ଆଗେ କୌଣସି ବିବାହ କାର୍ଯ୍ୟ ଦୃଢ଼ ନିଶ୍ଚିତ କରିବା ପାଇଁ ନିର୍ବନ୍ଧ ପରି ପ୍ରାକ୍ବୈବାହିକ ଉତ୍ସବର ଆୟୋଜନ ହେଉଥିଲା। ଅବଶ୍ୟ ଏଥିରେ ଭାବୀ ବର କି କନ୍ୟାଙ୍କର କୌଣସି ଭୂମିକା ନଥିଲା। ଭୋଜିଭାତର ଆସର ମଧ୍ୟରେ ବନ୍ଧୁବାନ୍ଧବମାନେ କେବଳ ପରସ୍ପରକୁ ଜାଣିବାର ଅବକାଶ ମିଳୁଥିଲା। ମାତ୍ର ଆଜିକାଲି ବିବାହ ପୂର୍ବରୁ ଭାବୀ ଦମ୍ପତିଙ୍କୁ ଏକାଠି କରିବା ଲାଗି ମୁଦିପିନ୍ଧା ପରି ଅଭିନବ ଉତ୍ସବର ଆୟୋଜନ କରାଯାଉଥିବା ଦେଖିବାକୁ ମିଳୁଛି। ଏଥିରେ ବାହାଘରଠୁ ବି ବଳିକି ଭୋଜିଭାତ ସହ ବରକନ୍ୟାଙ୍କୁ ମିଶିବାର ଅଲିଖିତ ସ୍ବୀକୃତି ଦିଆଯାଉଛି। ମାତ୍ର ଜର୍ମାନୀ ପରମ୍ପରାରେ ଏଭଳି ଭାବୀ ଦମ୍ପତିଙ୍କ ଉଦ୍ଦେଶ୍ୟରେ ପ୍ରାକ୍ପରିଣୟ ଉତ୍ସବର ଆୟୋଜିତ ହେଉଥିଲେ ହେଁ ତାହା ନିଆରା ଓ ତାହା ପଛରେ ଏକ ମହତ୍ କାରଣ ରହିଛି। ସେଠାରେ ବିବାହ ପୂର୍ବରୁ ଭାବୀ ବରକନ୍ୟାଙ୍କ ବନ୍ଧୁବାନ୍ଧବମାନେ ଏକତ୍ରିତ ହୋଇ ଭୋଜିଭାତରେ ମସଗୁଲ ହୋଇଥା’ନ୍ତି।
ମାତ୍ର ସେମାନେ ସେଠାରେ ଭୋଜିରେ ଆପ୍ୟାୟିତ ହୋଇସାରିଲା ପରେ ବାସନକୁସନ ସବୁ ଭାଙ୍ଗିରୁଜି ଫିଙ୍ଗାଫୋପଡ଼ା କରିଥା’ନ୍ତି। ଆଉ ନବଦମ୍ପତିଙ୍କୁ ସେସବୁ ଗୋଟାଇ ସଫା କରିବାକୁ ବାଧ୍ୟ କରାଯାଇଥାଏ। ସୁନ୍ଦର ଘରସଂସାରର ସ୍ବପ୍ନରେ ବିଭୋର ଥିବା ଭାବୀ ଦମ୍ପତି ମଧ୍ୟ କୌଣସି ଦ୍ବିଧା ନରଖି ଛିନ୍ଛତ୍ର ହୋଇ ପଡ଼ିଥିବା ଭଙ୍ଗାରୁଜା ବାସନ ଓ ଅଳିଆ ଆବର୍ଜନା ସବୁ ନିଜ ହାତରେ ଗୋଟାଇ ଉତ୍ସବସ୍ଥଳକୁ ପରିଷ୍କାର କରିଥା’ନ୍ତି। ଏପରି କରିବା ଦ୍ବାରା ସେମାନଙ୍କ ମନରେ କଠିନ ସମୟରେ ଏକାଠି କାମ କରିବାର ସ୍ପୃହା ଜାଗ୍ରତ କରାଯାଇପାରିବ ବୋଲି ସେ ଦେଶରେ ଏକ ବିଚିତ୍ର ବିଧି ରହିଛି। ଏହା ସେମାନଙ୍କ ଦାମ୍ପତ୍ୟ ଜୀବନକୁ ଅଧିକ ମଜଭୁତ କରିପାରିବ ବୋଲି ଲୋକଙ୍କର ବିଶ୍ବାସ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/hsf5h4sfh4sf561h23sf1hsf45fhs.jpg)