ଓଡ଼ିଶାର ନଦୀ, ବନ, ପର୍ବତ ମଧ୍ୟରେ ଲୁଚି ରହିଛି ପ୍ରାଚୀନ ଓଡ଼ିଶାର ଧର୍ମ, ସଂସ୍କୃତି, କଳାକୃତି, ଲୋକବିଶ୍ୱାସର ଅସୁମାରି ପଦଚିହ୍ନ। ସେ ମଧ୍ୟରୁ ଜଳୌକା ପାହାଡ଼ ଅନ୍ୟତମ। ବିରୂପା ନଦୀର ପଶ୍ଚିମତଟ ଓ ମଣ୍ଡଳ ପର୍ବତର ପୂର୍ବଦିଗରେ ତିନି କିଲୋମିଟର ସ୍ଥାନରେ ପରିବ୍ୟାପ୍ତ ଜଳୌକା ପାହାଡ଼। ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଏଠାରେ ଆଶ୍ରମ କରି ଅବସ୍ଥାନ କଲାପରେ ସଂପ୍ରତି ଏହା କିଛିଟା ଚଳଚଞ୍ଚଳ ହୋଇଛି। କିନ୍ତୁ ପୂର୍ବରୁ ଏହି ସ୍ଥାନଟି ପ୍ରାୟ ନିକାଞ୍ଚନ ଥିଲା। କାରଣ ଏହା ସିଦ୍ଧ ସନ୍ନ୍ୟାସୀମାନଙ୍କର ତପସ୍ୟାସ୍ଥଳ। ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଷୋଳସହସ୍ର ଗୋପୀ ପରିବେଷ୍ଟିତ ହୋଇ ଏଠାରେ ରାସକ୍ରୀଡ଼ା କରୁଥିଲେ। ଏବଂ ଏହା ମଧ୍ୟ ଥିଲା ଶ୍ରୀକୃଷ୍ଣଙ୍କର ଅଷ୍ଟ ପାଟବଂଶୀଙ୍କର ବିଶ୍ରାମ ସ୍ଥଳ। ଏହା କୌଣସି କାଳ୍ପନିକ କଥା ନୁହେଁ। ସିଦ୍ଧ ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କର ଗରୁଡ଼ପୁରାଣ, ଶିବକଳ୍ପ ଆଦି ଗ୍ରନ୍ଥରେ ଦେବଭୂମି ଜଳୌକା ସଂପର୍କରେ ଯେଉଁ ଉଲ୍ଲେଖ କରିଛନ୍ତି ଏବଂ ସଂପ୍ରତି ଏଠାରେ ତା’ର ସ୍ମୃତିସ୍ୱରୂପ ଯେଉଁ ସ୍ଥାନ, ଗୁମ୍ଫା ଓ ବୃକ୍ଷଲତାମାନ ରହିଛି, ସେମାନେ ତାହାର ସ୍ମାରକୀ ବହନ କରିଛନ୍ତି। ଏହି ପର୍ବତରେ ଏକ ଗୁମ୍ଫା ରହିଛି ଯାହାକୁ ନଳୀ ଗୁମ୍ଫା କୁହାଯାଏ। ସେ ମଧ୍ୟରେ ୭୫୨ଗୁମ୍ଫା ରହିଛି ଏବଂ ତା ଭିତରେ ସାଧୁ ସନ୍ଥମାନେ ଏବେ ମଧ୍ୟ ଲୁକ୍କାୟିତ ଭାବରେ ରହି ତପସ୍ୟା କରୁଛନ୍ତି। ଏଣୁ ଅଚ୍ୟୁତାନନ୍ଦ ଲେଖିଛନ୍ତି- “ଉପାଧି ବୈଷ୍ଣବମାନେ ଅଛନ୍ତି ଏଠାରେ। ସନକାଦି ଆସନ୍ତି ଯେ ସନ୍ଧ୍ୟା ସମୟରେ।” ଏହି ଗୁମ୍ଫାମାନଙ୍କ ମଧ୍ୟରେ ଏକ ଗୁମ୍ଫା ରହିଛି, ଯାହାର ନାମ ମଣିନାଗ ଗୁମ୍ଫା।
“ସାତଶ ବାଉନ ମଧ୍ୟରେ ସାର, ମଣିନାଗ ଗୁମ୍ଫା ନାମ ଯାହାର।
ମଣିନାଗ ଗୁମ୍ଫା ମହିମା ଅପାର ପାତାଳକୁ ଦ୍ୱାର ଯାର।
ଶତଶତ ମୁନି ସାଧନା କରନ୍ତି ମହିମା ଅଟେ ଅପାର।”
କଥିତ ଅଛି, ପ୍ରତିବର୍ଷ ଗର୍ଭଣା ସଂକ୍ରାନ୍ତି ଦିନ ଏହି ଗୁମ୍ଫା ମଧ୍ୟରୁ ମଣିନାଗ ବାହାରି ବିରୂପାନଦୀ ଯାଇ ଜଳପାନ କରି ଫେରିଆସନ୍ତି। ବର୍ଷସାରା ଏହି ଗୁମ୍ଫାର ଦ୍ୱାର ବନ୍ଦ ରହେ। ଏଠାରେ ଥିବା ତିନିଟି ସୁଦୃଶ୍ୟ ଗୁମ୍ଫା ମଧ୍ୟରୁ ଗୋଟିଏ ଗୁମ୍ଫାରେ ରାମଚନ୍ଦ୍ର ରହୁଥିଲେ। ଅନ୍ୟ ଏକ ଗୁମ୍ଫା ମଧ୍ୟରେ ପଞ୍ଚସଖା ଯୁଗର ସମସାମୟିକ ବାସୁବାବାଙ୍କର ପ୍ରତିମୂର୍ତ୍ତି ରହିଛି। ତୃତୀୟ ଗୁମ୍ଫାରେ ପତିତପାବନଙ୍କ ସହିତ ଅଷ୍ଟପାଟବଂଶୀ, ରାଧାକୃଷ୍ଣ ଓ ଗୋପୀମାନଙ୍କର ପ୍ରତିକୃତି ରହିଛି। ଏଠାରେ ଏକ ବୃହତ୍ ବଟବୃକ୍ଷ ଅଛି, ଯାହାର ନାମ ‘ଅହିବଟ’। ମହାବାତ୍ୟା କାଳରେ ମଣିନାଗ ଜଳୌକା ପାହାଡ଼ରେ ଥିବା ବୃକ୍ଷଲତା କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏହି ବଟବୃକ୍ଷର ପତ୍ରଟିଏ ବି ଝଡ଼ି ନଥିଲା। ତେଣୁ କୁହାଯାଏ, ଏହି ବଟବୃକ୍ଷର ଦେହରେ ଅଛି ପଶୁ କେଦାର ଗଦ। ରାତିରେ ଏହି ଗୁମ୍ଫାମାନଙ୍କରୁ ସର୍ପମାନେ ବାହାରିଲେ ମଧ୍ୟ ଗଦ ପ୍ରଭାବରୁ କାହାର କୌଣସି କ୍ଷତି କରନ୍ତି ନାହିଁ। ସଂପ୍ରତି ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଏଠାରେ ମହାରାସ ହୋଇଥାଏ।
-ଡକ୍ଟର ତୁଳସୀ ଓଝା