ଶ୍ରଦ୍ଧା, ସତୀତ୍ୱ ଓ ପବିତ୍ରତାର ପ୍ରତୀକ ଭାବରେ ତୁଳସୀ ଚଉରା ପ୍ରାୟ ପ୍ରତ୍ୟେକ ହିନ୍ଦୁଘରର ଅଗଣାରେ ଶୋଭାପାଏ। ବିଭିନ୍ନ ସମୟରେ ଓଡ଼ିଶାର ପୁରପଲ୍ଲୀର ବିଭିନ୍ନ ପର୍ବପର୍ବାଣିରେ, ତୁଳସୀ ବୃକ୍ଷ ବା ବୃନ୍ଦାବତୀଙ୍କର ପୂଜା ଅନୁଷ୍ଠିତ ହୋଇଥାଏ। ସେ ମଧ୍ୟରୁ ଭାଦ୍ରବ ପୂର୍ଣ୍ଣିମାଠାରୁ ଆଶ୍ୱିନପୂର୍ଣ୍ଣିମା ପର୍ଯ୍ୟନ୍ତ ଏକ ମାସ ଧରି ପାଳିତ ହୁଏ ‘ଜହ୍ନି ଓଷା’।
Sambad is now on WhatsApp
Join and get latest news updates delivered to you via WhatsApp
ସାଧାରଣତଃ କୁମାରୀ କନ୍ୟାମାନେ ଏହି ବ୍ରତ ପାଳନ କରିଥାନ୍ତି। ଏହି ଓଷାରେ ଝିଅମାନେ ଚଉରାମୂଳକୁ ଲିପାପୋଛା କରି, ଚିତା ମୁରୁଜ ପକାଇ, ଚଉରାକୁ ଜହ୍ନିଫୁଲ, ପାଣିକଖାରୁ ଫୁଲ ଓ କଇଁ ଫୁଲ ଆଦିରେ ସଜାଇଥାଆନ୍ତି। ଗୋଟିଏ ପିଢ଼ା ପଟାକୁ ଥୋଇ ତା’ ଉପରେ ଏକ ପୂର୍ଣ୍ଣ କୁମ୍ଭ ବସାନ୍ତି। ପୂର୍ଣ୍ଣ କୁମ୍ଭ ପାଖରେ ଗୋଟିଏ ଗୁଆ ଓ ସାତଟି କଉଡ଼ି ରଖନ୍ତି। ଚନ୍ଦନ, ସିନ୍ଦୂର ଓ ଜହ୍ନିଫୁଲ ଦେଇ ପୂର୍ଣ୍ଣକୁମ୍ଭକୁ ସଜାନ୍ତି। ଧୂପ, ଦୀପ, କର୍ପୂରରେ ଚଉରାକୁ ବନ୍ଦାଇ କୁମାରୀମାନେ ଚଉରା ପାଖରେ ବସି ଦୀନକୃଷ୍ଣ ଦାସଙ୍କ ରଚିତ ‘ଜହ୍ନିଓଷା ବ୍ରତ କଥା’ ପାଠ କରନ୍ତି।
ଏହି ଓଷା କରୁଥିବା ବାଳିକାମାନେ ଅରୁଆ ଖାଆନ୍ତି। ମାସଯାକ ବ୍ରତଚାରିଣୀମାନେ ଜହ୍ନି ଖାଆନ୍ତି ନାହିଁ; ଏପରିକି ଜହ୍ନି ଫଳଟିଏ ଗଛରୁ ଛିଣ୍ଡାନ୍ତି ନାହିଁ। କଥିତ ଅଛି ଯେ ଏହି ବ୍ରତ କଲେ କୁମାରୀ କନ୍ୟାମାନଙ୍କର ସମସ୍ତ ପ୍ରକାର ରୋଗ ନାଶ ହୁଏ ଏବଂ ସେମାନେ ସୁନ୍ଦର ଓ ଗୁଣବାନ ବର ପାଆନ୍ତି। ଓଷାର ଆରାଧ୍ୟା ଦେବୀ ବୃନ୍ଦାବତୀ ସନ୍ତୁଷ୍ଟ ହେଲେ କିପରି ସର୍ବବିଘ୍ନ ନାଶ ହୁଏ, ସେକଥା ପାଞ୍ଚଟି ଛାନ୍ଦରେ ବର୍ଣ୍ଣିତ ବ୍ରତକଥାରେ ଉଲ୍ଲେଖ ଅଛି। ସେହିପରି, ଏହି ଓଷା ପାଳନ ନକଲେ ବା ଏହି ବ୍ରତକୁ ଉପହାସ କଲେ କିପରି ତୁଳସୀଙ୍କର କ୍ରୋଧର ସମ୍ମୁଖୀନ ହେବାକୁ ହୁଏ, ତାହା ମଧ୍ୟ ଏଥିରେ ବର୍ଣ୍ଣିତ।
ଜହ୍ନିଓଷା ଏକ ଲୋକବିଶ୍ୱାସର ଓଷା। ଜହ୍ନି ଏକ ସାଧାରଣ ପରିବା। କିନ୍ତୁ ତାର ଫୁଲ ଅତି ସୁନ୍ଦର। ଜହ୍ନିଫୁଲ ଓ ଜହ୍ନରାତିର ବର୍ଣ୍ଣନାରେ କବିମାନେ କାଳେକାଳେ ଶତମୁଖ ହୋଇଛନ୍ତି। ବୃନ୍ଦାବତୀଙ୍କୁ ଜହ୍ନିଫୁଲରେ ସଜାଇବା ତେଣୁ ଅତି ମହତ୍ତ୍ୱପୂର୍ଣ୍ଣ। ସାଧାରଣକୁ ଅସାଧାରଣରେ ପରିଣତ କରିବା ତ ଓଡ଼ିଆ ସଂସ୍କୃତିର ବିଶେଷତ୍ୱ।
ଏହି ଓଷା କରାଯାଉଥିବା ମାସ ହେଉଛି ଆଶ୍ୱିନ। ଏହା ଜହ୍ନି ଓ କାକୁଡ଼ିର ମାସ। ଏଣୁ ଏହାକୁ ନେଇ ଓଡ଼ିଆରେ ଲୋକମୁଖରେ କୁହାଯାଇଥାଏ- “ଜହ୍ନିଫୁଲ ଠୋ ଠା, କାକୁଡ଼ିଫୁଲ ଠୋ ଠା, ଚୁଟିଆମୂଷା କହିଯାଇଛି ଚାଉଳ ମୁଠେ ରଖିଥା’।”
ଡକ୍ଟର ତୁଳସୀ ଓଝା