ଭୁବନେଶ୍ବର: ହରି ଓ ଗୋବିନ୍ଦ ଦୁଇ ସାଙ୍ଗ। ଗୋବିନ୍ଦ ଜଣେ ପ୍ରଶାସନିକ ଅଧିକାରୀ ଓ ହରି ଜଣେ ଶିକ୍ଷକ। ଭୁବନେଶ୍ବରର ଏକ ବଜାରରେ ଦୁହିଁଙ୍କର ଦେଖା ହୋଇଗଲା। ଗୋବିନ୍ଦ ହରିକୁ କହିଲା, ସାଙ୍ଗ, ଏତେ ଦିନ ପରେ ହାବୁଡ଼େ ପଡ଼ିଛୁ। ତୋତେ ଆଜି ନ ଖୁଆଇ ଛାଡ଼ିବି ନାହିଁ। ଏହା କହି ହାତ ଧରି ଏକ ଜଳଖିଆ ଦୋକାନକୁ ନେଇଗଲା। କହିଲା, ଏଠି ବରା, ଆଳୁଚପ୍ ଓ ସିଙ୍ଗଡ଼ା ଅଛି- କ’ଣ ଖାଇବୁ କହ। 

ହରି କହିଲା- ମୁଁ ତ ଏସବୁ ଖାଏ ନାହିଁ। ଏଗୁଡ଼ିକ ପାମୋଲିନ ତେଲରେ ଛଣା ହେଉଛି। 

Advertisment

ଗୋବିନ୍ଦ କହିଲା- ସେଥିରେ କ’ଣ ଅଛି? ଭାରତ ସରକାର ପାମୋଲିନ ତେଲକୁ ପ୍ରୋତ୍ସାହନ ଦେଉଛନ୍ତି। ଇନ୍ଦୋନେସିଆ, ମ୍ୟାଲେସିଆ ଓ ଥାଇଲାଣ୍ଡରୁ ଆମ ସରକାର ବିପୁଳ ପରିମାଣର ପାମ୍ ତେଲ ମଗାଇ ଦେଶର ଖାଇବା ତେଲ ଅଭାବଜନିତ ସମସ୍ୟାକୁ ପୂରଣ କରୁଛନ୍ତି। ଇନ୍ଦୋନେସିଆ ଆମର ସବୁଠାରୁ ବଡ଼ ପାମ୍ ତେଲ ଯୋଗାଣକାରୀ।

ହରି କହିଲା- ସରକାର ଲୋକଙ୍କ ହିତରେ ଏହା କରୁ ନାହାନ୍ତି। ଏହା ବଦଳରେ ସରକାର ଅଧିକ ସୋରିଷ ଓ ବାଦାମ ଚାଷକୁ ପ୍ରୋତ୍ସାହନ ଦେବା ଉଚିତ। ଆମ ଘରେ କେବଳ ଘଣା ସୋରିଷ ଓ ଘଣା ବାଦାମ ତେଲ ହିଁ ଖିଆଯାଏ।

ଗୋବିନ୍ଦ- ପାମ୍ ତେଲ ବହୁତ ଶସ୍ତା। ତେଣୁ ଗରିବ ଲୋକମାନେ ଏହା ବେଶି ବ୍ୟବହାର କରୁଛନ୍ତି। ସମଗ୍ର ଫୁଡ୍‌ ଇଣ୍ଡଷ୍ଟ୍ରିରେ ପାମ୍ ତେଲ ହିଁ ବ୍ୟବହାର କରାଯାଉଛି। 

ହରି- ଗରିବ ଲୋକମାନେ ଏହି ତେଲ ଖାଇ ସର୍ବସ୍ବାନ୍ତ ହେଉଛନ୍ତି। କାରଣ ପାମ୍ ତେଲ ସହଜରେ ହଜମ ହୁଏ ନାହିଁ। ତେଣୁ ଗ୍ୟାସ୍, ଏସିଡ୍ ଆଦି ସୃଷ୍ଟି କରିବା ସହ ଅଗ୍ନ୍ୟାଶୟକୁ ଅଚଳ କରି ଡାଇବେଟିସ୍ ରୋଗ ସୃଷ୍ଟି କରେ। ପୁଣି ପାମ୍ ତେଲରେ ୫୦ ପ୍ରତିଶତରୁ ଅଧିକ ସାଚୁରେଟେଡ୍‌ ଫ୍ୟାଟ୍‌ (ଖରାପ ଚର୍ବି) ଅଛି, ଯାହା କଲୋଷ୍ଟେରଲ ବୃଦ୍ଧି କରିବା ସହ ହୃଦ୍‌ଘାତ ସମସ୍ୟା ବଢ଼ାଇଥାଏ। ମୋ ପିଲାଦିନେ ଆମ ଗାଁଗଣ୍ଡାରେ କେହି ଡାଇବେଟିସ୍ ଓ ହୃଦ୍‌ରୋଗୀ ନ ଥିଲେ। ଏବେ ଏହି ରୋଗ ଘରେ ଘରେ ଦେଖିବାକୁ ମିଳୁଛି। ଏହା ଆଉ ସହରୀ ରୋଗ ହୋଇ ନାହିଁ। ଯେବେଠୁ ଲୋକେ ସୋରିଷ ତେଲ ଛାଡ଼ି ଶସ୍ତା ପାମ୍ ତେଲ ଖାଇବା ଆରମ୍ଭ କଲେ, ସେବେଠାରୁ ଏହି ରୋଗର ପ୍ରାଦୁର୍ଭାବ ଦେଖିବାକୁ ମିଳିଲା। ଏବେ କୁହ, ଯଦି ଜଣେ ଗରିବ ଲୋକ ଘରେ କେହି ହୃଦ୍‌ରୋଗ ପରି ବଡ଼ରୋଗର ଶିକାର ହେବ, ତେବେ ଚିକିତ୍ସା ପାଇଁ ଜମିବାଡ଼ି ବିକି ସର୍ବସ୍ବାନ୍ତ ହେବ କିମ୍ବା ଚିକିତ୍ସା ଅଭାବରୁ ମରିବ ନା ନାହିଁ?

ଗୋବିନ୍ଦ- ସତ କଥା ତ! କିନ୍ତୁ ସୋରିଷ ତେଲରେ ବି ତ କଲୋଷ୍ଟେରଲ ଅଛି?

ହରି- ଅଛି, କିନ୍ତୁ କମ୍। ସୋରିଷ ତେଲ ବିରୋଧରେ ଯେପରି ପ୍ରଚାର କରାଯାଉଛି, ତାହା ଭୁଲ୍। ଆଗରୁ ଆମର ପୂର୍ବପୁରୁଷ ସୋରିଷ ତେଲ ଖାଇ କେବେ ବଡ଼ରୋଗର ଶିକାର ହେବାର ଦେଖାଯାଇ ନାହିଁ। 

ଗୋବିନ୍ଦ- ତା’ହେଲେ ବିସ୍କୁଟ୍ ଓ ମିକ୍ସଚର ବି ତ ଖାଇବା କଥା ନୁହେଁ। କାରଣ ତାହା ପାମ୍ ତେଲରେ ତିଆରି ହେଉଛି। 

ହରି- ତୁ ଠିକ୍ କହିଛୁ। ଆମେ ତାକୁ କେବେ ଖାଉନା। 

ଗୋବିନ୍ଦ- ପାମୋଲିନ ତେଲର ଅନ୍ୟ ବ୍ୟବହାର ଅଛି। ସେଥିରୁ ବାୟୋଡିଜେଲ ତିଆରି ହୁଏ। ସାବୁନ, କସ୍ମେଟିକ୍ସ, ଶାମ୍ପୁ, ଲୋସନ ପ୍ରଭୃତିରେ ତାହାର ବ୍ୟବହାର ହୁଏ। 

ହରି- ଠିକ୍, ତା’ର ବ୍ୟବହାର ସେତିକିରେ ସୀମିତ ହେବା ଦରକାର। ଖାଦ୍ୟ ପାଇଁ ଏହାର ବ୍ୟବହାର ବୃଦ୍ଧି ପାଇବା ଯୋଗୁ ଅଧିକ ଚାଷ ପାଇଁ ଜଙ୍ଗଲ କଟାଯାଉଛି। ଏହାଦ୍ବାରା ପରିବେଶ ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପଡ଼ୁଛି। ଜୈବବିବିଧତା ନଷ୍ଟ ହେଉଛି। 

ଗୋବିନ୍ଦ- ଠିକ୍। ତେବେ କ’ଣ ଖାଇବା? ଚାଲ, ପାଖରେ ପଇଡ଼ ମିଳୁଛି। ଦୁଇଟା ପିଇଦବା। 

ଦୁଇ ସାଙ୍ଗ ପଇଡ଼ପାଣି ପିଇବା ଓ ନାଳି ଖାଇବା ସହ ନିକଟସ୍ଥ ପାର୍କକୁ ଯାଇ ପିଲାଦିନର ଅନେକ ସ୍ମୃତି ଓ ପରସ୍ପରର ଭଲମନ୍ଦ ବିଷୟରେ କଥାବାର୍ତ୍ତା ହେଲେ। 

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ- ୭୦୦୮୯୬୦୫୦୨