ନୂଆଦିଲ୍ଲୀ: ସ୍ୱାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ଉପରେ ଅନୁଚିତ ମନ୍ତବ୍ୟ ଦେଇଥିବାରୁ ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣା ଚେତନା (ଇସ୍କନ) ମଙ୍ଗଳବାର ଏକ ବିବୃତି ଜାରି କରି ସେମାନଙ୍କର ଅନ୍ୟତମ ସାଧୁ ଅମୋଘ ଲୀଲା ଦାସଙ୍କୁ ନିଷିଦ୍ଧ କରିଛି।

Advertisment

ଅମୋଘ ଲୀଲା ଦାସ ଜଣେ ଆଧ୍ୟାତ୍ମିକ ପ୍ରେରଣାଦାୟୀ ବକ୍ତା, ଯାହାଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ। ତେବେ, ସ୍ୱାମୀ ବିବେକାନନ୍ଦଙ୍କ ମାଛ ସେବନକୁ ନେଇ ଅମୋଘ ଲୀଳା ଦାସ ପ୍ରଶ୍ନ ଉଠାଇ କହିଥିଲେ ଯେ ଜଣେ ପୂଣ୍ୟବାନ ମଣିଷ କେବେ ବି କୌଣସି ପଶୁକୁ କ୍ଷତି ପହଞ୍ଚାଉଥିବା ଜିନିଷ ଖାଇ ନଥାଏ।

ଜଣେ ପୂଣ୍ୟବାନ ମଣିଷ କେବେ ମାଛ ଖାଇବ କି? ମାଛ ମଧ୍ୟ ଯନ୍ତ୍ରଣା ଅନୁଭବ କରେ, ଠିକ୍‌ କି? ତା’ହେଲେ ଜଣେ ପୂଣ୍ୟବାନ ବ୍ୟକ୍ତି ମାଛ ଖାଇବ କି? ଲୋକଙ୍କୁ ସମ୍ବୋଧିତ କରିବା ଅବସରରେ ସାଧୁ ଅମୋଘ ଲୀଲା ଦାସ ଏକଥା କହିଛନ୍ତି। ତାଙ୍କ ସମ୍ବୋଧନରେ ସେ ସ୍ୱାମୀ ବିବେକାନନ୍ଦଙ୍କ ଗୁରୁ ରାମକୃଷ୍ଣ ପରମହଂସଙ୍କୁ ମଧ୍ୟ ସମାଲୋଚନା କରିଥିଲେ।

ପରବର୍ତ୍ତୀ ସମୟରେ ସାଧୁ ଅମୋଘ ଲୀଲା ଦାସଙ୍କ ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ବିବାଦ ସୃଷ୍ଟି ହେବା ସହ ଇସ୍କନ୍‌ ତା’ର ସାଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଥିଲା।
ଅମୋଘ ଲୀଲା ଦାସଙ୍କ ଅନୁପଯୁକ୍ତ ଓ ଅଗ୍ରହଣୀୟ ମନ୍ତବ୍ୟ ଏବଂ ଏହି ଦୁଇ ମହାନ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱଙ୍କ ଅବଦାନ ବିଷୟରେ ତାଙ୍କର ବୁଝାମଣା ଅଭାବରୁ ଦୁଃଖିତ ବୋଲି ଇସ୍କନ୍‌ କହିଛି।

ଇସ୍କନ୍‌ ପକ୍ଷରୁ ଜାରି ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଅମୋଘ ଲୀଲା ଦାସ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିଥିଲେ ଏବଂ ଗୋବର୍ଦ୍ଧନ ପର୍ବତରେ ଏକ ମାସ ପାଇଁ ‘ପ୍ରାୟଶ୍ଚିତ’ କରିବାକୁ ଶପଥ ନେଇଛନ୍ତି। ସେ ତୁରନ୍ତ ଜନଜୀବନରୁ ନିଜକୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିଦେବେ ବୋଲି ଏଥିରେ କୁହାଯାଇଛି।