ ସ୍ୱତନ୍ତ୍ର ସୁବିଧା ଅଭାବରୁ ଏସବୁ ରୋଗ ଭୁଲ ଭାବରେ ନିର୍ଣ୍ଣୟ କରାଯାଏ କିମ୍ବା ବହୁତ ବିଳମ୍ବରେ ଚିହ୍ନଟ କରାଯାଏ ।

Advertisment

ଆଇଆରଡି ଦ୍ୱାରା ଦୃଷ୍ଟିଶକ୍ତି ହ୍ରାସ ଶୈଶବରୁ ଆରମ୍ଭ ହୋଇପାରେ ଏବଂ କିଶୋରାବସ୍ଥା ଓ ପ୍ରାପ୍ତବୟସ୍କ ହେବା ପର୍ଯ୍ୟନ୍ତ ବଢ଼ିପାରେ, ଯାହା ଶିକ୍ଷାଲାଭ, ନିଯୁକ୍ତି ଏବଂ ଜୀବନର ଗୁଣବତ୍ତା ଉପରେ ଗୁରୁତର ପ୍ରଭାବ ପକାଇପାରେ । ପିଲାମାନଙ୍କଠାରେ ପ୍ରଥମେ ରାତିକାଳୀନ ଅନ୍ଧତ୍ୱ ହୁଏ, ତା’ପରେ ବସ୍ତୁ ଦୃଷ୍ଟିକ୍ଷେତ୍ର ମଧ୍ୟଭାଗକୁ ନ ଆସିଲେ ଦେଖା ନଯିବା (ଟନେଲ୍ ଭିଜନ୍) ଏବଂ ଶେଷରେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇପାରନ୍ତି । ଅନ୍ୟାନ୍ୟ ଅନ୍ଧତ୍ୱ ଭଳି ଏହା ନୁହେଁ । ଆଇଆରଡି ବଂଶାନୁକ୍ରମିକ ଭାବରେ ହୁଏ ଏବଂ ପିଢ଼ି ପରେ ପରିବାରର ଅନେକ ସଦସ୍ୟଙ୍କୁ ପ୍ରଭାବିତ କରିପାରେ। ଅନେକ ପରିବାର ନିରୂପଣ ହୋଇନଥିବା ବଂଶାନୁକ୍ରମିକ ଅନ୍ଧତ୍ୱ ସହିତ ବଞ୍ଚନ୍ତି କାରଣ ସେମାନେ ମୂଳ ଜିନଗତ କାରଣ ବିଷୟରେ ଜାଣି ନ ଥାନ୍ତି । ଜେନେଟିକ୍ ପରୀକ୍ଷଣ କେବଳ ରୋଗ ନିର୍ଣ୍ଣୟକୁ ନିଶ୍ଚିତ କରେ ନାହିଁ ବରଂ ନିର୍ଦ୍ଦିଷ୍ଟ ଚିକିତ୍ସା, ନୈଦାନିକ ପରୀକ୍ଷଣରେ ଅଂଶଗ୍ରହଣ ଏବଂ ସୂଚନା ମିଳିବା ଯୋଗୁଁ ପାରିବାରିକ ଯୋଜନା ପାଇଁ ମଧ୍ୟ ପଥ ଉନ୍ମୁକ୍ତ କରିଥାଏ । 

ତେବେ ଆଇଆରଡିର ଚିକିତ୍ସା ବାବଦରେ କହିବାକୁ ଗଲେ ସ୍ୱତନ୍ତ୍ର ରେଟିନା ମୂଲ୍ୟାଙ୍କନ, ଇଆରଜି ଏବଂ ଭିଇପି ଭଳି ଇଲେକ୍ଟ୍ରୋଫିଜିଓଲୋଜିକାଲ୍ ଟେଷ୍ଟ, ଜିନ୍ ପ୍ୟାନେଲ୍ କିମ୍ବା ସାମଗ୍ରିକ ଏକ୍ସୋମ୍ ସିକ୍ୱେନ୍ସିଂ ସାହାଯ୍ୟରେ ଉନ୍ନତ ଜେନେଟିକ୍ ପରୀକ୍ଷଣ ଦ୍ୱାରା ଏହା ଜଣାପଡେ | କୌଣସି ଚକ୍ଷୁ ବିଶେଷଜ୍ଞ ଏହି ସବୁ ରିପୋର୍ଟ ମାଧ୍ୟମରେ ହିଁ ଚିକିତ୍ସା କରିଥାନ୍ତି |